ଚୀନ ଭଳି ଖରାପ ଦେଶ ପାଇଁ ବିଶ୍ୱ ବାଣିଜ୍ୟରେ ଅସନ୍ତୁଳନ ଦେଖା ଦେଉଛି, ହେଲେ ଭାରତ ଆଲୋଚନା ପାଇଁ ରାଜି: ଆମେରିକା

Published By : Prameya-News7 Bureau | April 10, 2025 IST

internet

ନୂଆଦିଲ୍ଲୀ: ଚୀନକୁ ଛାଡ଼ି ବିଭିନ୍ନ ଦେଶ ଉପରେ ୯୦ ଦିନ ପାଇଁ ପାଲଟା ଶୁଳ୍କ ସ୍ଥଗିତ ଘୋଷଣା କରିବା ପରେ ଚୀନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ଆମେରିକା। ଚୀନ ଭଳି ଖରାପ ଲୋକଙ୍କ ପାଇଁ ବିଶ୍ୱ ବାଣିଜ୍ୟ ପ୍ରଭାବିତ ହେଉଛି ବୋଲି ଆମେରିକା ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ କହିଛନ୍ତି। ଏଭଳି ଦେଶ ବିଶ୍ୱ ବାଣିଜ୍ୟରେ ଅସନ୍ତୁଳନ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି। 

ଗତକାଲି(୯ ଏପ୍ରିଲ) ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲଗାଇଥିବା ପାଲଟା ଶୁଳ୍କକୁ ୯୦ ଦିନ ପାଇଁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ। ତେବେ ଏଥିରେ ଚୀନକୁ ବାଦ୍ ଦିଆଯାଇଥିଲା। ଓଲଟି ଚୀନ ଉପରେ ଶୁଳ୍କକୁ ବଢ଼ାଇ ୧୨୫ ପ୍ରତିଶତ କରିଦେଇଥିଲେ। ବିଭିନ୍ନ ଦେଶ ଆମେରିକା ସହିତ ଶୁଳ୍କ ନେଇ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଥିବା ମୁଁ ଶୁଳ୍କ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ବୋଲି ଟ୍ରମ୍ପ କହିଥିଲେ। 

ଆଉ ଆଜି ଆମେରିକା ଅର୍ଥମନ୍ତ୍ରୀ ଚୀନକୁ ସମାଲୋଚନା କରିଛନ୍ତି। ଚୀନର ପଡ଼ୋଶୀ ଦେଶ ଜାପାନ, ଦକ୍ଷିଣ କୋରିଆ ଏବଂ ଭାରତ ସହିତ ବାଣିଜ୍ୟ ବାଇଁ ଆଲୋଚନା ଚାଲିଛି ବୋଲି ବେସେଣ୍ଟ ସୂଚନା ଦେଇଛନ୍ତି। ଶୁଳ୍କ ବଢ଼ାଇ ବାଣିଜ୍ୟ ଯୁଦ୍ଧ ନିଜେ ଆରମ୍ଭ କରିଥିବା ବେସେଣ୍ଟ କହିଛନ୍ତି “ ଏହା କୌଣସି ବାଣିଜ୍ୟ ଯୁଦ୍ଧ ନୁହେଁ, ଖରାପ ଲୋକଙ୍କ ପାଇଁ ଆମର ଏହି ଆଭିମୁଖ୍ୟ ଥିଲା। ହେଲେ ମୁଁ ଦେଖୁଛି ଚୀନର ପଡ଼ୋଶୀ ଜାପାନ ଦକ୍ଷିଣ କୋରିଆ ଓ ଭାରତ ଆଲୋଚନା ପାଇଁ ଆଗରେ ରହିଛନ୍ତି। ଆଜି ଭିଏତନାମ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରିଛି।”

ପଢନ୍ତୁ- ପିଟର, ସ୍କଟ୍, ହାୱାର୍ଡ...ଯାହାଙ୍କ ଯୋଜନାରେ ଦୋହଲିଯାଇଛି ସାରା ବିଶ୍ୱ

ଆମେରିକାକୁ ଚ୍ୟାଲେଞ୍ଜ୍ ଦେଇ ଚୀନ ମଧ୍ୟ ଏପ୍ରିଲ ୧୦ ତାରିଖରୁ ଆମେରିକାର ସାମଗ୍ରୀ ଉପରେ ଏହାର ଶୁଳ୍କ ୩୪% ରୁ ୮୪%କୁ ବୃଦ୍ଧି କରିଦେଇଥିଲା। ଯାହାର ଆମେରିକାକୁ କଣ୍ଟା ଭଳି ଫୋଡ଼ି ହୋଇଛି। ସେଥିପାଇଁ ଆମେରିକା ସବୁ ଦୋଷ ଏବେ ଚୀନ ଉପରେ ଲଦୁଛି। 
 ବସେଣ୍ଟ କହିଛନ୍ତି ଯେ ଆମେରିକା ଶୁଳ୍କ ଘୋଷଣା କରିବା ପରେ ୭୫ରୁ ଅଧିକ ଦେଶ ଆଲୋଚନା ପାଇଁ ରାଜି ହୋଇଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ବ୍ୟକ୍ତିଗତ ଭାବରେ ବାଣିଜ୍ୟ ଆଲୋଚନାରେ ସାମିଲ ହେବାକୁ ଚାହୁଁଛନ୍ତି। ତେଣୁ ଆମେ ୯୦-ଦିନିଆ ଯୋଜନାକୁ କାର୍ଯ୍ୟକାରୀ କରୁଛୁ। ତେଣୁ ବିଶ୍ୱର ପ୍ରତ୍ୟେକ ଦେଶ ଯେଉଁମାନେ ଆଲୋଚନା କରିବାକୁ ଚାହାଁନ୍ତି, ଆମେ ଆପଣଙ୍କ କଥା ଶୁଣିବାକୁ ଇଚ୍ଛୁକ। ଆମେ ସେମାନଙ୍କ ପାଇଁ ୧୦% ମୂଳ ଶୁଳ୍କ  ଲାଗୁ କରିବାକୁ ଯାଉଛୁ।" 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.