ମୁମ୍ୱାଇ ୧୫/୦୨: ଦିନକୁ ଦିନ କଠୋର ହେଉଛି ବିସିସିଆଇ । ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାର ବ୍ୟାଗେଜ୍ ନିୟମରେ ପରିବର୍ତ୍ତନ କରିଥିଲା । ଲଗୁ କରିଥିଲା ୧୦ ସୂତ୍ରାବଳୀ ନୂଆ ନିୟମ । ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଲାଗୁ ହେବାରେ ଲାଗିଛି ଗୋଟିେ ପରେ ଗୋଟିଏ ନିୟମ । ଟିମ୍ ଇଣ୍ଡିଆର ଦୁବାଇ ଗସ୍ତ ବେଳେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ ।
ରିପୋର୍ଟସ ମୁତାବିକ ଏଥର ଖେଳାଳି ତାଙ୍କ ପରିବାରକୁ ସାଙ୍ଗରେ ନେଇ ଯାଇ ପାରିବେ ନାହିଁ । କେବଳ ପରିବାର ନୁହେଁ ବିମାନ ଯାତ୍ରାରେ ବ୍ୟାଗେଜରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । କାରଣ ଜଣେ ସିନିୟର ଖେଳାଳିଙ୍କ ପାଇଁ ସମସ୍ୟାରେ ପଡିଛନ୍ତି ଅନ୍ୟ ସବୁ ପ୍ଲେୟାର । ବ୍ୟାଗେଜକୁ ନେଇ ବୋର୍ଡ କାହିଁକି ନୂଆ ନିୟମ କରିଛି ତାର ବଡ ଖୁଲାସା ହୋଇଛି । ତେବେ କିଏ ସେହି ଖେଳାଳି ଯିଏକି, ଅଧିକ ଓଜନର ଲଗେଜ ନେଇ ଯାଇଥିଲେ । ସେନେଇ ନା ସ୍ପଷ୍ଟ ହୋଇନି । ତେବେ ଦଳର ଦୁଇ ବଡ ସିନିୟର ପ୍ଲେୟାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଅଧିକ ଚର୍ଚ୍ଚା ।
ଚର୍ଚ୍ଚା ହେଉଛି କି କଲା କିଏ ଭୋଗୁଛି କିଏ? ଖାସ୍ କରି ଜଣେ ପ୍ଲେୟାରଙ୍କ ପାଇଁ ବଦଳିଛି ନିୟମ । ମିଡିଆ ରିପୋର୍ଟ କହୁଛି ଟିମ୍ ଇଣ୍ଡିଆର ଜଣେ ଖେଳାଳି ଅଷ୍ଟ୍ରେଲିଆ ଗସ୍ତରେ ସାଙ୍ଗରେ ୨୭କେଜି ଓଜନର ଲଗେଜ ଓ ଟ୍ରଲି ସାଙ୍ଗରେ ନେଇଥିଲେ । କ୍ରିକେଟରଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଷ୍ଟାଫ ଓ ପରିବାର ଲୋକ ସାମିଲ ଥିଲେ । ଖେଳାଳିଙ୍କ ଲଗେଜ ଓଜନ ପାଖାପାଖି ୨୫୦କେଜି ଥିଲା । ସେହିପରି ଅଷ୍ଟ୍ରେଲିଆରେ ମଧ୍ୟ ସବୁ ସ୍ଥାନକୁ ସମାନ ଲଗେଜ ନେଇ ଯାଇଥିଲେ ଖେଳାଳି ଜଣଙ୍କ । ଏହାର ସବୁ ଖର୍ଚ୍ଚ ବିସିସିଆଇକୁ ଦେବାକୁ ପଡିଥିଲା । ଯାହା ଲକ୍ଷ ଲକ୍ଷ ଟଙ୍କା ଥିଲା ।
ରିପୋର୍ଟ ମୁତାବିକ ଜଣେ ଖେଳାଳିଙ୍କ ପାଇଁ ବିସିସିଆଇ ବ୍ୟାଗେଜ ନିୟମରେ ପରିବର୍ତ୍ତନ କରିଥିବା ଦାବି ହୋଇଛି । ଜଣେ ପ୍ଲେୟାରଙ୍କ ପାଇଁ ବାକି ଖେଳାଳି ସମସ୍ୟା ଭୋଗିଥିବା କୁହାଯାଉଛି । ତେବେ ପରିବର୍ତ୍ତନ ନିୟମ ଅନୁସାରେ ପ୍ଲେୟାରଙ୍କ ଲଗେଜ ଓଜନ ୧୫୦ କେଜିରୁ ଅଧିକ ହୁଏ ତେବେ ବିସିସିଆଇ ଅତିରିକ୍ତ ଶୁଳ୍କ ଦେବ ନାହିଁ ନିୟମରେ ସଫା ସଫା କହି ଦେଇଛି ।
ସୂଚନା ଥାଉକି, ଆସନ୍ତା ୧୯ ତାରିଖରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଳି ସେମାନଙ୍କ ପର୍ସନାଲ ଷ୍ଟାଫ ଯେପରି ଟ୍ରେନର, ସେକ୍ରେଟେରୀ ତଥା ଆସିଷ୍ଟାଣ୍ଟଙ୍କୁ ସାଙ୍ଗରେ ନେଇପାରିବେ ନାହିଁ । ଏହା ସହିତ ଖେଳାଳି ସାଙ୍ଗରେ ପରିବାରଙ୍କୁ ମଧ୍ୟ ନେଇ ଯାଇପାରିବେ ନାହିଁ । ନିକଟରେ ଇଂଲଣ୍ଡ ବିପକ୍ଷରେ ହୋଇଥିବା ସିରିଜରେ ମଧ୍ୟ ଏହା ଦେଖିବାକୁ ମିଳିଥିଲା ।