ଦରବୃଦ୍ଧିରେ କଲବଲ ଖାଉଟି, ଅଧିକାଂଶ ପରିବା ୮୦ ଉପରେ

Published By : Prameya-News7 Bureau | June 20, 2024 IST

ଭୁବନେଶ୍ୱର ୨୦/୦୬: ପରିବା ବଜାରରେ ଏବେ ମହଙ୍ଗା ମାଡ଼ । କଲବଲ ସାଧାରଣ ଖାଉଟି । ପ୍ରାୟ ସବୁ ପରିବା ଦର ଅସହ୍ୟ ଭାବେ ବଢ଼ିଚାଲିଛି । ଚଢ଼ା ଦରକୁ ନେଇ ଅତିଷ୍ଠ ହୋଇଗଲେଣି ଖାଉଟି । ଗତ ବର୍ଷ ଅଧିକାଂଶ ପରିବା ଦର ଶତକ ପାର୍‌ କରିଥିଲା । ଏବେ ସ୍ଥିତି ପ୍ରାୟ ସମାନ ହୋଇଗଲାଣି । ରାଜଧାନୀ ଭୁବନେଶ୍ୱର ୧ ନମ୍ବର ହାଟରେ ୧୦୦ ଟଙ୍କା ଛୁଇଁଛି ବାଇଗଣ । 

ରସୁଲଗଡରେ ଦେଶୀ ବାଇଗଣ ଦର କିଲୋ ପିଛା ୧୨୦ ଟଙ୍କା । ବାହାରୁ ଆସୁଥିବା ବାଇଗଣକୁ କିଲୋ ପିଛା ୮୦ ଟଙ୍କା ଦେଇ କିଣୁଛନ୍ତି ଖାଉଟି । ଅଧିକାଂଶ ପରିବା ଦର ଏବେ ୮୦ ଉପରେ । ଦର ଶୁଣି ସାଧାରଣ ଲୋକ ଛାନିଆଁ । ଅତି ଜରୁରୀ ହେଲେ ୨୫୦ ଗ୍ରାମରେ ଚଳାଇ ଦେଉଛନ୍ତି । ୫୦୦ ଟଙ୍କା ନେଇ ପରିବା କିଣିବାକୁ ଗଲେ ବ୍ୟାଗ ମଧ୍ୟ ପୁରୁନାହିଁ ବୋଲି କହୁଛନ୍ତି ଗ୍ରାହକ । ରସୁଲଗଡରେ ବୁଧବାର ଟମାଟୋ କିଲୋ ପିଛା ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଦେଶୀ ପୋଟଳ ୮୦, ଭେଣ୍ଡି ୮୦, କଲରା ୧୦୦, ଜହ୍ନି ୭୦, ବନ୍ଧାକୋବି ୫୦, କାଙ୍କଣ ୧୨୦, କଖାରୁ ୩୦ ଟଙ୍କାରେ ବିକ୍ରି ହେଉଛି । 

ସେହିଭଳି ଝୁଡ଼ଙ୍ଗ ୧୨୦, କାକୁଡି ୮୦, ବିନ୍ସ ୩୮୦, ଭଣ୍ଡା ୩୦, ସଜନା ଛୁଇଁ ୧୬୦, ଆଳୁ ୩୨ ଏବଂ ପିଆଜ ୪୦ ଟଙ୍କାରେ ବିକ୍ରି ହେଉଛି । କଟକ ଛତ୍ର ବଜାରରେ ବୁଧବାର ବାଇଗଣ ୫୦ ଟଙ୍କା ରହିଥିବା ବେଳେ ପୋଟଳ ୫୫ ଟଙ୍କା ଏବଂ ଅନ୍ୟ ପରିବା ଦର ୪୦ରୁ ୪୫ ଟଙ୍କା ସ୍ତରରେ ରହିଛି । 

ଏ ବର୍ଷ ଗରମ ବିଗାଡିଛି ଫସଲ । ରାଜ୍ୟରେ ସ୍ଥାନୀୟ ଉତ୍ପାଦନ ନାହିଁ । ଯାହା କିଛି ବି ଉତ୍ପାଦନ ହେଉଛି ବଜାର ଚାହିଦା ମେଣ୍ଟାଇବାକୁ ଏହା ପୂରଣ ହେଉନି । ଏଭଳି ସ୍ଥିତିରେ ଅଧିକାଂଶ ପରିବା ଦର ଚଢ଼ାରେ ବିକ୍ରି କରୁଛନ୍ତି ବ୍ୟବସାୟୀ । ବଜାର ସମ୍ପୂର୍ଣ୍ଣ ସ୍ୱାଭାବିକ ହେବା ଲାଗି ସମୟ ଲାଗିବ । ପରିବା କଷ୍ଟରୁ ମୁକ୍ତି ଲାଗି ପ୍ରାୟ ୩ ମାସ ଯାଏ ସମୟ ଲାଗିପାରେ 

ବୋଲି କହିଛନ୍ତି ବଜାର ବିଶେଷଜ୍ଞ । 

କୃଷି ବିଶେଷଜ୍ଞଙ୍କ କହିବା ମୁତାବକ, ରବି ଋତୁ ପରିବା ରାଜ୍ୟର ଚାହିଦା ମେଣ୍ଟାଉଛି । ବର୍ଷର ପ୍ରାୟ ୮ ମାସ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାରୁ ସେଠାରେ କିଛି ସମସ୍ୟା ରହିଲେ ରାଜ୍ୟ ତ୍ୱରିତ ଭାବେ ଏହା ଦ୍ୱାରା ପ୍ରଭାବିତ ହେଉଛି । ଖାଉଟିଙ୍କୁ ଦରଦାମ ବୋଝ ସହିବାକୁ ପଡୁଛି । ପରିବହନ, ଯୋଗାଣ ଶୃଙ୍ଖଳ ଏବଂ ଉତ୍ପାଦନ ଭଳି ଦିଗଗୁଡିକ ଏହା ମଧ୍ୟରେ ସାମିଲ ରହିଛି । 

ଏଭଳି ସ୍ଥିତିରେ ରାଜ୍ୟରେ ଅଧିକ ଉତ୍ପାଦନ ଏବଂ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଗଲେ ସ୍ଥିତି ଉପରେ ନିୟନ୍ତ୍ରଣ ପାଇବାରେ ସହାୟକ ହୁଅନ୍ତା । କେବଳ ପରିବା ନୁହେଁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଡାଲି, ତେଲ, ଗହମଜାତୀୟ ସାମଗ୍ରୀ ଏବଂ ଦୁଗ୍ଧ ଆଦି ଅଧିକାଂଶ ସାମଗ୍ରୀ ଉପରମୁହାଁ ହୋଇ ଚାଲିଛି । ଏହା ଦ୍ୱାରା ସାଧାରଣ ଲୋକ ପରିବାର ଚଳାଇବା କଷ୍ଟକର ପାଲଟିଛି । 


ରାଜ୍ୟ ବ୍ୟବସାୟୀ ସଂଘ ସୂଚନା ମୁତାବକ, ଗତ ୩ ମାସରେ ହରଡ଼ ଡାଲି କିଲୋ ପିଛା ଦର ୩୦ ଟଙ୍କା ଯାଏ ବଢ଼ି ଗଲାଣି । ଏବେ ଏହା କିଲୋକୁ ୧୮୦ ଟଙ୍କା । ସୋରିଷ ତେଲ ଦର ଲିଟର ପିଛା ୧୫ ଟଙ୍କା ବଢ଼ିଛି । ସେହିଭଳି ବୁଟ ଡାଲି ୧୦ ଏବଂ ବିରିଡାଲି, ମସୁର ଡାଲି କିଲୋ ପିଛା ୫ରୁ ୬ ଟଙ୍କା ବଢ଼ିଛି । ଏଇ କିଛି ଦିନରେ ସାଧାରଣ ବର୍ଗ ଚାଉଳ କିଲୋ ପିଛା ପ୍ରାୟ ୬ରୁ ୭ ଟଙ୍କା ବଢ଼ିଛି । 

ଅଟା, ସୁଜି, ମଇଦା କ୍ଷେତ୍ରରେ କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ଦର ବଢ଼ି ଗଲାଣି । ବୁଟ ଡାଲି ଦର ୭୨ ଟଙ୍କାରୁ ବୃଦ୍ଧି ହୋଇ ୮୨ ଟଙ୍କା ଛୁଇଁଛି । ସୂର୍ଯ୍ୟମୂଖୀ ତେଲ ମାସକ ମଧ୍ୟରେ ୮ ଟଙ୍କା ବୃଦ୍ଧି ହୋଇ ୧୦୯ ଟଙ୍କାରେ ପହଞ୍ଚିଛି । ଚିନି ପାଇକାରୀ ଦର ୧ ଟଙ୍କା ବଢ଼ିଛି । କିଛି ଦିନ ଆଗରୁ ଆଳୁର ପାଇକାରୀ ଦର ୧୯ ଟଙ୍କା ଥିଲା । ଏହା ଏବେ ୨୧ ଟଙ୍କାରେ ପହଞ୍ଚିଛି । 

ସେହିଭଳି ପିଆଜର ପାଇକାରୀ ଦର ପ୍ରାୟ ୨୮ ଟଙ୍କା ଛୁଇଁଲାଣି । ଅଦାର କିଲୋ ପିଛା ଦର ୧୭୫ ଟଙ୍କା ଛୁଇଁଥିବା କୁବେର ପୁରୀ ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ମିଳିଛି । ଛତ୍ର ବଜାର ପରିବା ବ୍ୟବସାୟୀ ସଂଘର ସଭାପତି ଦେବରାଜ ସାହୁ କହିଛନ୍ତି, ଚଳିତ ବର୍ଷ ଗରମ ଯୋଗୁ ଫସଲ ଉତ୍ପାଦନ ପ୍ରଭାବିତ ରହିଛି । ଅନୁଗୋଳ ସହ ଅନ୍ୟ କିଛି ଅଞ୍ଚଳରୁ ଏବେ ସ୍ଥାନୀୟ ପରିବା ଆସୁଛି । 

ବଜାର ଟିକିଏ ସ୍ୱାଭାବିକ ହେବା ଲାଗି ଅନ୍ତତଃ ପକ୍ଷେ ମାସେ ଯାଏ ସମୟ ଲାଗିପାରେ । ସେହିଭଳି ବାହାରୁ ଯାହା କିଛି ବି ପରିବା ଆସୁଛି ଗରମ ଯୋଗୁ ସଢ଼ି ଯାଉଛି । କର୍ଣ୍ଣାଟକରୁ ଆସୁଥିବା ପରିବା ଉପରେ ଏବେ ପରିବହନ ଚାପ ପଡିଛି ବୋଲି ଶ୍ରୀ ସାହୁ ଉଲ୍ଲେଖ କରିଛନ୍ତି । ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଉତ୍ପାଦନ ହ୍ରାସ ଏବଂ ଚାହିଦା ବୃଦ୍ଧି ଯୋଗୁ ଏବେ ବଜାର ପ୍ରଭାବିତ ହୋଇ ରହିଛି । 

ମାଗଣା ଯୋଜନା ଦ୍ୱାରା ଲୋକମାନେ କାମ କରିବାକୁ ସେତେଟା ଆଗଭର ହେଉନାହାନ୍ତି । ଏହାର ପ୍ରଭାବ ସିଧାସଳଖ କୃଷି ଉପରେ ପଡୁଛି । ସରକାର ୮୦ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଣ ପରିବର୍ତ୍ତେ ପ୍ରକୃତ ହିତାଧିକାରୀ ବା ସାମାଜିକ ଅନଗ୍ରସର ଲୋକଙ୍କ ପାଇଁ ଜନକଲ୍ୟାଣକାରୀ ଯୋଜନା ହାତକୁ ନେବା ଆବଶ୍ୟକ । ଏହା ଦ୍ୱାରା ରାଜକୋଷ ଉପରେ ବୋଝ କମ୍‌ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.