ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜନ ହାଇବ୍ରିଡ ମଡେଲରେ ଖେଳାଯିବ। ତେବେ ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀ ଘୋଷଣା ହୋଇନି। ତେବେ ଏହା ନିଶ୍ଚିତ ଲାଗୁଛି ଯେ, ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ଅନ୍ୟପଟେ ବାକି ସବୁ ଦଳ ନିଜର ମ୍ୟାଚ୍ ପାକିସ୍ତାନରେ ଖେଳିବେ। ଆଜି ଇଂଲଣ୍ଡ ଚାମ୍ପିଅନ୍ସ ଟ୍ରଫି ପାଇଁ ନିଜର ଦଳ ଘୋଷଣା କରିଛି। ଏବେ ଭାରତୀୟ ଦଳ ଉପରେ ସଭିଙ୍କ ନଜର ରହିଛି। କାରଣ ମ୍ୟାଚ୍ ଉପମହାଦ୍ଵୀପରେ ଖେଳାଯିବ। ଏଥିପାଇଁ ଭାରତୀୟ ଦଳକୁ ବିଶେଷ କରି ବୋଲିଂରେ ସ୍ପିନ ଓ ଦ୍ରୁତ ବୋଲରଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରଖି ଦଳ ପ୍ରସ୍ତୁତ କରିବାକୁ ପଡ଼ିବ।
ଚାମ୍ପିଅନ୍ସ ଟ୍ରଫି ଦିନିକିଆ ଫର୍ମାଟରେ ଖେଳାଯିବ। ଏଥିପାଇଁ ଓପନିଂ ଦାୟିତ୍ଵ ରୋହିତ ଶର୍ମା ଓ ଶୁଭମନ ଗିଲ୍ଙ୍କ ଉପରେ ରହିପାରେ। ରୋହିତ ନିଜ କ୍ୟାରିୟରରେ ୧୧ ହଜାର ରନ ପୂରା କରିବାର ନିକଟତର ଥିବା ବେଳେ ଅନ୍ୟପଟେ ଦିନିକିଆ କ୍ରିକେଟ୍ରେ ଗିଲ୍ଙ୍କ ବ୍ୟାଟିଂ ହାର ୫୮.୨୦ ରହିଛି। ଭାରତୀୟ ଦଳକୁ ଯଦି ବ୍ୟାକ୍ଅପ୍ ଓପନିଂ ବ୍ୟାଟର ଆବଶ୍ୟକ ପଡ଼େ ତେବେ କେଏଲ ରାହୁଲଙ୍କୁ ବିକଳ୍ପ ଭାବେ ରଖା ଯାଇପାରେ।
Also read: ଚାମ୍ପିଅନ୍ସ ଟ୍ରଫି ଓ ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷିତ, ଏହି ଖେଳାଳିଙ୍କୁ ମିଳିଲା ଅଧିନାୟକ ଦାୟିତ୍ଵ
ମଧ୍ୟକ୍ରମରେ ତୃତୀୟ ନମ୍ବରରେ ବିରାଟ କୋହଲି ବ୍ୟାଟିଂ କରିବେ। ଚତୁର୍ଥରେ ଋଷଭ ପନ୍ତ ବ୍ୟାଟିଂ କରି ପାରନ୍ତି। କିନ୍ତୁ ପାଞ୍ଚ ନମ୍ବରକୁ ନେଇ ସଂଶୟ ରହିଛି। ଏହି ନମ୍ବରରେ ଶ୍ରେୟସ ଆୟର ବଡ଼ ଦାବିଦାର ଭାବେ ରହିଛନ୍ତି। ୨୦୨୩ ଦିନିକିଆ ବିଶ୍ଵକପ୍ରେ ଆୟର ଭାରତର ଅନ୍ୟତମ ସଫଳ ବ୍ୟାଟର ଥିଲେ। ନିକଟରେ ଆୟର ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ୯ଟି ମ୍ୟାଚ୍ରେ ୩୪୫ ରନ କରିଥିଲେ। ପୁଣି ବିଜୟ ହଜାରେ ଟ୍ରଫିର ପ୍ରଥମ ମ୍ୟାଚ୍ରେ ୧୧୪ ରନର ଅପରାଜିତ ବିସ୍ଫୋରକ ଇନିଂସ ଖେଳିଛନ୍ତି।
ଦ୍ରୁତ ବୋଲର ଅଲରାଉଣ୍ଡର ଭାବେ ପ୍ରଥମ ବିକଳ୍ପ ହାର୍ଦ୍ଦିକ ପାଣ୍ଡ୍ୟା ରହିବେ। ଅନ୍ୟପଟେ ସ୍ପିନର ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡ଼େଜାଙ୍କ ଦଳରେ ସ୍ଥାନ ସୁନିଶ୍ଚିତ। ସ୍ପିନ ବୋଲିଂ ବିଭାଗରେ ଜାଡେଜାଙ୍କ ବ୍ୟତୀତ ଓ୍ଵାଶିଂଟନ ସୁନ୍ଦର, ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କୁ ଦଳରେ ସାମିଲ କରାଯାଇପାରେ। ମାତ୍ର ପରିସ୍ଥିତି ଅନୁସାରେ ଦଳ ପ୍ରବନ୍ଧକଙ୍କୁ ଚୂଡ଼ାନ୍ତ ଏକାଦଶ ଚୟନ କରିବାକୁ ପଡ଼ିବ।
Also read: ଏହି ଦୁଇ ଭାରତୀୟ ଖେଳାଳିଙ୍କ ପୃଥ୍ଵୀ ଶଙ୍କ ପରି ଅବସ୍ଥା ହେବାକୁ ଯାଉଥିଲା , ସମୟ ପୂର୍ବରୁ...
ଭାରତୀୟ ଦଳ ଆଶା କରିବ ଯେ, ଚାମ୍ପିଅନ୍ସ ଟ୍ରଫି ସମୟରେ ମହମ୍ମଦ ଶାମି ସଂପୂର୍ଣ୍ଣ ଫିଟ୍ ରୁହନ୍ତୁ। ଶାମି ୨୦୨୩ ବିଶ୍ଵକପ୍ରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ରହିଥିଲେ। ସେ ମାତ୍ର ୭ଟି ମ୍ୟାଚ୍ରେ ୨୪ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜଙ୍କ ସହିତ ହର୍ଷିତ ରାଣାଙ୍କ ମଧ୍ୟ ଚୟନ ହୋଇପାରେ।
ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ସମ୍ଭାବିତ ଦଳ
ରୋହିତ ଶର୍ମା, ଶୁଭମନ ଗିଲ୍, ବିରାଟ କୋହଲି, ଯଶସ୍ଵୀ ଜୟସ୍ଵାଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ମହମ୍ମଦ ଶାମି ଓ ମହମ୍ମଦ ସିରାଜ।