ଇସ୍ରାଏଲ-ହମାସ ସଂଘର୍ଷ ଓ ୟୁକ୍ରେନ ଯୁଦ୍ଧର କିଏ କରିବେ ସଫଳ ମୁକାବିଲା ହ୍ୟାରିସ୍ ନା ଟ୍ରମ୍ପ, ଜାଣନ୍ତୁ କ’ଣ କହୁଛି ସର୍ଭେ?

Published By : Prameya-News7 Bureau | October 12, 2024 IST

ୱାସିଂଟନ ୧୨।୧୦: ନଭେମ୍ବର ୫ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଏଥର ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପକ୍ଷରୁ ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ପ୍ରାର୍ଥୀ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଏବେ ମୁହଁ ମୁହିଁ ଟକ୍କର ଚାଲିଥିବା ବେଳେ ଉଭୟ ପରସ୍ପରଠାରୁ ସାମାନ୍ୟ ଆଗପଛରେ ଅଛନ୍ତି। ତେବେ ରାଷ୍ଟ୍ରପତି ନିର୍ବାଚନରେ ହାରଜିତ ୭ ସ୍ୱିଂଗ ଷ୍ଟେଟ୍ ନିଷ୍ପତ୍ତି କରିବେ।  ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ଇତି ମଧ୍ୟରେ ଏହି ୭ ରାଜ୍ୟରେ ଜନମତ ସର୍ଭେ କରିଛି। ଏଥିରେ ୟୁକ୍ରେନ-ଋଷିଆ ଯୁଦ୍ଧ ଓ ଇସ୍ରାଏଲ ସଂଘର୍ଷର ସଫଳ ମୁକାବିଲା ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପ କମଲା ହ୍ୟାରିସ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। 

କିଏ କେଉଁଠି ଆଗରେ?
ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ଶୁକ୍ରବାର ଜନମତ ସର୍ଭେକ୍ଷଣ ରିପୋର୍ଟ ପ୍ରକାଶ କରିଛି।  ରିପୋର୍ଟ ଅନୁସାରେ ସମର୍ଥନ ମାମଲାରେ ହ୍ୟାରିସ୍ ଓ ଟ୍ରମ୍ପ ସେହି ୭ ରାଜ୍ୟରେ ବରାବର ସ୍ଥିତିରେ ଅଛନ୍ତି, ଯାହା ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ସର୍ଭେକ୍ଷଣ ଅନୁସାରେ କମଲା ହ୍ୟାରିସ୍‌ ଏରିଜୋନା, ଜର୍ଜିୟା ଓ ମିସିଗନରେ ୨ ପ୍ରତିଶତ ଅଗ୍ରଣୀ ଅଛନ୍ତି। ସେହିପରି ଟ୍ରମ୍ପ ନେଭେଦାରେ ୬ ଓ ପେନସିଲଭାନିୟାରେ ୧ ପ୍ରତିଶତ ଆଗରେ ଅଛନ୍ତି। ନର୍ଥ କ୍ୟାରୋଲିନା ଏବଂ ୱିସ୍କନସିନରେ ଉଭୟ ନେତାଙ୍କ ମଧ୍ୟରେ ଟକ୍କର ବରାବର ରହିଛି। 

ପ୍ରତ୍ୟେକ ରାଜ୍ୟରେ ୬୦୦ ଭୋଟରଙ୍କୁ ନେଇ ହୋଇଛି ସର୍ଭେ
୨୮ ସେପ୍ଟେମ୍ବରରୁ ୮ ଅକ୍ଟୋବର ମଧ୍ୟରେ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ଏହି ସର୍ଭେକ୍ଷଣ କରିଛି। ଏଥିରେ ପ୍ରତ୍ୟେକ ରାଜ୍ୟର ୬୦୦ ପଞ୍ଜିକୃତ ଭୋଟରଙ୍କୁ ସାମିଲ କରାଯାଇଥିଲା। ତେବେ ଏହାର ଫଳାଫଳ ମଧ୍ୟ ଅନ୍ୟ ସର୍ଭେକ୍ଷଣ ଭଳି ରହିଛି। ଆମେରିକାରେ ଏଥର ପତନମୁଖୀ ଅର୍ଥବ୍ୟବସ୍ଥା, ଇମିଗ୍ରେସନ, ମହିଳାଙ୍କ ଅଧିକାର ଓ ଦେଶର ଗଣତାନ୍ତ୍ରିକ ପ୍ରସଙ୍ଗ ସବୁଠୁ ବଡ଼ ନିର୍ବାଚନୀ ପ୍ରସଙ୍ଗ ହୋଇ ରହିଛି। ଆମେରିକୀୟ ଜନତା ଏହି ସବୁ ପ୍ରସଙ୍ଗରେ ଦୁଇଜଣଙ୍କ ମଧ୍ୟରୁ କାହାକୁ ଜଣକୁ ନିର୍ବାଚିତ କରିପାରନ୍ତି। 

ଏହି ସବୁ ପ୍ରସଙ୍ଗରେ ଟ୍ରମ୍ପ ମଜଭୁତ
ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ସର୍ଭେକ୍ଷଣ ଅନୁସାରେ ଅଧିକାଂଶ ଭୋଟର ଅର୍ଥବ୍ୟବସ୍ଥା ଓ ଇମିଗ୍ରେସନ ମାମଲାରେ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି। ତେବେ ଅନ୍ୟ ଭୋଟରମାନେ ଆବାସ, ସ୍ୱାସ୍ଥ୍ୟସେବା ଓ ଲୋକଙ୍କ ଦେଖରେଖ ନିମନ୍ତେ ହ୍ୟାରିସ୍ ଭଲ କାମ କରିବେ ବୋଲି କହିଛନ୍ତି। ତେବେ ଭୋଟରଙ୍କୁ ଯେତେବେଳେ ୟୁକ୍ରେନ-ଋଷିଆ ଯୁଦ୍ଧ ସମ୍ଭାଳିବାରେ ସବୁଠୁ ଉତ୍ତମ କିଏ ହେବେ ବୋଲି ପଚରାଗଲା ଲୋକେ ଟ୍ରମ୍ପଙ୍କୁ ହିଁ ବାଛିଲେ। ୭ ସ୍ୱିଙ୍ଗ ଷ୍ଟେଟରେ ଟ୍ରମ୍ପଙ୍କୁ ୫୦ ପ୍ରତିଶତ ସମର୍ଥନ ମିଳିଥିବା ବେଳେ ହ୍ୟାରିସ୍‌ଙ୍କୁ ୩୯ ପ୍ରତିଶତ ସମର୍ଥନ ମିଳିଛି। 

ଇସ୍ରାଏଲ-ହମାସ ଯୁଦ୍ଧ ମୁକାବିଲାରେ ବି ଟ୍ରମ୍ପ ଆଗରେ

କେବଳ ଋଷିୟା-ୟୁକ୍ରେନ ନୁହେଁ ଟ୍ରମ୍ପ ଇସ୍ରାଏଲ ଓ ହମାସ ଯୁଦ୍ଧ ମୁକାବିଲାରେ ମଧ୍ୟ ବିପୁଳ ଜନସମର୍ଥନ ପାଇଛନ୍ତି। ଏଥିରେ ଟ୍ରମ୍ପଙ୍କୁ ୪୮ ପ୍ରତିଶତ ସମର୍ଥନ ମିଳୁଥିବା ବେଳେ ହ୍ୟାରିସଙ୍କୁ ୩୩ ପ୍ରତିଶତ ସମର୍ଥନ ମିଳୁଛି। ଏହା ପୂର୍ବରୁ ସେପ୍ଟେମ୍ବର ମାସରେ କମଲା ହ୍ୟାରିସ୍ ୩୮ ପଏଣ୍ଟର  ବୃଦ୍ଧି ହାସଲ କରିଥିଲେ, ଯାହା ଅକ୍ଟୋବର ହେଉ ହେଉ ୩୩ ପ୍ରତିଶତକୁ ଖସିଛି। ଚିକାଗୋ ବିଶ୍ୱବିଦ୍ୟାଳୟ ସର୍ଭେରେ ୬୬ ପ୍ରତିଶତ ଏସିୟ-ଆମେରିକୀୟ ଭୋଟର ହ୍ୟାରିସଙ୍କ ସପକ୍ଷରେ ଥିଲେ। ଏଥିରେ ଟ୍ରମ୍ପଙ୍କୁ ମାତ୍ର ୨୮ ପ୍ରତିଶତ ସମର୍ଥନ ମିଳିଥିଲା।    


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.