ନୂଆଦିଲ୍ଲୀ ୦୬।୦୩; ଗୁଜୁରାଟର ଅହମ୍ମଦାବାଦ୍ରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ରାସ୍ତାରେ ରିଲ୍ କରୁଥିବା ସମୟରେ ସ୍କର୍ପିଓ ଗାଡ଼ିଟି ନିୟନ୍ତ୍ରଣ ହରାଇଥିଲା କେନାଲରେ ଖସିପଡିଥିଲା । ଆଉ ସେହି ଗାଡ଼ିରେ ଥିବା ୩ ଯୁବକ ଏବେ ନିଖୋଜ ଅଛନ୍ତି। କେନାଲରେ ଗାଡ଼ି ପଡ଼ିଥିବା ବେଳେ ଯୁବକମାନେ କୁଆଡ଼େ ଗଲେ ସେନେଇ ତଦନ୍ତ କରୁଛି ପୋଲିସ୍ ।
ମିଳିଥିବା ସୂଚନା ଅନୁସାରେ, ସ୍କର୍ପିଓ ଗାଡ଼ିରେ ୩ ଜଣ ଯୁବକ ରିଲ୍ କରୁଥିଲେ । ହଠାତ୍ ଭାରସାମ୍ୟ ହରାଇ ରାସ୍ତା ବଡରେ ଥିବା କେନାଲକୁ ଖସିପଡିଥିଲା । ପରେ ପରେ ସେମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ସାଙ୍ଗମାନେ ଦଉଡ଼ି ପକାଇଥିଲେ । ହେଲେ ସେଥିରେ ଅସଫଳ ହେଲେ । ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ପରେ ଅଗ୍ନିଶମବାହିନୀ ଓ ପୋଲିସ କେନାଲ ଭିତରୁ ସ୍କର୍ପିଓ ଗାଡ଼ିକୁ ବାହାରକୁ ଆଣି ୩ ଯୁବକଙ୍କୁ ଖୋଜିବା ଆରମ୍ଭ କରିଥିଲେ ।
ସେପଟେ ପୋଲିସ କହିଛି, କି ଗାଡିଟିକୁ ରିଲ୍ କରିବା ଲାଗି ୩୫ ଶହ ଟଙ୍କାରେ ଆଣିଥିଲେ। ୩ ଯୁବକ ଗାଡ଼ି ନେଇ ପହଞ୍ଚିବା ପୂର୍ବରୁ ସେଠାରେ ୪ ସାଙ୍ଗ ଉପସ୍ଥିତ ଥିଲେ। ସେପଟେ ପୋଲିସ କହିଛି ଗାଡ଼ି ଚଳାଇବା ବେଳେ ରିଲ୍ କରାଯାଉଥିଲା । ଯେଉଁଥି ଲାଗି ଗାଡ଼ି ନିୟନ୍ତ୍ରଣ ବାହାରକୁ ପଳାଇଥିଲା । ଆଉ ସିଧା ଯାଇ ରାସ୍ତା ପାଖ କେନାଲରେ ଖସି ପଡିଥିଲା । କେନାଲରେ ଅଧିକ ପାଣି ଥିବାରୁ ସମସ୍ତେ ଭାସିଯାଇପାରିଥାଆନ୍ତି ବୋଲି କୁହାଯାଉଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ୩ ଯୁବକଙ୍କୁ ଉଦ୍ଧାର କରିବା ଲାଗି ତଦନ୍ତ କରାଯାଉଛି ।