ନୂଆଦିଲ୍ଲୀ ୧୨।୨: ଟେଲିକମ ରେଗୁଲେଟର ‘ଟ୍ରାଇ’ ଦେଶର ୧୨୦କୋଟିରୁ ଅଧିକ ମୋବାଇଲ ୟୁଜରଙ୍କ ହୀତରେ ନୂଆ ନିୟମ ଜାରି କରିଛନ୍ତି। ଯାହାଦ୍ୱାରା ଆପଣଙ୍କ ମୋବାଇଲ ଅନୁଭବ ଆହୁରି ସହଜ, ଶସ୍ତା ଓ ସୁବିଧାଜନକ ହୋଇପାରିବ। ଆସନ୍ତୁ ବିସ୍ତାରରେ ବୁଝନ୍ତୁଏହି ପରିବର୍ତ୍ତନ ଆପଣଙ୍କ ପାଇଁ କ’ଣ ନୂଆ ନେଇ ଆସିଛି।
ଟ୍ରାଇଙ୍କ ନୂଆ ନିୟମର ମୁଖ୍ୟ ବିଶେଷତା
ଏବେ ଟୁ-ଜି ଫିଚର ଫୋନ ୟୁଜରଙ୍କ ଲାଗି ଭଏସ ଓ ଏସଏମଏସ ସେବା ବ୍ୟବହାର କରିବା ପାଇଁ ବିଶେଷ ଟାରିଫ ଭାଉଚର (ଏସଟିଭି) ଅନିବାର୍ଯ୍ୟ କରାଯାଇଛି। ଏହି ପଦକ୍ଷେପ ବିଶେଷ କରି ଗ୍ରାମୀଣ ଅଞ୍ଚଳ, ବୟଷ୍କ ଓ ସେହି ୟୁଜରଙ୍କ ନିମନ୍ତେ ଲାଭଦାୟକ ଯେଉଁମାନେ କେବଳ ଭଏସ ଓ ଏସଏମଏ ସେବା ଆବଶ୍ୟକ କରୁଛନ୍ତି। ଏବେ ଏସଟିଭି ଭାଉଚରର ଭେଲିଡିଟି ୯୦ ଦିନରୁ ବଢାଇ ୩୬୫ ଦିନ କରିଦିଆଯାଇଛି। ଏହା ଦ୍ୱାରା ୟୁଜରଙ୍କୁ ବାରମ୍ବାର ରିଚାର୍ଜ କରିବାକୁ ପଡିବ ନାହିଁ ଓ ସେମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ଲାନର ଲାଭ ମିଳିବ।
କଲର କୋଡିଂ ସମାପ୍ତ
ଅନଲାଇନ ରିଚାର୍ଜର ବଢୁଥିବା ଲୋକପ୍ରୀୟତାକୁ ନଜରରେ ରଖି ଫିଜିକାଲ ଭାଉଚରରେ ବ୍ୟବହାର ହେଉଥିବା କଲର କୋଡିଂକୁ ସମାପ୍ତ କରିଦିଆଯାଇଛି। ଏବେ ଅଲଗା ଅଲଗା କ୍ୟାଟଗରୀର ରିଚାର୍ଜ ପାଇଁ ଅଲଗା ଅଲଗା କଲର କୋଡିଂର ଆବଶ୍ୟକତା ପଡିବ ନାହିଁ। ଏଣୁ ପ୍ରକ୍ରିୟା ଆହୁରି ସରଳ ହୋଇଯିବ।
୧୦ଟଙ୍କାର ଟପଅପ ଭାଉଚରରେ ପରିବର୍ତ୍ତନ
୧୦ଟଙ୍କାର ଟପଅପ ଭାଉଚର ବାଧ୍ୟତାମୂଳକ କରାଯାଇଛି, କିନ୍ତୁ ଏହା ସହିତ ଟେଲିକମ କମ୍ପାନୀମାନଙ୍କୁ ଅନ୍ୟ ମୂଲ୍ୟବର୍ଗର ଟପ ଅପ ଭାଉଚର ଜାରି କରିବାକୁ ଅନୁମତି ମଧ୍ୟ ଦିଆଯାଇଛି। ଏହା ଦ୍ୱାରା କମ୍ପାନୀମାନେ ୟୁଜରଙ୍କ ଲାଗି ଆହୁରି ବି ବିକଳ୍ପ ପ୍ରଦାନ କରିପାରିବେ।
ୟୁଜରଙ୍କୁ କିପରି ମିଳିବ ଲାଭ?
ଜୁଲାଇରେ ଘରୋଇ ଟେଲିକମ କମ୍ପାନୀ ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ ଦୁଇଟି ସିମ୍ କାର୍ଡ ଓ ଫିଚର ଫୋନ ୟୁଜରଙ୍କୁ ସମସ୍ୟା ହୋଇଥିଲା। ଟ୍ରାଇଙ୍କ ଏହି ନୂଆ ନିଷ୍ପତ୍ତିରେ ଏବେ କେବଳ ଭଏସ ଓ ଏସଏମଏସ ସେବା ଉପଯୋଗ କରୁଥିବା ୟୁଜର୍ସଙ୍କ ନିମନ୍ତେ ଲାଭଦାୟକ ରିଚାର୍ଜ ପ୍ଲାନ ଉପଲବ୍ଧ ହେବ। ନୂଆ ନିୟମ ଅନୁସାରେ ଟେଲିକମ କମ୍ପାନୀ ବିଭିନ୍ନ ମୂଲ୍ୟବର୍ଗର ଟପ ଅପ ଭାଉଚର ଉପସ୍ଥାପନ କରିପାରିବେ। ଫଳରେ ୟୁଜରଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଭଲ ବିକଳ୍ପ ମିଳି ପାରିବ।