ଲଣ୍ଡନ ୯।୪: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବ୍ରିଟେନରେ ତାଗଡା ଝଟକା ଲାଗିଛି। ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ) ନେତୃତ୍ୱରେ ଭାରତୀୟ ବ୍ୟାଙ୍କମାନଙ୍କ କନସୋର୍ଟିୟମ ବିଜୟ ମାଲ୍ୟାଙ୍କ ବିପକ୍ଷରେ ବଡ଼ ଆଇନଗତ ବିଜୟ ହାସଲ କରିଛି। ଲଣ୍ଡନ ହାଇକୋର୍ଟ ଦେବାଳିଆ କାର୍ଯ୍ୟାନୁଷ୍ଠାନ ରୋକିବା ଲାଗି ବିଜୟ ମାଲ୍ୟା କରିଥିବା ଅପିଲକୁ ଖାରଜ କରିଦେଇଛନ୍ତି। ଅନ୍ୟପଟେ ଭାରତୀୟ ବ୍ୟାଙ୍କମାନଙ୍କ ପକ୍ଷରୁ ତାଙ୍କ ବିରୋଧରେ ରୁଜୁ ଦେବାଳିଆ ପିଟିସନକୁ ଉପଯୁକ୍ତ ବୋଲି କହିଛନ୍ତି।
ବିଜୟ ମାଲ୍ୟାଙ୍କ ୨ଟି ଅପିଲ ଖାରଜ
ଲଣ୍ଡନ ହାଇକୋର୍ଟଙ୍କ ବିଚାରପତି ଆନ୍ଥୋନୀ ମାନ ୬୯ ବର୍ଷ ବୟଷ୍କ ବିଜୟ ମାଲ୍ୟାଙ୍କ ୨ଟି ଅପିଲକୁ ଅଗ୍ରାହ୍ୟ କରି କହିଛନ୍ତି ଯେ ‘ବ୍ୟାଙ୍କମାନଙ୍କ ତର୍କ ମଜଭୁତ, ଯାହାକୁ ଅସ୍ୱୀକାର କରାଯାଇ ପାରିବନି’। କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଦେବାଳିଆ ଆଦେଶ ଯଥାବତ ରହିବ ଓ ବ୍ୟାଙ୍କମାନଙ୍କ କାର୍ଯ୍ୟାନୁଷ୍ଠାନ ବୈଧ ଥିଲା।
ବ୍ୟାଙ୍କମାନଙ୍କୁ ମିଳିଲା ୧.୧୨ ବିଲିୟନ ପାଉଣ୍ଡର ସମର୍ଥନ
ବ୍ୟାଙ୍କମାନଙ୍କ ପ୍ରତିନିଧିତ୍ୱ କରୁଥିବା ଆଇନ ଫାର୍ମ ଟିଏଲଟି ଏଲଏଲପି ଅନୁସାରେ କୋର୍ଟଙ୍କ ଏହି ନିଷ୍ପତ୍ତି ଏହା ସ୍ପଷ୍ଟ କରୁଛି ଯେ ବ୍ୟାଙ୍କମାନଙ୍କ ନିକଟରେ ବିଜୟ ମାଲ୍ୟାଙ୍କ ସମ୍ପତ୍ତିର କୌଣସି ସୁରକ୍ଷା ନଥିଲା। ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଦ୍ୱାରା ଜବତ ସମ୍ପତ୍ତି ମଧ୍ୟ ତାଙ୍କୁ ଋଣରୁ ମୁକ୍ତ କରିପାରିବନି। ଏହା ପୂର୍ବରୁ ୨୦୧୭ ମସିହାରେ ଭାରତର ଋଣ ଅସୁଲୀ ନ୍ୟାୟାଧୀକରଣ (ଡିଆରଟି) ତାଙ୍କଠାରୁ ୧.୧୨ ବିଲିୟନ ପାଉଣ୍ଡ ଅସୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ମାଲ୍ୟାଙ୍କ ଗ୍ୟାରେଣ୍ଟି ଓ କିଙ୍ଗଫିସର କନେକ୍ସନ
ଏହି ମାମଲା ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ ସହିତ ସମ୍ପୃକ୍ତ, ଯାହାକୁ ଏବେ ବନ୍ଦ କରିଦିଆଯାଇଛି। ମାଲ୍ୟା ବ୍ୟାଙ୍କରୁ ନେଇଥିବା ଋଣ ପାଇଁ ବ୍ୟକ୍ତିଗତ ଗ୍ୟାରେଣ୍ଟି ଦେଇଥିଲେ। ଭାରତୀୟ ବ୍ୟାଙ୍କମାନେ ୨୦୧୭ ମସିହାରେ ବ୍ରିଟେନ କୋର୍ଟରେ ମକଦ୍ଦମା ଦାୟର କରିଥିଲେ ଓ ୨୦୧୮ରେ ଦେବାଳିଆ ପିଟିସନ ମଧ୍ୟ ରୁଜୁ କରାଯାଇଥିଲା।