ନୂଆଦୁିଲ୍ଲୀ ୧୨/୦୩ : ଗାଁ ହେଉକି ସହର... ଆପଣ ନିଜ ଆଖପାଖରେ ଅନେକ ପ୍ରକାରର ଟ୍ରକ୍ ଯା ଆସ କରୁଥିବା ଦେଖୁଥିବେ। ସେ ୪ ଚକିଆ, ୮ ଚକିଆ ଟ୍ରକ୍ ହେଉକି ୧୬ ଚକିଆ। କିନ୍ତୁ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠୁ ବଡ ଟ୍ରକ୍ ବିଷୟରେ କହିବୁ। ଯାହା ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାଁକୁ ସାମିଲ୍ କରିଛି।
ବେଲାରୁଷର ଏକ କମ୍ପାନୀ ବିଶ୍ୱର ସର୍ବବୃହତ ଡମ୍ପ୍ ଟ୍ରକ୍ ତିଆରି କରିଛି। ଯାହାର ନାଁ ବେଲାଜ୍ 75710 । ଏହା ଏତେ ବଡ଼ ଯେ, ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । ସୋଭିଏତ୍ ୟୁନିଅନ ସମୟରୁ ବେଲାରୁଷର ବେଲାଜ୍ କମ୍ପାନୀ ଟ୍ରକ୍ ତିଆରି ପାଇଁ ବେଶ୍ ଜଣାଶୁଣା। ସୋଭିଏତ୍ ୟୁନିଅନର ବିଲୋପ ପରେ ଏହି କମ୍ପାନୀ ଏହାର ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଆଣି ବିଶ୍ୱର ସର୍ବବୃହତ ଟ୍ରକ୍ ତିଆରି କରିବାରେ କୃତିତ୍ୱ ହାସଲ କରିଛି। ଆସନ୍ତୁ ଜାଣିବା ଏହି ଟ୍ରକ୍ ବିଷୟରେ କିଛି ରୋଚକ କଥା। ବେଲାଜ 75710 ଟ୍ରକର ଓଜନ ୩୬୦ଟନ୍, ଯାହା ୩.୬ ଲକ୍ଷ କିଲୋଗ୍ରାମ ସହିତ ସମାନ! ଏହାର ଲମ୍ବ ୨୦.୬ ମିଟର, ଉଚ୍ଚତା ୮.୧୬ ମିଟର ଏବଂ ପ୍ରସ୍ଥ ୯.୮୭ ମିଟର । ଏଥିରେ ଆଠଟି ସୁପର ସାଇଜ୍ ଟାୟାର ଅଛି। ପ୍ରତ୍ୟେକ ଟାୟାରର ଓଜନ ୫୫୦୦କିଲୋଗ୍ରାମ। ଏହି ଟ୍ରକର ମୂଲ୍ୟ ପ୍ରାୟ ୫୦କୋଟି ଟଙ୍କା। ଏହି ଟ୍ରକରେ ଦୁଇଟି ୧୬-ସିଲିଣ୍ଡର ଟର୍ବୋଚାର୍ଡ ଡିଜେଲ ଇଞ୍ଜିନ୍ ଲାଗିଛି। ଟ୍ରକର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୬୪କିଲୋମିଟର। ବୃହତ ଖଣି କାର୍ଯ୍ୟରେ ବ୍ୟବହାର ପାଇଁ ଏହାକୁ ଡିଜାଇନ୍ କରାଯାଇଛି। ବିଶେଷ କରି ରୁଷ ଏବଂ ପୂର୍ବ ୟୁରୋପରେ ଏହାକୁ ବ୍ୟବହାର କରାଯାଏ।
ବେଲାଜ୍ 75710ର କ୍ଷମତା ୪୫୦ଟନ୍। ଅର୍ଥାତ୍ ଏହି ଟ୍ରକ୍ ୪.୫ ଲକ୍ଷ କିଲୋଗ୍ରାମ ଓଜନ ଉଠାଇ ପାରିବ । କିନ୍ତୁ ୨୦୧୪ ମସିହାରେ ଏହି ଟ୍ରକ୍ ୫୦୩ ଟନ୍ ଅର୍ଥାତ୍ ୫ ଲକ୍ଷ କିଲୋଗ୍ରାମ ଭାର ଉଠାଇ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି। ଖାଲି ଥିବାବେଳେ ଏହି ଟ୍ରକ୍ ଟିର ଘଣ୍ଟା ପ୍ରତି ବେଗ ୬୦ କିଲୋମିଟର ଓ ଭାର ସହିତ ଏହାର ଘଣ୍ଟା ପ୍ରତି ୪୫ କିଲୋମିଟର ।