ସୁପର-୮ରେ ଟିମ୍ ଇଣ୍ଡିଆ ପାଇଁ ଭିଲେନ ନ ହୋଇ ଯାଆନ୍ତୁ ଏହି ୩ ଖେଳାଳି, ନଚେତ୍ ଭାଙ୍ଗିଯିବ ବିଶ୍ଵକପ୍ ସ୍ଵପ୍ନ

Published By : Prameya-News7 Bureau | June 19, 2024 IST

abp live

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ଵକପ୍ ୨୦୨୪ରେ ଏ ପର୍ଯ୍ୟନ୍ତ ଅପରାଜୟ ରହି ସୁପର-୮ରେ ପ୍ରବେଶ କରିଛି। ସୁପର-୮ରେ ଭାରତୀୟ ଦଳ ଜୁନ ୨୦ରେ ନିଜର ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ବାରବାଡୋସର କେନିଙ୍ଗଟନ ଓଭାଲ ଷ୍ଟାଡିୟମରେ ଖେଳାଯିବ। ଗ୍ରୁପ ୧ରେ ଭାରତ ଓ ଆଫଗାନିସ୍ତାନ ସହିତ ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ରହିଛି। ଏହି ସବୁ ଦଳ ଚମତ୍କାର ପ୍ରଦର୍ଶନ କରି ସୁପର-୮ରେ ପ୍ରବେଶ କରିଛନ୍ତି। ତେଣୁ ଭାରତର ଅସଲ ପରୀକ୍ଷା ଏବେ ହେବାକୁ ଯାଉଛି। ତେବେ ଚାଲନ୍ତୁ ଏମିତି ୩ ଖେଳାଳିଙ୍କ ଉପରେ ନଜର ପକାଇବା ଯେଉଁମାନେ ସୁପର-୮ ମ୍ୟାଚ୍‌ରେ ଭାରତୀୟ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ପାରନ୍ତି।

୧ . ବିରାଟ କୋହଲି

ଟି-୨୦ ବିଶ୍ଵକପ୍ ଇତିହାସରେ ବିରାଟ କୋହଲି ୨୫ଟି ଇନିଂସରୁ ୮୧.୫ ଅବିଶ୍ଵସନୀୟ ହାରରେ ୧୧୪୧ ରନ କରିଛନ୍ତି। ମାତ୍ର ୨୦୨୪ ଟି-୨୦ ବିଶ୍ଵକପରେ ସେ ରୋହିତ ଶର୍ମାଙ୍କ ସହିତ ଓପନିଂ କରୁଛନ୍ତି। କିନ୍ତୁ ସେ ବହୁତ ନିରାଶଜନକ ପ୍ରଦର୍ଶନ କରିଛନ୍ତି। କୋହଲି ନିଜ କ୍ୟାରିୟରରେ ଅଧିକାଂଶ ସମୟ ନମ୍ବର-୩ରେ ବ୍ୟାଟିଂ କରି ଆସିଛନ୍ତି। ମାତ୍ର ଚଳିତ ବିଶ୍ଵକପରେ ସେ ଓପନିଂ କରି ୩ଟି ଇନିଂସରୁ ମାତ୍ର ୫ ରନ କରିଛନ୍ତି। ଯଦି ସୁପର-୮ରେ କୋହଲିଙ୍କ ଏହି ଖରାପ ଫର୍ମ ଜାରି ରହେ ତେବେ ଭାରତ ପାଇଁ ସେମି ଫାଇନାଲ୍ ରାସ୍ତା ମୁସ୍କିଲ ହୋଇପାରେ। କୋହଲିଙ୍କ ବ୍ୟାଟରୁ ରନ ନ ବାହାରିଲେ ମଧ୍ୟକ୍ରମ ବ୍ୟାଟରଙ୍କ ଉପରେ ଚାପ ପଡ଼ିବ।

୨. ମହମ୍ମଦ ସିରାଜ

ଏ ପର୍ଯ୍ୟନ୍ତ ବିଶ୍ଵକପରେ ଭାରତୀୟ ଦଳ ୪ ଦ୍ରୁତ ବୋଲର ସହ ପଡ଼ିଆକୁ ଓହ୍ଲାଇଛି। ସେପଟେ ଶିବମ ଦୁବେଙ୍କୁ ପାର୍ଟ ଟାଇମ ବୋଲର ଭାବେ ବ୍ୟବହାର କରାଯାଉଛି। କିନ୍ତୁ ଯଶପ୍ରୀତ ବୁମରା(୫), ଅର୍ଶଦୀପ ସିଂ(୭) ଓ ହାର୍ଦ୍ଦିକ ପାଣ୍ଡ୍ୟା(୭) ୩ଟି ମ୍ୟାଚ୍‌ରୁ ମିଳିତ ୧୯ ଓ୍ଵିକେଟ୍ ହାସଲ କରିଛନ୍ତି। ଦୁର୍ଭାଗ୍ୟବଶତଃ ମହମ୍ମଦ ସିରାଜଙ୍କ ଆଇପିଏଲ୍ ୨୦୨୪ର ନିରାଶଜନକ ପ୍ରଦର୍ଶନ ଜାରି ରହିଛି। ଆମେରିକାର ପିଚ୍ ବୋଲରଙ୍କ ପାଇଁ ଅନୁକୂଳ ରହିଥିଲେ ହେଁ ସେ ତିନୋଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ସିରାଜ ସୁପର-୮ରେ ଯଦି ଖରାପ ପ୍ରଦର୍ଶନ କରନ୍ତି ତେବେ ଭାରତର ବୋଲିଂ ଆକ୍ରମଣ ଦୁର୍ବଳ ରହିପାରେ।

୩. ଶିବମ ଦୁବେ

ଟି-୨୦ ବିଶ୍ଵକପରେ ଭାରତ ଏ ପର୍ଯ୍ୟନ୍ତ ୪ ଅଲରାଉଣ୍ଡର ଖେଳାଳିଙ୍କ ସହ ମ୍ୟାଚ୍ ଜାରି ରଖିଛି। ଏଥିରୁ ଶିବମ ଦୁବେ ଏକମାତ୍ର ଖେଳାଳି ଯାହାଙ୍କୁ ୩ଟି ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିଛି। ଏହି ୩ଟି ଇନିଂସରୁ ସେ ମାତ୍ର ୩୪ ରନ କରି ପାରିଛନ୍ତି। ଏପରିକି ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ତିନୋଟି ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିନି। ଏଥିରୁ ସ୍ପଷ୍ଟ ଯେ, ଦଳ ପ୍ରବନ୍ଧକ ଦୁବେଙ୍କୁ ଜଣେ ବ୍ୟାଟର ଭାବେ ଅଧିକ ପ୍ରୟୋଗ କରିବାକୁ ଚାହାନ୍ତି। ଦୁବେ ଆମେରିକା ବିପକ୍ଷ ମ୍ୟାଚ୍‌ରେ ୩୧ ରନର ଅପରାଜିତ ଇନିଂସ ଖେଳି ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମାତ୍ର ଏହି ଇନିଂସରେ ପ୍ରଥମ ୧୫ ରନ ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ଦୁବେଙ୍କୁ ମଧ୍ୟକ୍ରମରେ ବ୍ୟାଟିଂ ଦାୟିତ୍ଵ ଦିଆଯାଇଛି। ଯଦି ସେ ଏଥିରେ ବିଫଳ ହୁଅନ୍ତି ଭାରତକୁ ଏହା ମହଙ୍ଗା ପଡ଼ିପାରେ। 

 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.