ଚିକିଟି- ଦିଗପହଣ୍ଡି ରାସ୍ତା ଜକର ନିକଟରେ ବାଘର ପାଦ ଚିହ୍ନ ଠାବ

Published By : Prameya-News7 Bureau | November 11, 2024 IST

ବ୍ରହ୍ମପୁର:  ଚିକିଟି ଦିଗପହଣ୍ଡି ରାସ୍ତା ଜକର ନିକଟରେ ବାଘ ପାଦ ଚିହ୍ନ ଠାବ। ବାଘ ପାଦ ଚିହ୍ନ ଦେଖିବାକୁ ସେଠାରେ ଲୋକେ ଭିଡ଼ ଜମାଇଥିବାବେଳେ ଏହାକୁ ନେଇ ଭୟଭୀତ ମଧ୍ୟ ଅଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। 

ସୂଚନାଥାଉକି, ଗତ କିଛି ଦିନରୁ ଏକ ବାଘ ଚିକିଟି, ଦିଗପହଣ୍ଡି ଅଞ୍ଚଳରେ ବୁଲୁଥିବା ସୂଚନା ମିଳିଛି। ବନ ବିଭାଗ ମଧ୍ୟ ବାଘ ବୁଲୁଥିବା ଅନୁମାନ କରୁଛି। ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ମଧ୍ୟ ମିଳୁଛି। ଏମିତିକି ବାଘ ଗୋଳନ୍ଥରା ନିକଟ ଜାତୀୟ ରାଜପଥ ପାର ହେବା ଏକ ଭିଡିଓ ଭାଇରାଲ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ବାଘକୁ ଠାବ କରାଯାଇପାରିନାହିଁ। ଏମିତିରେ ବନ ବିଭାଗ ସତର୍କ ରହିବାକୁ ପରାମର୍ଶ ଦେଉଛି।

ଏହା ପୂର୍ବରୁ ଗୋଳନ୍ଥରାରେ ଛେଳି ମୃତ୍ୟୁକୁ ନେଇ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।ସ୍ଥାନୀୟ ଗୋବିନ୍ଦପୁର ପନାଡ଼ ଗାଁରେ ୪ଟି ଛେଳିଙ୍କୁ କ୍ଷତାକ୍ତ ଅବସ୍ଥାରେ ପାଇଥିଲେ ଗ୍ରାମବାସୀ। ଗୋଟିଏ ଛେଳିକୁ ସମ୍ପୂର୍ଣ୍ଣ ଖାଇଦେଇଥିବାବେଳେ ଅନ୍ୟ ୩ଟି ଛେଳିକୁ ମାରି କିଛି ମାଂସ ଖାଇଥିବା ଦେଖିବାକୁ ମିଳିଥିଲା। ହେଲେ ଛେଳିକୁ ବାଘ ମାରିଛି ନା’ ଅନ୍ୟ କୌଣସି ଜୀବ ତାହାକୁ ନେଇ ଆତଙ୍କିତ ହୋଇପଡ଼ିଥିଲେ ଗ୍ରାମବାସୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.