ଫୁଲବାଣୀ: ଅଜଣା ଦୁବୃର୍ତ୍ତଙ୍କ ଛୁରାମାଡ଼ରେ ଗୁରୁତର ହେଲେ ଦୁଇ ଯୁବକ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ କରାଗଲା ଭର୍ତ୍ତି। ଘଟଣା ଘଟିଛି ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଫୁଲବାଣୀ ଭେଟଖୁଲ ଘାଟି ହନୁମାନ ମନ୍ଦିର ପଛପାଖ ପାଣ୍ଡୁଲି ସାହି ନିକଟରେ ।
ତେବେ କେଉଁ କାରଣରୁ ଆକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇନଥିବାବେଳେ, ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ତିନିଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଥିବା ବେଳେ ଛୁରାମାଡ଼ରେ ଗୁରୁତର ଆହତ ଦୁଇ ବ୍ୟକ୍ତିଙ୍କ ନାମ ସଞ୍ଜୟ ପ୍ରଧାନ ଏବଂ ରାଜା ମହାନନ୍ଦିଆ ବୋଲି ସୂଚନା ମିଳିଛି l
ସେପଟେ ସ୍ଥାନୀୟ ଅଞ୍ଚଳ ନିକଟରେ ଅନ୍ୟ କିଛି ପଦ୍ୟପଙ୍କ ଆକ୍ରମଣରେ ମଧ୍ୟ ଦୁଇଜଣ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଥିବା ଜଣାପଡ଼ିଛି। ସେମାନଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ନିଜର ପରିବାର ଲୋକଙ୍କ ସହ ଯାଉଥିବା ବେଳେ ମଦ୍ୟପମାନେ ସେମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଆଉ ବ୍ୟକ୍ତି ଜଣଙ୍କ ପ୍ରତିବାଦ କରିବାରୁ ତାଙ୍କୁ ନିସ୍ତୁକ ମାଡ଼ମାରି ମୁଣ୍ଡ ଫଟାଇ ଦେଇଥିଲେ। ଏମିତିରେ ଘଟଣାକୁ ନେଇ ପୋଲିସ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ।