ନୂଆଦିଲ୍ଲୀ: ୟୁଟ୍ୟୁବରେ ଆପତ୍ତିଜନକ କଣ୍ଟେଣ୍ଟ ରୋକିବା ପାଇଁ ଗାଇଡ୍ଲାଇନର ଆବଶ୍ୟକତା ପକ୍ଷରେ ସୁପ୍ରିମକୋର୍ଟ ମଙ୍ଗଳବାର ଜୋର ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, 'କିଛି ଗୋଟେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି, ଅନଲାଇନ୍ ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ନିୟମର ଅଭାବ ଯୋଗୁ ୟୁଟ୍ୟୁବର୍ସ ଏହାର ଅପବ୍ୟବହାର କରୁଛନ୍ତି ।'
ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ଦ୍ୱାରା ଦାଖଲ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ଟିପ୍ପଣୀ କରିଛନ୍ତି । ସମୟ ରୈନାଙ୍କ ଶୋ ଇଣ୍ଡିଆସ୍ ଗଟ୍ ଲାଟେଣ୍ଟରେ ଦେଇଥିବା ମନ୍ତବ୍ୟ ଉପରେ ତାଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଏଫ୍ଆଇଆର୍ ରୁଜୁ ହୋଇଛି । ଏହି ସବୁ ଏଫ୍ଆଇଆର୍କୁ ଏକାଠି କରିବା ପାଇଁ ରଣବୀର ଆଲ୍ଲାବାଦିଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଏନ୍. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ଏ ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ ୟୁଟ୍ୟୁବରେ ଅନଲାଇନ୍ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଯଦି କିଛି ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି, ତେବେ ଏଥିରେ ଖଣ୍ଡପୀଠ ଅଧିକ ଖୁସି ହେବେ । ଅନ୍ଲାଇନ୍ ପ୍ଲାଟଫର୍ମରେ ଅଶ୍ଲୀଳ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବାରେ ଥିବା ଶୂନ୍ୟସ୍ଥାନକୁ ମୁକାବିଲା କରିବାରେ ସହଯୋଗ କରିବା ପାଇଁ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟିରମଣୀ ଏବଂ ଏସଜି ତୁଷାର ମେହେତାଙ୍କୁ ଖଣ୍ଡପୀଠ କହିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣିରେ ଏଜି ଏବଂ ଏସଜିଙ୍କୁ କୋର୍ଟରେ ଉପସ୍ଥିତ ରହିବା ପାଇଁ ଖଣ୍ଡପୀଠ କହିଛନ୍ତି ।
Also Read: ‘ମନ୍ଦ ବୁଦ୍ଧି, ମସ୍ତିଷ୍କରେ କୁତ୍ସିତତା ଭରି ରହିଛି...ଏଭଳି ବ୍ୟକ୍ତିଙ୍କୁ କିଭଳି ଶୁଣିବୁ’: ସୁପ୍ରିମକୋର୍ଟ
ଆଜିର ଶୁଣାଣି ବେଳେ ସୁପ୍ରିମକୋର୍ଟ ଆବେଦନକାରୀ ରଣବୀର ଆହ୍ଲାବାଦିଆଙ୍କ ବୟାନକୁ କଡ଼ା ଶବ୍ଦରେ ଭର୍ତ୍ସନା କରିଥିଲେ । ଏହାସହ ବୟାନକୁ ତାଙ୍କର ବିକୃତ ମାନସକିତା ବୋଲି କହିଥିଲେ । ଇଣ୍ଡିଆସ୍ ଗଟ୍ ଲାଟେଣ୍ଟ ମାମଲାରେ ଆହ୍ଲାବାଦିଆଙ୍କ ବିରୋଧରେ ଅନ୍ୟ କୌଣସି ନୂତନ ମାମଲା ପଞ୍ଜୀକୃତ ନକରିବା ପାଇଁ କହିଥିଲେ । ମାମଲାର ଶୁଣାଣି ବେଳେ କୋର୍ଟ ନିର୍ଦ୍ଦେଶ ଦେଇ କହିଥିଲେ ଯେ ବିନା ଅନୁମତିରେ ଦେଶ ଛାଡ଼ିପାରିବେ ନାହିଁ ଏବଂ ପାସପୋର୍ଟକୁ ଥାଣେ ପୋଲିସ ଷ୍ଟେସନରେ ଦାଖଲ କରିବେ ।