କାଠମାଣ୍ଡୁ ୨୩।୨: ପୂର୍ବ ନେପାଳର ତାପଲେଜଙ୍ଗ ଜିଲ୍ଲା ପାଥିଭରା ଅଞ୍ଚଳରେ ପ୍ରସ୍ତାବିତ କେବୁଲ କାର ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କ ସହ ପୋଲିସର ସଂଘର୍ଷ ହୋଇଛି। ଫଳରେ ୧୨ ଜଣ ସୁରକ୍ଷା କର୍ମୀଙ୍କ ସମେତ ମୋଟ ୨୪ ଜଣ ଆହତ ହୋଇଛନ୍ତି। ‘ନୋ କେବୁଲ କାର’ ସମୂହ ପାଥିଭରାରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ବିରୋଧ କରୁଛି। ସମୂହର କହିବା କଥା ହେଉଛି ଏହି ପ୍ରକଳ୍ପ ଦ୍ୱାରା କ୍ଷେତ୍ରର ଐତିହାସିକ ପରିଚୟ ନଷ୍ଟ ହୋଇଯିବ।
ଅଧିକାରୀମାନେ କହିଛନ୍ତି ଯେ ଫୁଙ୍ଗଲିଙ୍ଗରେ ବିରୋଧ ପ୍ରଦର୍ଶନ କାଳରେ ସୁରକ୍ଷା କର୍ମୀ ଓ ପ୍ରଦର୍ଶନକାରୀ ମୁହାଁ ମୁହିଁ ହୋଇଥିଲେ। ଏହି ସଂଘର୍ଷରେ ୧୨ ଜଣ ସୁରକ୍ଷା କର୍ମୀଙ୍କ ସମେତ ମୋଟ ୨୪ ଜଣ ଆହତ ହୋଇଛନ୍ତି। ଅପରପଟେ ହିଂସାରେ ଭାଗ ନେଇଥିବା କାରଣରୁ ପୋଲିସ ୧୫ ଜଣଙ୍କୁ ଗିରଫ କରିଛି। ଏହି ସଂଘର୍ଷ ପରେ ରବିବାର ସକାଳୁ ତାପଲେଜଙ୍ଗ ଜିଲ୍ଲା ପ୍ରଶାସନ ଫୁଙ୍ଗଲିଙ୍ଗ ବଜାର ଓ ପାଥିଭରା ଅଞ୍ଚଳରେ ନିଷେଧାଜ୍ଞା ଜାରି କରିଛି।
ସେପଟେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ପ୍ରତିନିଧି ସଭାରେ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ରାଜେନ୍ଦ୍ର ଲିଙ୍ଗଡେନ ଓ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ତୋସିମା କାର୍କିଙ୍କ ସମେତ ବିରୋଧୀ ଦଳ ସାଂସଦ ମାନେ ସରକାରଙ୍କୁ ପାଥିଭରାରେ କେବୁଲ କାର ନିର୍ମାଣ ସମ୍ପର୍କିତ ପ୍ରକଳ୍ପକୁ ରୋକି ଦେବା ପାଇଁ ଅପିଲ କରିଛନ୍ତି। ତେବେ ଏ ନେଇ ସରକାର ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।