ଅର୍ଜୁନ ଓ ଖେଳ ରତ୍ନ ପୁରସ୍କାର ଫେରାଇଲେ ବିନେଶ ଫୋଗାଟ: କର୍ତ୍ତବ୍ୟ ପଥ ଫୁଟ୍‌ପାଥରେ ମେଡାଲ ରଖି ଚାଲିଗଲେ

Published By : Prameya-News7 Bureau | December 30, 2023 IST

ନୂଆଦିଲ୍ଲୀ: ବଜରଙ୍ଗ ପୁନିଆଙ୍କ ପରେ ଏବେ ବିନେଶ ଫୋଗାଟ ଫେରାଇଲେ ଅର୍ଜୁନ ଓ ଖେଳ ରତ୍ନ ପୁରସ୍କାର। ଶନିବାର(୩୦ ଡିସେମ୍ବର) ବିନେଶ ଫୋଗାଟ ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ ରାସ୍ତା କର୍ତ୍ତବ୍ୟ ପଥର ଫୁଟ୍‌ପାଥ୍‌ରେ ଅର୍ଜୁନ ପୁରସ୍କାର ଓ ଖେଳରତ୍ନ ସମ୍ମାନକୁ ରଖି ଦେଇଛନ୍ତି ବିନେଶ।

ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂହଙ୍କୁ ବିରୋଧ କରି କୁସ୍ତି ଯୋଦ୍ଧାମାନେ ଏଭଳି ନୂଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ବଜରଙ୍ଗ ପୁନିଆ ଡିସେମ୍ବର ୨୨ ତାରିଖରେ ତାଙ୍କୁ ମିଳିଥିବା ପଦ୍ମଶ୍ରୀ ପୁରସ୍କାରକୁ କର୍ତ୍ତବ୍ୟ ପଥରେ ରଖି ଚାଲିଯାଇଥିଲେ

wp:html /wp:html

ଏହାପରେ ବିନେଶ ଫୋଗାଟ ୩ ଦିନ ତଳେ ତାଙ୍କ ପୁରସ୍କାର ଫେରାଇବେ ବୋଲି ଘୋଷଣା କରିଥିଲେ। ଶନିବାର ସେ ତାଙ୍କର ଦୁଇଠି ସମ୍ମାନୀୟ ପୁରସ୍କାରକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପିଏମ୍‌ଓ ଅଫିସ୍‌ ରାସ୍ତାରେ ରଖି ଚାଲିଯାଇଛନ୍ତି।

ବିନେଶ ଫୋଗାଟ ପୁରସ୍କାର ଫେରାଇବା ପରେ ବଜରଙ୍ଗ ପୁନିଆ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ଏହି ଦିନ କୌଣସି ଖେଳାଳି ଜୀବନରେ ନ ଆସୁ। ଦେଶର ମହିଳା କୁସ୍ତିଯୋଦ୍ଧମାନେ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ବୋଲି ବଜରଙ୍ଗ ପୁନିଆ ତାଙ୍କ ପୋଷ୍ଟରେ ଲେଖିଛନ୍ତି।

ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତି ଯୋଦ୍ଧାମାନେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ରହିଛି। ତେଣୁ ଡବ୍ଲୁଏଫ୍‌ଆଇ ନିର୍ବାଚନରେ ବ୍ରିଜଭୂଷଣଙ୍କ କୌଣସି ସମ୍ପର୍କୀୟଙ୍କୁ ନିର୍ବାଚନରେ ଭାଗ ନ ନେବାକୁ କୁସ୍ତି ଯୋଦ୍ଧାମାନେ ଦାବି କରିଥିଲେ। ହେଲେ ସରକାର କୌଣସି ପଦକ୍ଷେପ ନ ନେବାରୁ ତାଙ୍କ ଘନିଷ୍ଠ ସଞ୍ଜୟ ସିଂହ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ।

ପରେ ବଜରଙ୍ଗ ପୁନିଆ ଆୱାର୍ଡ ଫେରାଇବା ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଡବ୍ଲୁଏଫ୍‌ଆଇର କେତୋଟି ନିଷ୍ପତ୍ତିକୁ ବିରୋଧ କରି ନବ ନିର୍ବାଚିତ କମିଟିକୁ ଭଙ୍ଗ କରିଦେଇଛି। ସରକାରଙ୍କ ଆପତ୍ତି ପରେ ଗତକାଲି ବ୍ରିଜଭୂଷଣ ଘରୁ ଡବ୍ଲୁଏଫ୍‌ଆଇ ଅଫିସ୍‌କୁ ହଟାଇ ନିଆଯାଇଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.