ଟ୍ରାଫିକ୍‌ ଜାମରୁ ମିଳିବ ମୁକ୍ତି; ଆସିଲା ଉଡ଼ନ୍ତା କାର, ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ ?

Published By : Prameya-News7 Bureau | February 24, 2025 IST

ନୂଆଦିଲ୍ଲୀ ୨୪।୦୨: ବର୍ତ୍ତମାନ ଦେଶର ସବୁଠୁ ବଡ ସମସ୍ୟା ହେଉଛି ଟ୍ରାଫିକ ଜାମ୍‌ । ଖରା ବର୍ଷାରେ ଟ୍ରାଫିକ୍‌ ସିଗନାଲ୍‌ରେ ଘଣ୍ଟା ଘଣ୍ଟା ଧରି ଛିଡା ହେଉଛନ୍ତି ଲୋକେ । ଏହା ଯେ କେବଳ ଭାରତରେ ତା ନୁହେଁ, ବିଦେଶରେ ମଧ୍ୟ ପାଲଟିଛି ମୁଣ୍ଡ ବିନ୍ଧାର କାରଣ । ଟ୍ରାଫିକ୍‌ ସମସ୍ୟାକୁ ଏଡାଇବାକୁ ଅନେକ ପ୍ରୟାସ କରାଯାଉଛି । କିନ୍ତୁ ଏଥିରେ ମିଳୁନି କୌଣସି ସୁଫଳ । ତେବେ ଥରେ ଚିନ୍ତା କରନ୍ତୁ ଆପଣ ଟ୍ରାଫିକ ଜାମ୍‌ରେ ଫସି ଯାଇଛନ୍ତି ଏବଂ ଆପଣଙ୍କ ପାଖରେ ଏକ ଉଡ଼ନ୍ତା ଗାଡ଼ି ଅଛି, ଆଉ ଏହି ଗାଡି ଆପଣଙ୍କୁ ଜାମ୍‌ରୁ ବାହାର କରିପାରିବ । 

ଏକଥା ଭାବିଲେ ସ୍ବପ୍ନ ପରି ଲାଗୁଥାଇ ପାରେ, ହେଲେ ଏହି ସ୍ବପ୍ନ ଏବେ ପୂରଣ ହୋଇପାରିବ । କାରଣ ଆସିଯାଇଛି ଆକାଶରେ ଉଡୁଥିବା କାର । ଯାହାର ଭିଡିଓ ସୋଶିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଏଥିରେ ଦେଖିବାକୁ ମିଳୁଛି କି କାର୍‌ଟି ରାସ୍ତାରେ ଟେକ୍‌ଅପ୍‌ ନେଉଛି । ଉପରକୁ ଉଠି ଉଡିବାକୁ ଲାଗୁଛି । ଏହାପରେ ରାସ୍ତାର କିଛି ଦୂରରେ ଛିଡା ହୋଇଥିବା ଗାଡିର ଉପରେ ଉଡୁଛି । ଏହାକୁ ପାର୍‌ କରିବା ପରେ ରାସ୍ତାରେ ଲ୍ୟାଣ୍ଡ କରୁଛି ଏହି କଳା ରଙ୍ଗର କାରଟି । 

ତେବେ ଏହି କାରଟିକୁ ଆମେରିକୀୟ ଅଟୋ କମ୍ପାନୀ ଉଦ୍ଭାବନ କରିଛି। କାଲିଫର୍ନିଆରେ ନିର୍ମିତ କାର୍‌ଟି ହେଉଛି ଏକ ଇଲେକ୍ଟ୍ରିକ କାର୍‌ । ଆମେରିକୀୟ କମ୍ପାନୀ ଆଲେଫ ଏରୋନଟିକ୍ସ ଆକାଶରେ ଉଡ଼ୁଥିବା କାରର ଭିଡିଓ ଜାରି କରିଛି । ଯାହା ଏକ ବିଜ୍ଞାନ-କଳ୍ପନା ଫିଲ୍ମ ପରି ଦେଖାଯାଉଛି । କାଲିଫର୍ନିଆର ଏହି କାର୍‌ ନିର୍ମାତା ଏହାର ଇଲେକ୍ଟ୍ରିକ କାର୍‌ ରାସ୍ତାରେ ଅନ୍ୟ ଏକ କାର୍‌ ଉପରେ ଡେଇଁବାର ଫୁଟେଜ ଜାରି କରିଛି । 

ଏହାକୁ କାର୍‌ ଚଲାଇବା ଏବଂ ଭର୍ଟିକାଲ ଟେକ୍‌ ଅପ୍‌ କରିବାର ପ୍ରଥମ ପରୀକ୍ଷଣ ବୋଲି କୁହାଯାଉଛି । ଏହି ପରୀକ୍ଷାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଲୋକମାନେ ଏହାକୁ କିଣିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ରିପୋର୍ଟ ଅନୁଯାୟୀ, କମ୍ପାନୀ ପରୀକ୍ଷଣ ପାଇଁ ଏକ ପ୍ରୋଟୋଟାଇପ୍‌ ବ୍ୟବହାର କରିଥିଲା, ଯାହା ଆଲେଫ ମଡେଲ ଜିରୋର ଏକ ଅଲ୍ଟ୍ରାଲାଇଟ ସଂସ୍କରଣ ଥିଲା।

କାରଟି ଏପର୍ଯ୍ୟନ୍ତ ବଜାରରେ ଲଞ୍ଚ ହୋଇନି । କିନ୍ତୁ ଏହାର ଦାମ୍‌କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଆଲେଫ ଆରୋନୋୱିଜଙ୍କ ଅନୁଯାୟୀ ଏହାର ଦାମ୍‌ ପ୍ରାୟ ଅଢେଇ କୋଟି ଟଙ୍କା ହେବ । ଏହା ସାଧାରଣ କାର ପରି ରାସ୍ତାରେ ଚାଲିପାରିବ। ତେଣୁ ଏଥିପାଇଁ ଲୋକମାନେ ଏହାକୁ କିଣିବାକୁ ଏବେଠୁ ଆଗ୍ରହ ଦେଖେଇଲେଣି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.