ଜଣକୁ ମାରିଥିଲା,ଏକାଧିକଙ୍କୁ ଘାଇଲା କରିଥିଲା, ଶେଷରେ ଫାଶରେ ପକାଇ କାବୁ କଲେ ଗୋସେବକ

Published By : Prameya-News7 Bureau | February 10, 2025 IST

ଭୁବନେଶ୍ବର ୧୦/୨: ସୋମବାର ଷଣ୍ଢ ମାରିଥିଲା ମଣିଷ । ଏକାଧିକଙ୍କୁ କରିଥିଲା ଘାଇଲା । ଲୋକଙ୍କ କଥାକୁ ପ୍ରଥମେ ଅଣଦେଖା କରିଥିବା ଭୁବନେଶ୍ବର ମହାନଗର ନିଗମ ଶେଷରେ ସକ୍ରିୟ ହୋଇଥିଲା । ମଣିଷମରା ଷଣ୍ଢକୁ କାବୁ କରିବାକୁ ଲାଗି ପଡିଥିଲେ ବିଏମ୍‌ସିର ସ୍ବତନ୍ତ୍ର ଟିମ୍‌ । ଭୁବନେଶ୍ବର ଉପକଣ୍ଠରେ ଷଣ୍ଢ ଉତ୍ପାତରେ ତ୍ରାହି ତ୍ରାହି ଡାକୁଥିବା ଲୋକ ରାସ୍ତାରୋକ କରି ଚେତାବନୀ ଦେବାରୁ ବିଏମ୍‌ସିର ନିଦ ଭାଙ୍ଗିଛି । ଆଉ ଶେଷରେ ଫାଶ ପକାଇ ଷଣ୍ଢକୁ କାବୁ କରାଯାଇଛି । 

ଭୁବନେଶ୍ବର ଇଞ୍ଜଣା ରୋକଟ ଓ ମଞ୍ଚେଶ୍ବରକୁ ସଂଯୋଗ କରୁଥିବା ରାସ୍ତାକୁ ସୋମବାର ଅବରୋଧ କରିଥିଲେ ସ୍ଥାନୀୟ ଲୋକ । ଉତ୍ପାତିଆ ଷଣ୍ଢକୁ ତୁରନ୍ତ କାବୁ କରିବାକୁ ବିଏମ୍‌ସିକୁ ଦେଇଥିଲେ ଅଲଟିମେଟମ୍‌ । କାରଣ ଷଣ୍ଢ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୫ରୁ ଅଧିକ ଆହତ ହୋଇଛନ୍ତି । ଉତ୍ପାତିଆ ଷଣ୍ଢକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ବିଏମ୍‌ସିକୁ  ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ ବିଏମ୍‌ସି ଉଦାସୀନ ଥିବା ବେଳେ ଜନଅସନ୍ତୋଷ ବି ବଢିଥିଲା । ଷଣ୍ଢ ଭୟରେ ଲୋକେ ବାହାରକୁ  ବାହାରିବାକୁ ଡରିବା ସହ ଅନ୍ୟ ଗୋରୁ ଗାଈଙ୍କୁ ସୁରକ୍ଷା ନେଇ ଚିନ୍ତା ବି ବଢିଥିଲା । ଲୋକେ ତୁରନ୍ତ ଷଣ୍ଢକୁ କାବୁ କରିବାକୁ ପ୍ରଶାସନକୁ ଜଣାଇଥିଲେ ।

ତେବେ ଉତ୍ପାତିଆ ଷଣ୍ଢଟି ମଣିଷମରା ପାଲଟିବା ପରେ ଅସନ୍ତୋଷ ବିସ୍ଫୋରକ ସ୍ଥିତିରେ ପହଞ୍ଚିଥିଲା । ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଓ ୫ ଜଣ ଆହତ ହେବା ପରେ  ପରେ ସୋମବାର ରାସ୍ତାକୁ ଓହ୍ଲାଇଥିଲେ ଲୋକେ । କରିଥିଲେ ରାସ୍ତାରୋକ । ଷଣ୍ଢକୁ କାବୁ ନକଲା ଯାଏ ରାସ୍ତାରୋକରୁ ହଟିବେ ନାହିଁ ବୋଲି ବିଏମ୍‌ସିକୁ ଚେତାବନୀ ଦେଇଥିଲେ । ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ବିଏମ୍‌ସି ମଧ୍ୟ ତୁରନ୍ତ ଷଣ୍ଢକୁ ଟ୍ରାଙ୍କୁଲାଇଜ କରିବାକୁ ପ୍ରତିଶ୍ରୁତି ଦେବା ପରେ ସ୍ଥିତି ଶାନ୍ତ ପଡିଥିଲା । 

ତେବେ ଆଶ୍ବସ୍ତିକର ଖବର ହେଉଛି ଶେଷରେ କାବୁ ହୋଇଛି ମଣିଷ ମରା ଷଣ୍ଢ । ଫାଶ ପକାଇ ଷଣ୍ଢକୁ ଧରିଛନ୍ତି ଗୋ ସେବକ  । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.