ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘରେ ଆଗତ କରାଯାଇଥିବା ଏକ ପ୍ରସ୍ତାବରେ ଆମେରିକା ଓ ରୁଷ ଏକ ହୋଇଛନ୍ତି । ଗତ ତିନି ବର୍ଷରେ ପ୍ରଥମଥର ପାଇଁ ୟୁକ୍ରେନ ଦ୍ୱାରା ଜାତିସଂଘରେ ଉପସ୍ଥାପନ କରାଯାଇଥିବା କୌଣସି ପ୍ରସ୍ତାବକୁ ଆମେରିକା ରୋକିବା ପାଇଁ ଉଦ୍ୟମ କରିଛି । ଏହି ପ୍ରସ୍ତାବରେ ୟୁକ୍ରେନ ବିରୋଧୀ ଯୁଦ୍ଧରେ ସୈନ୍ୟ ଅପସାରଣ, ଶତ୍ରୁତା ଶେଷ କରିବା ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦାବି କରାଯାଇଥିଲା । ୟୁରୋପୀୟ ଦେଶ ଏବଂ ଜି-୭ (ଆମେରିକାକୁ ଛାଡ଼ି) ଏହି ପ୍ରସ୍ତାବ ସପକ୍ଷରେ ମତଦାନ କରିଥିଲେ, ଫଳରେ ଏହା ପାରିତ ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ ଭାରତ ଓ ଚୀନ ଏହି ମତଦାନରେ ଭାଗ ନେଇନଥିଲେ । ତେବେ ଆମେରିକାର ଭୋଟିଂ ସାରା ଦୁନିଆକୁ ଚକିତ କରାଇଛି ।
ପ୍ରସ୍ତାବ ପାରିତ ହେବା ପରେ ଜାତିସଂଘ ମହାସଭା ଏହାକୁ ନିଜର ମଞ୍ଜୁରୀ ଦେଇଛି । ଏଥିରେ ରୁଷ ଆକ୍ରମଣର ୩ ବର୍ଷ ପୂର୍ତ୍ତିରେ ୟୁକ୍ରେନରୁ ସମସ୍ତ ସୈନିକଙ୍କୁ ତତ୍କାଳ ଫେରାଇ ନେବା ପାଇଁ ଦାବି କରାଯାଇଛି । ୧୯୩ ସଦସ୍ୟ ବିଶିଷ୍ଟ ଏହି ବୈଶ୍ୱିକ ସଂଘର ୧୮ ଦେଶ ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିଲେ । ଆମେରିକା, ଇସ୍ରାଏଲ୍ ଓ ହଙ୍ଗେରୀ ପରି ଦେଶ ପ୍ରସ୍ତାବ ବିରୋଧରେ ଭୋଟିଂ କରିଥିଲେ । ଭୋଟିଂରେ ପ୍ରାୟ ୬୫ ଦେଶ ସାମିଲ ହୋଇନଥିଲେ । ତେବେ ଏହି ପ୍ରସ୍ତାବ ୯୩ ଭୋଟ ପାଇ ପାରିତ ହୋଇଛି ।
ଆମେରିକା ଓ ରୁଷ ମଧ୍ୟରେ ଏହି ଆଶ୍ଚର୍ଯ୍ୟଜନକ ସମର୍ଥନ ଏପରି ସମୟରେ ସାମନାକୁ ଆସିଛି, ଯେତେବେଳେ ଟ୍ରମ୍ପ ପ୍ରଶାସନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସମାଲୋଚନା କରିବା ସହ ଶାନ୍ତି ବାର୍ତ୍ତାଠାରୁ ତାଙ୍କୁ ଦୂରେଇ ରଖିଛନ୍ତି । ଆମେରିକା ପକ୍ଷରୁ ବି ୟୁଏନରେ ଏକ ପ୍ରସ୍ତାବ ଉପସ୍ଥାପନ କରଯାଇଛି । ଏଥିରେ ରୁଷର ନାଁ ଉଲ୍ଲେଖ ନାହିଁ ଓ କ୍ରେମଲିନକୁ ଆକ୍ରାମକ ବୋଲି ମଧ୍ୟ କୁହାଯାଇନାହିଁ । ଅନ୍ୟପଟେ ୟୁକ୍ରେନର କ୍ଷେତ୍ରୀୟ ଅଖଣ୍ଡତାକୁ ସ୍ୱୀକାର କରାଯାଇନାହିଁ ।