କୋଲକାତା ୦୧/୦୪: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ସିଲିଣ୍ଡର ବିସ୍ଫୋରଣ । ବାଣ ଫୁଟି ନିଆଁ ଲାଗିବାରୁ ଅଭାବନୀୟ ଘଟଣା ଘଟିଛି । ଜିଲ୍ଲାର ଧୋଲାହାଟ ଅଞ୍ଚଳରେ ଏକ ବଡ଼ ବିସ୍ଫୋରଣରେ ସାତ ଜଣଙ୍କର ମୃତ୍ୟୁ ହୋଇଛି । ସିଲିଣ୍ଡର ଫାଟିବା ପରେ ଘରେ ରଖାଯାଇଥିବା ବାଣ ବିସ୍ଫୋରଣ ଯୋଗୁଁ ଏହି ବିସ୍ଫୋରଣ ଘଟିଥିଲା । ଫଳରେ ସମ୍ପୂର୍ଣ୍ଣ ଘର ନଷ୍ଟ ହୋଇଯାଇଥିଲା।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସୁନ୍ଦରବନର ଧୋଲାହାଟ ଅଞ୍ଚଳର ବଣିକ ପରିବାରର ଘରେ ବିସ୍ଫୋରଣ ଘଟିଥିଲା। ଏହି ପରିବାର ବହୁ ବର୍ଷ ଧରି ଏଠାରେ ବାଣ ତିଆରି କରୁଥିଲା। ଘରେ ମୋଟ ୧୧ ଜଣ ସଦସ୍ୟ ରହୁଥିଲେ । ଯେଉଁଥିରୁ ୪ ଜଣ ଏବେ ବି ନିଖୋଜ ଅଛନ୍ତି। ଏହି ବିସ୍ଫୋରଣ ଯୋଗୁଁ ଘରେ ରଖାଯାଇଥିବା ଫୋଟକାଗୁଡିକରେ ନିଆଁ ଲାଗିଗଲା ଏବଂ ଏକ ବଡ଼ ବିସ୍ଫୋରଣ ହେଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମ୍ପୂର୍ଣ୍ଣ ଘରଟି ଭୁଶୁଡ଼ି ପଡ଼ିଲା । ଏହାସହ ଆଖପାଖ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଲା।
#WATCH | South 24 Parganas, West Bengal: Police are present at the spot in Pathar Pratima village in Dholahat where an alleged explosion was reported last night. Details awaited. pic.twitter.com/yyoz808uTY
— ANI (@ANI) March 31, 2025
ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ସାତ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହେବାର ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ମଧ୍ୟ ଅଛନ୍ତି। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପଶ୍ଚିମବଙ୍ଗ ପୋଲିସ ମଙ୍ଗଳବାର ସକାଳେ ଧୋଲାହାଟ ଅଞ୍ଚଳର ଘଟଣାସ୍ଥଳକୁ ପହଞ୍ଚିଥିଲା, ଯେଉଁଠାରେ ଗତକାଲି ରାତିରେ ବିସ୍ଫୋରଣ ଘଟିଥିଲା।
ନ୍ୟୁଜ୍ ଏଜେନ୍ସି ANI ଟ୍ୱିଟରରେ ଭିଡିଓ ପୋଷ୍ଟ ସେୟାର କରିଛି। ଯେଉଁଥିରେ ବିସ୍ଫୋରଣ ଘଟିଥିବା ଘର ବାହାରେ କିଛି ପୋଲିସ କର୍ମୀ ଠିଆ ହୋଇଥିବାର ଦେଖାଯାଉଛି। ଭିଡିଓରେ, ଗ୍ୟାସ ସିଲିଣ୍ଡରଟିକୁ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗାଯାଇଥିବା ଦେଖାଯାଉଛି। ଘରର ଝରକା ଭାଙ୍ଗି ଯାଇଛି ଏବଂ ପଡ଼ିଯିବାକୁ ବସିଛି।