ଅମରାବତୀ ବିଧାୟକ ଦଳରୁ ନିଳମ୍ବିତ: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ କଂଗ୍ରେସର ଆକ୍ସନ

Published By : Prameya-News7 Bureau | October 12, 2024 IST

News7

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସର ବଡ଼ ପଦକ୍ଷେପ। ଦଳ ବିରୋଧୀ କାର୍ଯ୍ୟ ପାଇଁ ଅମରାବତୀ ବିଧାୟକ ସୁଲାଭା ଖୋଡକେଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରିଛି କଂଗ୍ରେସ। ସୁଲାଭା ଖୋଡକେଙ୍କ ସ୍ୱାମୀ ଏନସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଘନିଷ୍ଠ ସହଯୋଗୀ।

ଚଳିତ ବର୍ଷ ବିଧାନ ପରିଷଦ ନିର୍ବାଚନ ସମୟରେ 'କ୍ରସ-ଭୋଟ୍' କରିଥିବା ୭ ଜଣ ବିଧାୟକଙ୍କ ମଧ୍ୟରୁ ସୁଲାଭା ଖୋଡକେ ଅନ୍ୟତମ। ଏହି କାରଣରୁ ବିରୋଧୀଦଳ ମହାବିକାଶ ଅଗାଡି (MVA)ର ମିଳିତ ପ୍ରାର୍ଥୀ ତଥା ପିଡବ୍ଲ୍ୟୁଡି ନେତା ଜୟନ୍ତ ପାଟିଲ ପରାସ୍ତ ହୋଇଥିଲେ।

କଂଗ୍ରେସର ମହାରାଷ୍ଟ୍ର ଶାଖା ସଭାପତି ନାନା ପଟୋଲେ ବିବୃତ୍ତିରେ କହିଛନ୍ତି ଯେ ଦଳ ବିରୋଧରେ କାର୍ଯ୍ୟ କରିଥିବାରୁ ଖୋଡକେଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି। ତାଙ୍କୁ ନିଲମ୍ବନ କରିବାର ନିଷ୍ପତ୍ତି ଦଳର ମହାରାଷ୍ଟ୍ର ଦାୟିତ୍ୱରେ ଥିବା ରମେଶ ଚେନ୍ନାଇଥାଲାଙ୍କ ନିର୍ଦ୍ଦେଶରେ ନିଆଯାଇଛି ବୋଲି ସେ କହିଛନ୍ତି।

ସୂତ୍ର ଅନୁଯାୟୀ ଖୋଡକେଙ୍କ ସ୍ୱାମୀ ଏନସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଜଣେ ଘନିଷ୍ଠ ସହଯୋଗୀ। ସେ କହିଛନ୍ତି ଯେ ଖୋଡକେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିରେ ମଧ୍ୟ ଯୋଗ ଦେଇ ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.