ରୁଷର ‘ଏରିୟଲ୍ ଟେରର’ରେ ଦୋହଲିଲା ୟୁକ୍ରେନ, ୧୩ ସହର ଉପରେ ଏକକାଳୀନ ମାଡ଼ କଲା ୨୬୭ ଡ୍ରୋନ୍

Published By : Prameya-News7 Bureau | February 23, 2025 IST

ନୂଆଦିଲ୍ଲୀ: ୨୦୨୨ ଫେବ୍ରୁଆରୀ ୨୪ରେ ଆରମ୍ଭ ହୋଇଥିବା ୟୁକ୍ରେନ ଯୁଦ୍ଧକୁ ସୋମବାର ତିନି ବର୍ଷ ପୂରଣ ହେବ । ତେବେ ଏହା ପୂର୍ବ ରାତିରେ ୟୁକ୍ରେନ ଉପରେ ଆକାଶ ମାର୍ଗରୁ ନିଆଁ ବର୍ଷା କରିଛି ରୁଷ । ୟୁକ୍ରେନ ଅଧିକାରୀଙ୍କ ଅନୁଯାୟୀ, ରୁଷ ଏକକାଳୀନ ୨୬୭ ଡ୍ରୋନ୍ ଆକ୍ରମଣ କରିଛି । ରୁଷ ଦ୍ୱାରା ଏହି ଡ୍ରୋନ୍ ଆକ୍ରମଣ ୟୁକ୍ରେନର ୧୩ଟି ସହରରେ କରାଯାଇଛି । ଖାରକିଭ୍, ପୋଲଟାଭା, ସୁମି, କିଭ୍, ଚେର୍ନିହିଭ, ମିକୋଲେଭ ଓ ଓଡେସା ସାମିଲ ରହିଛି । ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ସାଉଦି ଆରବରେ ଆମେରିକା ଓ ରୁଷ ମଧ୍ୟରେ ୟୁକ୍ରେନରେ ଶାନ୍ତି ନେଇ ଆଲୋଚନା ଚାଲିଛି । ତେବେ ଆର୍ଯ୍ୟଜନକ କଥା ହେଉଛି ଯେ ୟୁକ୍ରେନକୁ ଏହି ଆଲୋଚନାରୁ ଦୂରରେ ରଖାଯାଇଛି ।

ୟୁକ୍ରେନ ବାୟୁସେନାର ମୁଖପାତ୍ର ୟୁରି ଇଗନାତ କହିଛନ୍ତି ଯେ ରୁଷ ଏକକାଳୀନ ରେକର୍ଡ ସଂଖ୍ୟକ ୨୬୭ ଡ୍ରୋନ ଆକ୍ରମଣ କରିଛି । ଏଥିରୁ ପ୍ରାୟ ୧୩୮ଟି ଡ୍ରୋନକୁ ଇଣ୍ଟରସେପ୍ଟ କରାଯାଇଛି, ଅନ୍ୟପଟେ ୧୧୯ଟି ଡ୍ରୋନକୁ ଜାମ୍ କରାଯାଇଛି । ଏହି ଆକ୍ରମଣରେ କୌଣସି ପ୍ରକାର କ୍ଷତି ହୋଇନାହିଁ । ରୁଷ ଏହି ଆକ୍ରମଣରେ ତିନି ବାଲିଷ୍ଟିକ୍ ମିସାଇଲ୍ ମଧ୍ୟ ମାଡ଼ କରିଛି । ଏହି କାରଣରୁ ୟୁକ୍ରେନର ପାଞ୍ଚ ସହରରେ କ୍ଷତି ପହଞ୍ଚିଥିବା ସୂଚନା ମିଳିଛି ।

ୟୁକ୍ରେନ ବୈଦେଶିକ ମନ୍ତ୍ରଣାଳୟ ରୁଷ ଆକ୍ରମଣ ବେଳର ଏକ ଭିଡିଓ ସେୟାର କରିଛି । ଏଥିରେ ୟୁକ୍ରେନ ବାୟୁ ପ୍ରତିରକ୍ଷା ପ୍ରଣାଳୀ ରୁଷ ଡ୍ରୋନକୁ ନଷ୍ଟ କରୁଥିବା ଦେଖିବାକୁ ମିଳୁଛି । ରୁଷ ଦ୍ୱାରା ଡ୍ରୋନ ଆକ୍ରମଣର ଏକ ପ୍ରମୁଖ ଉଦ୍ଦେଶ୍ୟ ଏହା ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ବାରମ୍ୱାର ପ୍ରୟୋଗକୁ ଆଣି ଦୁର୍ବଳ କରିବା । ଏହା ପୂର୍ବରୁ ଶନିବାର ରାତିରେ ରୁଷ କରିଥିବା ଏକ ଆକ୍ରମଣରେ ଜଣେ ୟୁକ୍ରେନୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ । ଏହି ଆକ୍ରମଣ ୟୁକ୍ରେନର କେନ୍ଦ୍ରୀୟ ସହର କ୍ରିଭି ରିହ ଉପରେ ହୋଇଥିଲେ ।

ୟୁକ୍ରେନ ରାଷ୍ଟ୍ରପତି ଭଲୋଡିମିର ଜେଲେନସ୍କି ରବିବାର କହିଛନ୍ତି ଯେ ରୁଷ ପଟୁ ୨୦୦ରୁ ଅଧିକ ଡ୍ରୋନ୍ ଲଞ୍ଚ କରାଯାଇଛି, ଯାହା ଆଜି ଯାଏର ସବୁଠୁ ବଡ଼ ଆକ୍ରମଣ । ସେ ରୁଷ 'ଏରିୟଲ୍ ଟେରର'କୁ ନିନ୍ଦା କରିଛନ୍ତି ଏବଂ ମିତ୍ରରାଷ୍ଟ୍ରଙ୍କୁ ଏକଜୁଟ୍ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଜେଲେନସ୍କି ଏକ୍ସରେ ଲେଖିଛନ୍ତି, 'ଆମ ଲୋକ ପ୍ରତିଦିନ ଏରିୟଲ୍ ଟେରର୍ ବିରୋଧରେ ଲଢୁଛନ୍ତି । ଯୁଦ୍ଧର ତୃତୀୟ ବର୍ଷ ପୂର୍ବରୁ ରୁଷ ୨୬୭ ଡ୍ରୋନ୍ କରିଛି –ଯାହା ଆଜି ଯାଏର ସବୁଠୁ ବଡ଼ ଆକ୍ରମଣ । ସେ ଆହୁରି କହିଛନ୍ତି ଯେ ଗତ ସପ୍ତାହରେ ରୁଷ ୧୧୫୦ ଡ୍ରୋନ୍, ୧୪୦୦ରୁ ଅଧିକ ଏରିୟଲ୍ ବୋମା ଏବଂ ୩୫ କ୍ଷେପଣାସ୍ତ୍ର ୟୁକ୍ରେନ ଉପରେ ମାଡ଼ କରିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.