ପ୍ରତିଷ୍ଠା ଦିବସରେ ବଲାଙ୍ଗୀରବାସୀଙ୍କୁ ମୁଖ୍ୟମନ୍ତ୍ରୀ ୮୯୦କୋଟି ଟଙ୍କାର ପ୍ରକଳ୍ପ ଭେଟି, କହିଲେ- 'ଏଠି ଡବଲ୍ ନୁହେଁ ଟ୍ରିପଲ ଇଞ୍ଜିନ ସରକାର ଚାଲିଛି'

Published By : Prameya-News7 Bureau | November 02, 2024 IST

ବଲାଙ୍ଗୀର ୨।୧୧: ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି । ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ପ୍ରତିଷ୍ଠା ଦିବସରେ ଭେଟି ଦେଇଛନ୍ତି  ୮୯୦ କୋଟି ଟଙ୍କାର ପ୍ରକଳ୍ପ । ତୁଷୁରା ଏୟାରଷ୍ଟ୍ରିପରେ ଓଲ୍ହାଇବା ପରେ ବେଲପଡା, ପାଟନାଗଡ଼, ଓ ବଲାଙ୍ଗୀରର ୬ଟି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଡବଲ୍ ଇଞ୍ଜିନ ସରକାର ନୁହେଁ ବଲାଙ୍ଗୀରରେ ଟ୍ରିପଲ ଇଞ୍ଜିନ ସରକାର ଚାଲିଥିବା କହିଥିଲେ ମୁଖ୍ୟମନ୍ତ୍ରୀ । 

ବେଲପଡା ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ,  ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଜ୍ୟସଭା ସାଂସଦ ନିରଞ୍ଜନ ବିସି, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲାପାଳ ପ୍ରମୁଖ ଏହି ସଭାରେ ଉପସ୍ଥିତ ଥିଲେ । 

ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଆଜିଠୁ ଆରମ୍ଭ ହେଲା ବଲାଙ୍ଗିରର ବିକାଶର ଧାରା । ଆଜି ବହୁଦିନର ଆଶା ଆକାଂକ୍ଷା ପୂରଣ ହେଲା । ଅପର ଲାନ୍ଥ ଜଳସେଚନର ଶୁଭ ଦିଆଗଲା । ଏହା ବେଲପଡ଼ା ଓ ବଲାଙ୍ଗିରର ଜଳ ସମସ୍ୟା ଦୂର କରିବ । ପ୍ରକଳ୍ପ କାମ ଯଥା ସମୟରେ ସାରିବାକୁ ମୋର ପ୍ରତିଶ୍ରୁତି । ସୁକତେଲ ପ୍ରକଳ୍ପ ପାଇଁ ୨୪ରୁ ୨୬ ବର୍ଷ ଲାଗିଗଲା । ତଥାପି ସୁକତେଲ ପ୍ରକଳ୍ପରୁ ଲୋକଙ୍କୁ ପାଣି ମିଳୁନି । ଆମ ସରକାର ପ୍ରତିଶ୍ରୁତିବଦ୍ଧ, ଆଉ ପୂର୍ବପରି ହେବନି ।

ଏହି ଅବସରରେ କଣ୍ଟାବାଞ୍ଜି ବିଧାୟକ କହିଥିଲେ, ଆଜି ବଲାଙ୍ଗିର ଜିଲ୍ଲାର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଚାଷୀ ମାନଙ୍କ ପାଇଁ ଜଳ ସେଚନର ସୁଵିଧା କରାଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ରାଜ୍ୟସଭା ସାଂସଦ ନିରଞ୍ଜନ ବିସି ମଧ୍ୟ କହିଥିଲେ, ଆଜି ଯେଉଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହେଉଛି ତାହା ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ । ବିରୋଧୀ ଦଳରେ ବିଜେପି ଥିବା ସମୟରେ ଚାଷୀଙ୍କ ହକ୍ ଅଧିକାର ପାଇଁ ଲଢେଇ କରିଛି । ଜଳ ସେଚନ କେମିତି ହେବ ସେନେଇ କାମ କରିଛି । ଆଜି ଦୀର୍ଘ ବର୍ଷର ଦାବି ପୂରଣ ହେବାକୁ ଯାଉଛି । ବେଲପଡା ଅଞ୍ଚଳରେ ଅପରନାନ୍ଥ ଜଳ ସେଚନ ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି । ଏହି ପ୍ରକଳ୍ପ ଯୋଗୁ ଅଞ୍ଚଳରେ ଥିବା ୩୮ ହଜାରରୁ ଅଧିକ ଚାଷୀ ଉପକୃତ ହେବେ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିଲେ । 

ଏହି ପ୍ରକଳ୍ପ ମଧ୍ୟ ଶୀଘ୍ର କାମ ସାରି କାର୍ଯ୍ୟକ୍ଷମ କରିବାକୁ ଉପ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ୮୯୦ କୋଟି ଟଙ୍କାରେ ୮୩ଟି ପ୍ରକଳ୍ପର ଆଜି ଶୁଭାରମ୍ଭ ହୋଇଥିବା ଉପ ମୁଖ୍ୟମନ୍ତ୍ରୀ କହିଥିଲେ । ସାଂସଦ ନିରଞ୍ଜନ ବିସି ଆଜିର ଏହି ଉନ୍ନତି ମୂଳକ କାମରେ ସାମିଲ ହୋଇଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଦିଆଯାଇଥିଲା । ଦଳ ଗତ ନିର୍ବିଶେଷରେ ସମସ୍ତେ ଏକ ହୋଇ ବଲାଙ୍ଗିର ଜିଲ୍ଲାର ଉନ୍ନତି ପାଇଁ କାମ କରିବାକୁ ବଲାଙ୍ଗୀର ସାଂସଦ ଉଦବୋଧନ ଦେଇଥିଲେ ।

You Can Read:

ଆମ୍ବୁଲାନ୍ସକୁ ଧକ୍କା ଦେଇ ଭାରସାମ୍ୟ ହରାଇଲା ମଦ ବୋଝେଇ ମିନି ଟ୍ରକ୍, ଜାତୀୟ ରାଜପଥରେ ଓଲଟି ପଡିଲା 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.