ବରପୁତ୍ରଙ୍କୁ ନେଇ ତେଜିଲା ରାଜନୀତି, ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି

Published By : Prameya-News7 Bureau | November 22, 2024 IST

ଭୁବନେଶ୍ବର ୨୨।୧୧: ବରପୁତ୍ରଙ୍କୁ ନେଇ ତେଜିଲା ରାଜନୀତି । ଜାତୀୟସ୍ତରରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳନ ହେବା ପରେ ତେଜିଛି ରାଜ୍ୟ ରାଜନୀତି ।  ମୁହାଁମୁହିଁ  ହୋଇଛନ୍ତି ବିଜେପି ଓ ବିଜେଡି ।  ବିଜୁ ବାବୁଙ୍କୁ ସମ୍ମାନ ଦେବା ନାଁରେ ଅନ୍ୟ ବରପୁତ୍ରଙ୍କୁ ସମ୍ମାନ ନଦେବାର ଚରିତ୍ର ଆପଣାଇଥିଲା ବିଜେଡି । ଏପରିକି ୨ ବର୍ଷ ଧରି ସରକାରୀ ଭାବେ ପାଳନ ହେଉଥିବା ରାଜ୍ୟ ସ୍ତରୀୟ ମହତାବ ଜୟନ୍ତୀକୁ ମଧ୍ୟ ବିଜେଡି ବନ୍ଦ କରି ଦେଇଥିବା ଅଭିଯୋଗ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ ଆହୁରି ବି କହିଥିଲେ ଯେ, ଲମ୍ବା ସମୟ ଧରି ବିଜୁ ଜନତା ଦଳ କେବଳ ବିଜୁ ବାବୁଙ୍କ ବିଷୟରେ କହୁଥିଲା କିନ୍ତୁ ଅନ୍ୟ ମହାପୁରୁଷ ମାନଙ୍କୁ ଗୌଣ କରି ଦେଇଥିଲା । ସମସ୍ତ ପୂଜ୍ୟପୂଜାଙ୍କୁ ସମ୍ମାନ ଦେବା ଓଡ଼ିଶାର ସଂସ୍କୃତି ଓ ପରମ୍ପରା କିନ୍ତୁ ତାମିଲନାଡୁ ସଂସ୍କୃତି ପ୍ରେମରେ ପଡିଥିଲା ବିଜେଡି । ବିଜେପି ସରକାର ଯେଉଁ ରାସ୍ତାରେ ଯାଉଛନ୍ତି ତାହା ଓଡ଼ିଶାର ସଂସ୍କୃତି, ଓଡ଼ିଶାର ଅସ୍ମିତା । ବିଜୁ ବାବୁ ଏ ଜାତିର ଜଣେ ମହାପୁରୁଷ ।  ଓଡିଶା ପ୍ରଦେଶ ପାଇଁ ବିଜୁ ବାବୁଙ୍କର ବି ଅନେକ ଅବଦାନ ରହିଛି । ମାତ୍ର ବିଜୁ ବାବୁଙ୍କୁ ସମ୍ମାନ ଦେବା ନାଁରେ ଅନ୍ୟ ବରପୁତ୍ରଙ୍କୁ ସମ୍ମାନ ନ ଦେବାର ଚରିତ୍ର ବିଜୁ ଜନତା ଦଳର ଥିଲା ।  ଆମେ ସେ ଚରିତ୍ରରୁ ବାହାରିବାକୁ ଚାହୁଁଛୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଓଡ଼ିଶାର ଯେତେ ମହାପୁରୁଷ ମଧୁସୂଦନଙ୍କ ଠାରୁ ଆରମ୍ଭ କରି ମହତାବ ଓ ବିଜୁ ବାବୁ ସମସ୍ତ ମହାପୁରୁଷ ମାନଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ଅଛି । ବିଜେପି ସରକାର ପୂଜ୍ୟପୂଜାକୁ ସମ୍ମାନ ଦେବା କାମ କରୁଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ।

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଏଭଳି ବୟାନକୁ ବିରୋଧ କରିଛି ବିଜେଡି । ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର   କହିଛନ୍ତି, ରାଜ୍ୟସ୍ତରୀୟ ମହତାବ ଜୟନ୍ତୀ କେବେ ବନ୍ଦ ହୋଇନଥିଲା । ବିଜୁ ବାବୁ ଓ ମହତାବଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାର କିଛି ମାନେ ନାହିଁ । ଓଡ଼ିଆ ଅସ୍ମିତା କଥା କହି ଉଭୟଙ୍କୁ ତୁଳନା କରିବା ଅର୍ଥ ଆମେ ନିଜକୁ ଅବମୂଲ୍ୟାୟନ କରିବା । ଯଦି ସେମାନେ ମହତାବଙ୍କ ନାଁରେ ନୂଆ ଯୋଜନା କରିବେ କରନ୍ତୁ । କିନ୍ତୁ ଆମେ ବି ଅନ୍ୟ ବରପୁତ୍ରଙ୍କ ନାଁରେ ଅନେକ ଯୋଜନା କରିଛୁ । ବିଜେଡି ସବୁ ବରପୁତ୍ରଙ୍କୁ ସମ୍ମାନ ଦେଇଛି ବୋଲି ଯୁକ୍ତି ବାଢ଼ିଛନ୍ତି ଦେବୀ ପ୍ରସାଦ ମିଶ୍ର ।  

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବର୍ଷ ତମାମ ମହତାବଙ୍କ ଜୟନ୍ତୀ ପାଳନ ପାଇଁ ବ୍ୟାପକ ଆୟୋଜନ କରିଛନ୍ତି । ବିଜୁଙ୍କ ଠାରୁ ମହତାବ ରାଜନୀତିରେ ଅଧିକ ଧୁରୀଣ ବୋଲି ଚିତ୍ରଣ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବଡ ଯୋଜନା କରିଛନ୍ତି । ମହାତାବଙ୍କ ଜନ୍ମ ସ୍ଥାନ ଭଦ୍ରକର ଆଗରପଡାରେ ମହାତାବଙ୍କ ୪୦ ଫୁଟର ପ୍ରତିମୂର୍ତ୍ତି ପ୍ରତିଷ୍ଠା ସହ ଓଡିଶା ବିକାଶରେ ତାଙ୍କ ଯୋଗଦାନ ପୁସ୍ତକ ଲିଖନ ଓ ଏହାର ପ୍ରଚାର ପ୍ରସାର ଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର ।

You Can Read:

ଶନିବାର ପ୍ରଥାମାଷ୍ଟମୀ, ଶ୍ରୀମନ୍ଦିରରେ ପହଞ୍ଚିଲା ପୋଢୁଆଁ ଭାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.