ସତ୍ୟନଗରରେ ହେବ ଉତ୍ତମଙ୍କ ଶେଷକୃତ୍ୟ, ବାସଭବନରେ ୩ରୁ ୪ ଘଣ୍ଟା ରହିବ ମରଶରୀର

Published By : Prameya-News7 Bureau | February 28, 2025 IST

ଭୁବନେଶ୍ୱର ୨୮।୦୨: ସତ୍ୟନଗରରେ ହେବ ଶେଷକୃତ୍ୟ । ଶୁକ୍ରବାର ଦିନ ୧୧.୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ଉତ୍ତମଙ୍କ ପାର୍ଥିବ ଶରୀର । ଏହାପରେ ଭୁବନେଶ୍ବର ସ୍ଥିତ ବାସଭବନକୁ ଆସିବ ମରଶରୀର । ସେଠାରେ ଶେଷ ଦର୍ଶନ ପାଇଁ ସେଠାରେ ୩ରୁ ୪ ଘଣ୍ଟା ରହିବ ମରଶରୀର । 

ଉତ୍ତମ ମହାନ୍ତି ୧୯୫୮ ଡିସେମ୍ବର ୨୩ ତାରିଖରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ।   ୧୯୭୭ରେ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ଅଭିମାନ ଫିଲ୍ମ ଜରିଆରେ ଅଭିନୟ ଯୁଗରେ ପାଦ ଦେଇଥିଲେ ଉତ୍ତମ। ଏହି ବିଶିଷ୍ଟ ଅଭିନେତା ୧୩୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ନିଜର ନିଖୁଣ ଓ କଳାତ୍ମକ ଅଭିନୟ ପାଇଁ ସେ ଓଲିଉଡରେ ନିଜର ସ୍ଵତନ୍ତ୍ର ସ୍ଥାନ ହାସଲ କରିବା ସହ ୧୯୮୦ ଦଶକରେ ସିନେମାରେ ରାଜ କରୁଥିଲେ।  ସେ ଓଡ଼ିଆ ଫିଲ୍ମ ଜଗତକୁ ଉଦଣ୍ଡୀ ସୀତା, ଦଣ୍ଡା ବାଳୁଙ୍ଗା, ଜୋରଦାର ମୁଲକ ତାର, ଦେଖ ଖବର ରଖ ନଜର, ଲକ୍ଷ୍ମଣ ରେଖା, ସେଇ ଝିଅଟି, ପରଦେଶୀ ଚଢେଇ ଆଦି ସୁପର ହିଟ୍‌ ଫିଲ୍ମ ଦେଇଛନ୍ତି। ସେ ୩୦ଟି ବଙ୍ଗାଳି ସିନେମା ସହିତ ଗୋଟିଏ ହିନ୍ଦୀ ସିନେମା ‘ନୟା ଜହର’ରେ ହିରୋ ଭୂମିକାରେ ଅଭିନୟ କରିଛନ୍ତି। ୧୯୮୭ ମସିହାରେ ଓଲିଉଡରେ କ୍ୱିନ୍ ଅପରାଜିତଙ୍କୁ ବିବାହ କରିଥିଲେ । ୧୯୮୨ରୁ ୧୯୮୪ ଯାଏଁ ଲଗାତାର ତିନି ବର୍ଷ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା।

ତେବେ ଏହି ଭେଟେରାନ ଅଭିନେତା ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ। ପ୍ରଥମେ ଭୁବନେଶ୍ୱରର ଏକ  ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ଚିକିତ୍ସାଧୀନ ଥିଲାବେଳେ ତାଙ୍କୁ   ଉନ୍ନତ ଚିକିତ୍ସା ପାଇଁ  ଫେବୃଆରୀ ୮ରେ ନୂଆଦିଲ୍ଲୀ ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଶେଷରେ ୨୦ ଦିନର ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ହାରି ଯାଇଛନ୍ତି ଉତ୍ତମ ମହାନ୍ତି।

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.