IPL ହେବିଓ୍ୱେଟ ଟକ୍କର, ମୁହାଁମୁହିଁ ହେବେ ଚେନ୍ନାଇ-ଆରସିବି, ଫୋକସରେ ଧୋନୀ-କୋହଲି

Published By : Prameya-News7 Bureau | March 28, 2025 IST

ଚେନ୍ନାଇ,୨୮/୦୩: ଆଇପିଏଲ୍‌ର ଅଷ୍ଟମ ଲିଗ୍‌ ମୁକାବିଲାରେ ଆଜି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ୍‌  ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍ପରକୁ  ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ବିଜୟ ସହ ସିଜନ ଆରମ୍ଭ କରିଛନ୍ତି । ଫଳରେ ଆଜି ଦୁଇ ଦଳ ମଧ୍ୟରେ ଏକ  ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ । 

ଆଇପିଏଲ୍‌ରେ ପୂର୍ବରୁ ଉଭୟ ଦଳ ୩୩ଥର ସାମ୍ନାସାମ୍ନି ହୋଇଛନ୍ତି । ଏଥିରୁ ସୁପରକିଙ୍ଗ୍‌ସ ୨୧ଟି ଏବଂ ରୟାଲ୍‌  ଚ୍ୟାଲେଞ୍ଜର୍ସ ୧୧ଟି ମ୍ୟାଚ୍‌ ଜିତିଥିବାବେଳେ ଗୋଟିଏ ବିନା ଫଳାଫଳରେ ଶେଷ ହୋଇଛି । ଗତ ସିଜନରେ ଉଭୟ ଦଳ ୨ଥର ପରସ୍ପରକୁ ଭେଟିଥିଲେ ଏବଂ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ । 

ସୁପରକିଙ୍ଗ୍‌ସ ତା’ର ଘରୋଇ ଗ୍ରାଉଣ୍ଡ୍‌  (ଚିପକ୍‌)ରେ ଦ୍ୱିତୀୟ ମ୍ୟାଚ୍‌ ଖେଳିବାକୁ ଯାଉଛି । ପୂର୍ବଭଳି ଆଜି ମଧ୍ୟ ଚିପକ୍‌ ଷ୍ଟାଡିୟମ ହଳଦିଆ ଜର୍ସିରେ ପୂରି ଉଠିବ। ପ୍ରଥମ ମ୍ୟାଚ୍‌ରେ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ  ୪ ୱିକେଟ୍‌ରେ ହରାଇଥିଲା । ସ୍ପିନର ନୂର ଅହମ୍ମଦ (୪/୧୮) ଘାତକ ବୋଲିଂ କରି  ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଆଜି ମଧ୍ୟ ସ୍ପିନ ବିଭାଗ ରୟାଲ୍‌  ଚ୍ୟାଲେଞ୍ଜର୍ସ ବ୍ୟାଟରଙ୍କୁ ବାନ୍ଧି ରଖିବା ପାଇଁ ପ୍ରସ୍ତୁତ ଅଛନ୍ତି । ଦଳରେ ରବିଚନ୍ଦ୍ରନ ଅଶ୍ୱିନ  ଓ ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ଦକ୍ଷ ସ୍ପିନର ରହିଛନ୍ତି । 

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ  ରଚିନ ରବିନ୍ଦ୍ର (ଅପରାଜିତ ୬୫) ଓ  ଅଧିନାୟକ ଋତୁରାଜ ଗାଏକୱାଡ (୫୩)  ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମରେ  ଥିବା ପ୍ରମାଣିତ କରିଥିଲେ । ମାତ୍ର ମଧ୍ୟ  ଭାଗ ବ୍ୟାଟର ନିରାଶ କରିଥିଲେ । ରୟାଲ୍‌  ଚ୍ୟାଲେଞ୍ଜର୍ସକୁ ହରାଇବାକୁ ହେଲେ ମଧ୍ୟ ଭାଗ  ବ୍ୟାଟରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । 

ରୟାଲ୍‌ ଚ୍ୟାଲେଞ୍ଜର୍ସ ଗତ ୨୨ତାରିଖ  ଉଦ୍‌ଘାଟନୀ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ୍‌ କୋଲକାତା ନାଇଟ୍‌ ରାଇଡର୍ସକୁ  ପରାଜିତ କରିଥିଲା। ଏହି ମ୍ୟାଚ୍‌ରେ  ବିରାଟ କୋହଲି (୫୯), ଫିଲ୍‌ ସଲ୍ଟ  (୫୬) ଅର୍ଦ୍ଧଶତକ ଅର୍ଜନ କରିଥିବାବେଳେ  ଅଧିନାୟକ ରଜତ ପାତିଦାର ଦର୍ଶନୀୟ ସଟ୍‌ମାନ ଖେଳିଥିଲେ । ବୋଲିଂରେ କୃନାଲ  ପାଣ୍ଡ୍ୟା (୩ୱିକେଟ୍‌) ଓ ପେସ୍‌ ବୋଲର  ଜୋସ ହାଜେଲଉଡ୍‌ (୨ୱିକେଟ୍‌) ଘାତକ ସାବ୍ୟସ୍ତ ହୋଇଥିଲେ । 

ଚିପକ୍‌ ପିଚ୍‌  ସ୍ପିନରଙ୍କୁ ସୁହାଉଥିବାରୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ଆଜି ମୋହିତ ରାଠୀ ଏବଂ ସ୍ୱପ୍ନିଲ  ସିଂହଙ୍କ ମଧ୍ୟରୁ ଜଣଙ୍କୁ ଖେଳାଇବା ଆଶା କରାଯାଉଛି । ସେହିପରି ଆହତ ହେବା  ଯୋଗୁ ପ୍ରଥମ ମ୍ୟାଚ୍‌ ଖେଳି ନଥିବା ଅଭିଜ୍ଞ  ପେସ୍‌ ବୋଲର ଭୁବନେଶ୍ୱର କୁମାର ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.