ଭୁବନେଶ୍ୱର ୨୮।୧୨ : ପଶ୍ଚିମା ଝଡ଼ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। ବିଶେଷ କରି ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ସମ୍ଭାବନା ଅଛି।
ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଶନିବାର ବରଗଡ଼, ବଲାଙ୍ଗିର, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁରରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ସେହିପରି ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡିର ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହେବାର ଆଶଙ୍କା ରହିଛି । ଅନ୍ୟ ସବୁଠି ପାଗ ଶୁଖିଲା ରହିବାର ଅନୁମାନ କରାଯାଉଛି ।
ଭୁବନେଶ୍ବର ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ, ଉପକୂଳ ଓ ଏହା ସଂଲଗ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ। ତେଣୁ ପାଗ ଖରାଟିଆ ରହିବାର ସମ୍ଭାବନା ଅଛି। କାଁ ଭାଁ ଆଂଶିକ ମେଘୁଆ ରହିପାରେ। ୩୦ ତାରିଖ ବେଳକୁ ରାଜ୍ୟରେ ରାତି ତାପମାତ୍ରା କମିବା ସହ ଶୀତ ବଢ଼ିବ। ନୂଆବର୍ଷବେଳକୁ ରାଜ୍ୟରେ ଶୀତ ପ୍ରକୋପ ଅଧିକ ହେବାର ସମ୍ଭାବନା ରହିଛି।