ମସ୍କଙ୍କ ‘ୱାର୍କ ରିପୋର୍ଟ’ ଆଦେଶ ଉପରେ ଆସିଲା କାସ ପଟେଲଙ୍କ ପ୍ରତିକ୍ରିୟା, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | February 23, 2025 IST

ନୂଆଦିଲ୍ଲୀ ୨୩।୨: ଟେକ୍ ବିଲେନିୟର ଏଲନ ମସ୍କ ନିକଟରେ ସଂଘୀୟ କର୍ମଚାରୀଙ୍କୁ ସେମାନଙ୍କ ୱିକ୍ଲି ୱାର୍କ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଆଦେଶରେ କହିଥିଲେ ଯେ ନିଜ ନିଯୁକ୍ତିକୁ ନିଜେ ପ୍ରମାଣିତ କରନ୍ତୁ। ଆଦେଶ ଅନୁସାରେ ଯଦି କେହି କର୍ମଚାରୀ ୱାର୍କ ରିପୋର୍ଟ ନ ଦିଅନ୍ତି ତାଙ୍କୁ ଚାକିରୀରୁ ବହିଷ୍କାର କରାଯାଇ ପାରେ। ମସ୍କଙ୍କ ଏହି ଆଦେଶକୁ ଟ୍ରମ୍ପ ପ୍ରଶାସନରେ ହିଁ ବିରୋଧ ଆରମ୍ଭ ହୋଇଗଲାଣି। ଏଲନ ମସ୍କଙ୍କ ଏହି ଆଦେଶକୁ କାସ ପଟେଲ ବିରୋଧ କରିଛନ୍ତି। 

ଡୋନାଲ୍ଡ ଟ୍ରମ୍ପ ନିକଟରେ କାସ ପଟେଲଙ୍କୁ ଏଫବିଆଇ ଡାଇରେକ୍ଟର ନିଯୁକ୍ତ କରିଛନ୍ତି। କାସ ଓ ମସ୍କଙ୍କ ମଧ୍ୟରେ ବିରୋଧାଭାସକୁ ଏବେ କ୍ଷମତା ସଂଘର୍ଷର ପ୍ରାରମ୍ଭିକ ପର୍ଯ୍ୟାୟ ବୋଲି କୁହାଯାଉଛି। ମସ୍କ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ)ରେ ସହ ଅଧ୍ୟକ୍ଷ ରୂପେ କାମ କରୁଛନ୍ତି। ସେ ସଂଘୀୟ କର୍ମଚାରୀଙ୍କୁ ଦେଇଥିବା ଆଦେଶକୁ ଏବେ ଦେଶରେ ନୂଆ ବ୍ୟବସ୍ଥା ରୂପେ ଦେଖାଯାଉଛି। ମସ୍କଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ସରକାରୀ କର୍ମଚାରୀଙ୍କୁ ପ୍ରତି ସପ୍ତାହରେ ସେମାନଙ୍କ ୱାର୍କ ରିପୋର୍ଟ ପ୍ରସ୍ତୁତ କରିବାକୁ ପଡିବ। 

ମସ୍କ ଭାବୁଛନ୍ତି ସଂଘୀୟ ଖର୍ଚ୍ଚ କାଟ ଓ ସରକାରୀ ନିଯୁକ୍ତି ହ୍ରାସ ଜରିଆରେ ପ୍ରଶାସନିକ ଖର୍ଚ୍ଚ ହ୍ରାସ କରାଯାଇ ପାରିବ, ଏଣୁ ପ୍ରୟାସକୁ ଆଗକୁ ନେଇଯିବା ଅତ୍ୟନ୍ତ ଜରୁରି। ଏଥିମଧ୍ୟରେ ଏଫବିଆଇ ଡାଇରେକ୍ଟର ରୂପେ ପଦ ଓ ଗୋପନୀୟତାର ଶପଥ ପାଠ କରିଥିବା କାସ ପଟେଲ କହିଛନ୍ତି ଯେ ଏଫବିଆଇ ନିଜର ସମସ୍ତ ସମୀକ୍ଷା ପ୍ରକ୍ରିୟାର ଦାୟିତ୍ୱ ନିଜେ ନିର୍ବାହ କରନ୍ତି। ଏନବିସି ରିପୋର୍ଟ ଅନୁସାରେ ପଟେଲ ତାଙ୍କ କର୍ମଚାରୀଙ୍କୁ ଇ-ମେଲରେ ଲେଖିଛନ୍ତି ଯେ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ମାଧ୍ୟମରେ ଏଫବିଆଇ ଆମର ସବୁ ସମୀକ୍ଷା ପ୍ରକ୍ରିୟାର ପ୍ରଭାରୀ ଓ ଏଫବିଆଇ ପ୍ରକ୍ରିୟା ଅନୁସାରେ ସମୀକ୍ଷା କରିବ। 

ଏଥିରେ ପଟେଲ କହିଛନ୍ତି ଯେ ଯଦି ପରବର୍ତ୍ତୀ ସୂଚନାର ଆବଶ୍ୟକତା ଅଛି ତେବେ ଆମେ ପ୍ରକ୍ରିୟାର ସମନ୍ୱୟ କରିବୁ। ବର୍ତ୍ତମାନ ଲାଗି ସମସ୍ତ ପ୍ରତିକ୍ରିୟା ରୋକା ଯାଉ। ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା ମସ୍କ ଶନିବାର କହିଥିଲେ ଯେ ସବୁ ସଂଘୀୟ କର୍ମଚାରୀଙ୍କୁ ନିଜ ନିଯୁକ୍ତି ପ୍ରମାଣିତ କରିବାକୁ ପଡିବ ନଚେତ ସେମାନଙ୍କୁ ଇସ୍ତଫା ଦେବାକୁ ପଡିବ। ମସ୍କ କହିଛନ୍ତି ଯେ ସବୁ ସଂଘୀୟ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ଇ-ମେଲ ମିଳିବ। ଏଥିରେ ସେମାନେ ଗତ ସପ୍ତାହରେ କଣ କାମ କରିଛନ୍ତି ପଚରା ଯିବ। ଜବାବ ଦେଇ ନପାରିଲେ ଇସ୍ତଫା ମଗାଯିବ। 

ଏଲନ ମସ୍କଙ୍କ ଏହି ଘୋଷଣା ପରେ ଆମେରିକାରେ ସଂଘୀୟ କର୍ମଚାରୀଙ୍କ ସମେତ ସେମାନଙ୍କ ସଙ୍ଗଠନରେ ବିରୋଧ ଦେଖା ଦେଇଛି। କିଛି ଆମେରିକୀୟ ସଂଘୀୟ କର୍ମଚାରୀ ଏହି ଆଦେଶକୁ କ୍ରୁର ବୋଲି ମଧ୍ୟ କହିଛନ୍ତି। ଆମେରିକାନ ଫେଡେରେସନ ଅଫ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲଇଜ (ଏଏଫଜିଇ)ର ଜାତୀୟ ଅଧ୍ୟକ୍ଷ ଏଭରେଟ କେଲୀ ମସ୍କଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହା ସେହି କର୍ମଚାରୀଙ୍କ ପାଇଁ ଅପମାନ ଯେଉଁମାନେ ସାର୍ବଜନିକ ସେବାରେ ନିଜ ଜୀବନ ସମର୍ପିତ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.