ମୁମ୍ବାଇ: ବଦଳିବ ମହାରାଷ୍ଟ୍ର ରାଜନୀତିର ଦୃଶ୍ୟପଟ୍ଟ। କଣ ମହାରାଷ୍ଟ୍ର ରାଜନୀତିରେ ଦଶନ୍ଧି ଧରି ଛାଇ ହୋଇ ରହିଥିବା ଠାକରେ ପରିବାରର ଏକତା ହେବାକୁ ଯାଉଛି ? କଣ ରାଜ ଠାକରେ ଓ ଉଦ୍ଧବ ଠାକରେ ଏକାଠି ଆସିବେ। ମରାଠି ଭାଷା ଓ ମହାରାଷ୍ଟ୍ରର ଅସ୍ମିତା ନାମରେ ଯେମିତି ଆଭିମୁଖ୍ୟ ଦେଖାଇଛନ୍ତି, ତାହା ଦେଖି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଦୁଇ ଠାକରେ ପୁଣି ଏକାଠି ହେବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ ଶନିବାର ଦୁଇ ନେତା ଅଲଗା ଅଲଗା ଜାଗାରେ କହିଛନ୍ତି ମହାରାଷ୍ଟ୍ର ଓ ମରାଠି ଲୋକଙ୍କ ହିତ ପାଇଁ ସେମାନେ ନିଜର ମତଭେଦ ବୁଲି ଏକାଠି ଆସି ପାରିବେ।
ଶନିବାର ମହାରାଷ୍ଟ୍ର ନବ ନିର୍ମାଣ ସେନାର ପ୍ରମୁଖ ରାଜ ଠାକରେଙ୍କ ଏକ ପୋଡକାଷ୍ଟ ରିଲିଜ୍ ହୋଇଛି। ଏଥିରେ ସେ ମହେଶ ମାଞ୍ଜରେକରଙ୍କ ସହ ଆଲୋଚନା କରିଛନ୍ତି, ଯିଏ ମୂଳତଃ ମରାଠି ଫିଲ୍ମର ନିର୍ମାତା। ମଞ୍ଜରେକରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ରାଜ ଠାକରେ କହିଛନ୍ତି, ମହାରାଷ୍ଟ୍ରର ହିତରେ ଛୋଟ ମୋଟ ମତଭେଦକୁ ଭୁଲିବାକୁ ପ୍ରସ୍ତୁତ ଏବଂ ସେ ଉଦ୍ଧବ ଠାକରେଙ୍କ ସହ କାମ କରି ପାରନ୍ତି।
ଏହା ଉପରେ ଉଦ୍ଧବ ଠାକରେ ଶିବସେନାର ଟ୍ରେଡ ୟୁନିୟନ ଭାରତୀୟ ଶ୍ରମିକ ସେନାର ଏକ ଆୟୋଜନରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ମରାଠି ଓ ମହାରାଷ୍ଟ୍ରର ହିତରେ ସମସ୍ତ ମତଭେଦ ଭୁଲିବା ପାଇଁ ପ୍ରସ୍ତୁତ। ମାତ୍ର ଉଦ୍ଧବ ଏଠାରେ ଗୋଟିଏ ସର୍ତ୍ତ ରଖିଛନ୍ତି। ସେ କହିଛନ୍ତି ଠାକରେଙ୍କୁ ପ୍ରତିଶ୍ରୁତି ଦେବାକୁ ପଡ଼ିବ ଯେ, ସେ ଏମିତି କୌଣସି ଦଳ ସହ ମିଶିବେନି ଯିଏ ମହାରାଷ୍ଟ୍ର ବିରୋଧୀ।
ମାଞ୍ଜରେକର ରାଜ ଠାକରେଙ୍କୁ ପ୍ରଶ୍ନ କରିଥିଲେ ଯେ, କଣ ଦୁଇ ଠାକରେ ବନ୍ଧୁ ଏକାଠି ଆସି ପାରିବେ। ଏହା ଉପରେ ରାଜ ଠାକରେ କହିଥିଲେ, ମୋ ପାଇଁ ମହାରାଷ୍ଟ୍ରର ହିତ ସବୁଠୁ ଗୁରୁତ୍ଵପୂର୍ଣ୍ଣ। ଏହା ପରେ ହିଁ ଅନ୍ୟ କିଛି ରହିଛି। ଏଥିପାଇଁ ମୁଁ କୌଣସି ମତଭେଦ ଭୁଲି ଉଦ୍ଧବ ଠାକରେଙ୍କ ସହ କାମ କରିବା ପାଇଁ ପ୍ରସ୍ତୁତ।
Also read: କଟକରେ ଓ୍ବାକଫ୍ ସଂଶୋଧନ ଆଇନ୍ ବିରୋଧରେ ଆନ୍ଦୋଳନ, ଏକାଠି ହେଲେ ହଜାର ହଜାର ଲୋକ
ଏହା ଉପରେ ଉଦ୍ଧବ ଠାକରେ ତୁରନ୍ତ ଜବାବ ଦେଇଛନ୍ତି। ସେ କହିଛନ୍ତି, ମୁଁ ରାଜ ଠାକରେଙ୍କ ସହ ମିଶିବାକୁ ପ୍ରସ୍ତୁତ। ମରାଠି ଓ ମହାରାଷ୍ଟ୍ରର ହିତ ପାଇଁ ଆମେ ପ୍ରସ୍ତୁତ। ମାତ୍ର ରାଜ ଠାକରେଙ୍କୁ ଏହା କହିବାକୁ ପଡ଼ିବ ଯେ, ମହାରାଷ୍ଟ୍ର ବିରୋଧୀ ଲୋକଙ୍କ ସହିତ ମିଶିବେ ନାହିଁ। ସେମାନଙ୍କ ସହ ଯିବେନି। ରାଜ ଠାକରେଙ୍କୁ ଏମିତି ଶପଥ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତୀମା ସାମ୍ନାରେ କରିବାକୁ ପଡ଼ିବ।
ସୂଚନାଯୋଗ୍ୟ, ଗତ କିଛି ମାସ ହେବ ଅନେକ ବିବାହ ସମାରୋହ ଓ ଆୟୋଜନରେ ଉଦ୍ଧବ ଓ ରାଜ ଠାକରେ ସାମ୍ନା ସାମ୍ନି ହୋଇଛନ୍ତି। ଏହି ସମୟରେ ଉଭୟ କଥା ମଧ୍ୟ ହୋଇଛନ୍ତି। ତେବେଠୁ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ଉଦ୍ଧବ ଓ ରାଜ ଠାକରେ ଏକାଠି ଆସି ପାରନ୍ତି।