ରୋମ ୨୪।୨: ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୋପ୍ ଫ୍ରାନସିସ୍ ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହେଉଛି। ଗତ ରାତିରେ ତାଙ୍କୁ ଭଲ ନିଦ ହୋଇଥିଲା, ସୋମବାର ସକାଳେ ସେ କିଛି ସମୟ ଆରାମ ମଧ୍ୟ କରିଛନ୍ତି। ଏହି ସୂଚନା ଭାଟିକାନ ସୂତ୍ରରୁ ଆସୁଛି। ପୋପ୍ ଫ୍ରାନସିସ୍ ଗତ ୧୦ ଦିନ ହେଲା ଜେମେଲୀ ହସ୍ପିଟାଲରେ ଆଡମିଟ ଅଛନ୍ତି। ସେ ଫୁସଫୁସ ସଂକ୍ରମଣ ଜନିତ ସମସ୍ୟାରେ ଆକ୍ରାନ୍ତ ଥିଲେ ଏବେ ତାଙ୍କ କିଡନୀ ଖରାପ ହେଉଥିବାର ପ୍ରାରମ୍ଭିକ ଲକ୍ଷଣ ଦେଖାଯାଇଛି।
ଡାକ୍ତରମାନେ ରବିବାର ବିଳମ୍ବିତ ରାତ୍ରିରେ ରକ୍ତ ନମୁନା ଯାଞ୍ଚରୁ ତାଙ୍କ କିଡନୀ ଖରାପ ହେଉଥିବାର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ପାଇଛନ୍ତି, ତଥାପି ତାଙ୍କ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି। ଡାକ୍ତମାନେ କହିଛନ୍ତି ଯେ ପୋପ ଫ୍ରାନସିସ୍ ଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି। ତେବେ ଗତ ଶନିବାରଠାରୁ ତାଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେଉ ନାହିଁ। ତାଙ୍କୁ ଅକ୍ସିଜେନ ଦିଆଯାଉଥିଲା, ସେ ରବିବାର ଲୋକଙ୍କ ସହିତ କଥାବାର୍ତ୍ତା ହେବା ସାଙ୍ଗକୁ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ।
ତେବେ ଚିକିତ୍ସକମାନେ କହିଛନ୍ତି ଯେ ପୋପଙ୍କ ବୟସ, ପରିସ୍ଥିତିର ଜଟିଳତା ଓ ପୂର୍ବରୁ ସେ ଫୁସଫୁସ ଜନିତ ରୋଗରେ ପୀଡ଼ିତ ହୋଇଥିବା କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦଜନକ ରହିଛି। ଡାକ୍ତରମାନେ କହିଛନ୍ତି ଯେ ପୋପଙ୍କ ସାମ୍ନାରେ ଏବେ ମୁଖ୍ୟ ସମସ୍ୟା ହେଉଛି ‘ସେପ୍ସିସ୍’। ଏହା ରକ୍ତରେ ଏକ ଗୁରୁତର ସଂକ୍ରମଣ। ତେବେ ଭେଟିକାନ ଦ୍ୱାରା ଉପଲବ୍ଧ କରାଯାଇଥିବା ଏ ପର୍ଯ୍ୟନ୍ତ ଚିକିତ୍ସକୀୟ ସୂଚନାରେ ‘ସେପ୍ସିସ’ ଆରମ୍ଭ ନେଇ କୌଣସି ଉଲ୍ଲେଖ ନାହିଁ।
ଏହା ପୂର୍ବରୁ ୨୦୨୧ ମସିହାରେ ପୋପ ଫ୍ରାନସିସ୍ ରୋମର ଏହି ହସ୍ପିଟାଲରେ ୧୦ ଦିନ ପର୍ଯ୍ୟନ୍ତ ଭର୍ତ୍ତି ହୋଇଥିଲେ। ତେବେ ପୋପ ଫ୍ରାନସିସଙ୍କ ଏବେକା ସ୍ୱାସ୍ଥ୍ୟାବସ୍ଥା ନେଇ ନାନା ଅଟକଳ କରାଯାଉଛି। ଯଦି ସେ ଅଚେତ ହୋଇ ଯାଆନ୍ତି କି ଅନ୍ୟ କୌଣସି ପ୍ରକାର ଅକ୍ଷମ ହୋଇ ଯାଆନ୍ତି ତେବେ ପୋପ ପଦବୀରୁ ତାଙ୍କ ଇସ୍ତଫା ହେବ କି ନାହିଁ ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।