ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ପ୍ରସ୍ତୁତ କରି ପସ୍ତାଉଛି...ଦୁନିଆକୁ ବିପଦ ବିଷୟ ଜଣାଇବା ପାଇଁ ଗୁଗଲ ଛାଡିଲେ AI ଗଡ୍‌ଫାଦର

Published By : Prameya-News7 Bureau | May 02, 2023 IST

ନୂଆଦିଲ୍ଲୀ: ଦୁନିଆରେ ଏଆଇର ଭୂମିକା ବଢିବା ସହ ଏହାକୁ ନେଇ ବିପଦ ମଧ୍ୟ ସାମନାକୁ ଆସିବାରେ ଲାଗିଛି । ବିଶେଷଜ୍ଞମାନେ ସାର୍ବଜନୀନ ମଞ୍ଚରୁ ଏହା ଉପରେ କହିବା ଆରମ୍ଭ କଲେଣି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସିର ଗଡ୍‌ଫାଦର ରୂପରେ ସାରା ବିଶ୍ୱରେ ପ୍ରସିଦ୍ଧ ଜ୍ୟୋଫ୍ରି ହିଣ୍ଟନ ଗୁଗଲରୁ ଇସ୍ତଫା ଦେଇଛନ୍ତି । ସେ ନିଜେ ଏହି ସୂଚନା ଦେଇଛନ୍ତି । ଏଆଇଠାରୁ ଥିବା ବିପଦ ବିଷୟର ଦୁନିଆକୁ ଜଣାଇବା ପାଇଁ ସେ ନିଜ ଚାକିରିରୁ ଇସ୍ତଫା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏଆଇକୁ ବିକଶିତ କରିବାରେ ହିଣ୍ଟନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଗୁଗଲରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇ ହିଣ୍ଟନ କହିଛନ୍ତି, ‘ଏବେ ନିଜ କାମ ପାଇଁ ପାଶ୍ଚାତାପ’ କରୁଛି । ହିଣ୍ଟନ ଟ୍ୱିଟ୍ କରି ଲେଖିଛନ୍ତି, 'ମୁଁ ଚାକିରି ଏଥିପାଇଁ ଛାଡୁଛି ଯାହା ଫଳରେ ଏଆଇ ବିପଦ ଉପରେ ମୁଁ କହିପାରିବି ଏବଂ ଏହାର ପ୍ରଭାବ ଗୁଗଲ ଉପରେ ମଧ୍ୟ ପଡ଼ିବ ନାହିଁ । ଗୁଗଲ ଦାୟିତ୍ୱର ସହ କାମ କରିଛି'।

ନିକଟରେ ବିବିସିକୁ ଦେଇଥିବା ଏକ ସାକ୍ଷତକାରରେ ସେ କହିଛନ୍ତି ଯେ, 'ମୁଁ ଏବେ ଏହି ବିଷୟରେ ବିନା ଚାପରେ କଥା ହୋଇପାରିବ । ମୋତେ ନଜର ଆସୁଥିବା ବିପଦ ବିଷୟରେ କହିପାରିବି, ଯେଉଁଥିରୁ କିଛି ଅତ୍ୟନ୍ତ ଭୟଙ୍କର ରହିଛି'। ସେ କହିଛନ୍ତି, 'ବର୍ତ୍ତମାନ ମୁଁ କହିପାରିବି ଯେ, ସେମାନେ ଆମଠାରୁ ଅଧିକ ବୁଦ୍ଧିମାନ ନାହାନ୍ତି । କିନ୍ତୁ ମୁଁ ଅନୁଭବ କରୁଛି ଯେ ଶୀଘ୍ର ହୋଇଯିବେ'।

wp:html /wp:html

ହିଣ୍ଟନ ଏକ ଦଶନ୍ଧିରୁ ଅଧିକ ସମୟ ଯାଏ ଗୁଗଲ ପାଇଁ କାମ କରିଥିଲେ ଏବଂ ଏହି କ୍ଷେତ୍ରରେ ସବୁଠୁ ସମ୍ମାନିତ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ଜଣେ । ୨୦୧୨ରେ ଟୋରଣ୍ଟୋରେ ଦୁଇ ଗ୍ରାଜୁଏଟ୍ ଛାତ୍ରଙ୍କ ସହ କାମ କରି ଏଆଇ କ୍ଷେତ୍ରରେ ସବୁଠୁ ବଡ଼ ସଫଳତା ପାଇଥିଲେ । ଏହିଠାରୁ ହିଁ ଏଆଇ ଯାତ୍ରା ଆରମ୍ଭ ହୋଇଥିଲା ।

ନ୍ୟୁୟର୍କ ଟାଇମ୍ସ ଅନୁସାରେ, ତିନି ଜଣ ମିଶି ଏକ ଏଲଗୋରିଦମ ପ୍ରସ୍ତୁତ କରିବାରେ ସଫଳ ହୋଇଥିଲେ, ଯାହା ଫଟୋଗୁଡିକର ବିଶ୍ଲେଷଣ କରିବାରେ ସକ୍ଷମ ଥିଲା । ତାଙ୍କ ସହ କାମ କରିଥିବା ଛାତ୍ରଙ୍କ ମଧ୍ୟରୁ ଜଣେ ବର୍ତ୍ତମାନ OpenAIର ମୁଖ୍ୟ ବୈଜ୍ଞାନିକ ରୂପେ କାମ କରୁଛନ୍ତି । ବିବିସିକୁ ପ୍ରତିକ୍ରିୟା ଦେଇ ହଣ୍ଟନ କହିଛନ୍ତି ଯେ ChatGPT ପରି ଚାଟବଟ୍ ଖୁବଶୀଘ୍ର ମଣିଷ ମସ୍ତିଷ୍କର ସୂଚନା ସ୍ତରକୁ ପାର କରିପାରିବ । ଏଆଇ ଦ୍ୱାରା ଯିବାକୁ ଥିବା ଚାକିରି ଏବଂ ଏପରି ଏକ ଦୁନିଆ ଯେଉଁଠି ସତ କଣ କେହି ଜାଣି ପରୁ ନଥିବେ ତାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.