ନୂଆଦିଲ୍ଲୀ: ଆମେରିକା ବିମାନକୁ ମିଳିଲା ବୋମା ଧମକ। ଇ-ମେଲ ଯୋଗେ ଧମକ ମିଳିବା ପରେ ବିମାନର ଗତିପଥ ପରିବର୍ତ୍ତନ କରି ରୋମ୍କୁ ପଠାଇ ଦିଆଯାଇଛି। ରବିବାର ଆମେରିକାର ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଅଭିମୁଖେ ଆସୁଥିବା ଆମେରିକା ଏୟାରଲାଇନ୍ର ଏକ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲ ଯୋଗ ଧମକ ମିଳିଥିଲା। ଏହାପରେ ବିମାନକୁ ରୋମ୍କୁ ଡାଇଭର୍ଟ କରିଦିଆଯାଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବୋଇଂ ୭୮୭ ଡ୍ରିମଲାଇନର ଦ୍ୱାରା ପରିଚାଳିତ ଫ୍ଲାଇଟ୍ AA ୨୯୨ ଫେବୃଆରୀ ୨୨ ତାରିଖରେ ଜନ୍ ଏଫ୍ କେନେଡି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା। ତେବେ ବିପଦ ସଂକେତ ପାଇଁ ୟୁରୋପ ଫେରିବା ପୂର୍ବରୁ ବିମାନଟି କାସ୍ପିଅନ୍ ସାଗର ପାର ହୋଇ ସାରିଥିଲା।
ସତର୍କ ସୂଚନା ମିଳିବା ପରେ ଆମେରିକୀୟ କର୍ତ୍ତୃପକ୍ଷ ବିମାନଟିକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପାଇଁ ରୋମର ବିମାନବନ୍ଦରରେ ଅବତରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୋମା ଧମକ ମିଳିବା ପରେ ବିମାନଟି ଲିଓନାର୍ଡୋ ଡା ଭିଞ୍ଚି ରୋମ ଫିୟୁମିସିନୋ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିବା ଆମେରିକୀୟ ଅଧିକାରୀ ସୂଚନା ଦେଇଛନ୍ତି। ରୋମର ସୁରକ୍ଷା ଅଧିକାରୀଙ୍କ ଠାରୁ କ୍ଲିୟରାନ୍ସ ପାଇବା ପରେ ହିଁ ବିମାନଟି ଏହାର ମୂଳ ଗନ୍ତବ୍ୟସ୍ଥଳ ଦିଲ୍ଲୀକୁ ଯାତ୍ରା କରିବ ବୋଲି ସୂଚନା ମିଳିଛି। ପଢ଼ନ୍ତୁ- ‘ବିମାନ ନାହିଁ, ଯାତ୍ରୀ ନାହାନ୍ତି, ସୁବିଧା ନାହିଁ’: ପାକିସ୍ତାନର ନୂଆ ଏୟାରପୋର୍ଟକୁ ନେଇ ବଢୁଛି ସସ୍ପେନ୍ସ
ଘଟଣା ସମ୍ପର୍କରେ ଆମେରିକୀୟ ଏୟାରଲାଇନ୍ସ ଆନୁଷ୍ଠାନିକ ଭାବେ ଏକ ବିବୃତ୍ତି ଜାରି କରି ଘଟଣା ସ୍ପଷ୍ଟ କରିଛି। ଏୟାରଲାଇନ୍ସ କହିଛି "ନ୍ୟୁୟର୍କରୁ ଦିଲ୍ଲୀ ଯାଉଥିବା AA 292 ବିମାନଟି ସୁରକ୍ଷାରେ ବିପଦ ଆଶଙ୍କା ଯୋଗୁ ରୋମକୁ ସ୍ଥାନାନ୍ତରିତ କରାଯାଇଛି।" ତେବେ ପରିସ୍ଥିତିର ମୁକାବିଲା କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ରକ୍ଷା କାମ କରାଯାଉଛି ବୋଲି ଆମେରିକା ଏୟାରଲାଇନ୍ସ କହିଛି। ତେବେ ଘଟଣା ପରେ ଯାତ୍ରୀ ଏବଂ କ୍ରୁ ମଧ୍ୟରେ କୌଣସି ବିଶୃଙ୍ଖଳାର ଖବର ସାମ୍ନାକୁ ଆସି ନାହିଁ। ଏହି ଘଟଣାରେ ଥିବା ସମସ୍ତ ପ୍ରୋଟୋକଲର ପାଳନ କରାଯାଉଛି। ତେବେ ମିଳିଥିବା ବୋମା ଧମକ ଏହ ଗୁଜବ ହୋଇପାରେ ବୋଲି ଆମେରିକୀୟ ଅଧିକାରୀ ଅନୁମାନ କରିଛନ୍ତି।