ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମଞ୍ଜୁର କରିବା ବେଳେ କ’ଣ କହିଲେ କୋର୍ଟ?

Published By : Prameya-News7 Bureau | October 18, 2024 IST

ନୂଆଦିଲ୍ଲୀ ୧୮।୧୦ : ଆମ ଆଦମୀ ପାର୍ଟି  (ଆପ)ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କୋର୍ଟରୁ ଜାମିନ ପାଇବା ପରେ ଶୁକ୍ରବାର ସନ୍ଧ୍ୟାରେ ଜେଲରୁ ମୁକୁଳିଛନ୍ତି। କୋର୍ଟଙ୍କ ସର୍ତ୍ତ ଅନୁସାରେ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ସେ  ଜେଲରୁ ବାହରକୁ ଆସିଛନ୍ତି। କୋର୍ଟ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମଞ୍ଜୁର କରିବା ପୂର୍ବରୁ ଆପ ନେତା ମନିଷ ସିସୋଦିଆଙ୍କ ଉଲ୍ଲେଖ କରିଥିଲେ। କୋର୍ଟ ମନିଷ ସିସୋଦିଆଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ସେହି ନିଷ୍ପତ୍ତିକୁ ସନ୍ଦର୍ଭିତ କରିଥିଲେ ଯେଉଁଥିରେ ମୌଳିକ ଅଧିକାର ରୂପେ ତ୍ୱରିତ ଶୁଣାଣି ଉପରେ ଜୋର ଦିଆଯାଇଥିଲା। 

ତେବେ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମଞ୍ଜୁର ନିମନ୍ତେ କୋର୍ଟ ୩ଟି ସର୍ତ୍ତ ରଖିଛନ୍ତି। ଏଥିରେ ପ୍ରଥମ ସର୍ତ୍ତଟି ହେଉଛି ସତ୍ୟେନ୍ଦ୍ର ଜୈନ ମାମଲା ସମ୍ପର୍କିତ କୌଣସି ସାକ୍ଷ ଅଥବା ବ୍ୟକ୍ତି ବିଶେଷଙ୍କ ସହ ସମ୍ପର୍କ କରିପାରିବେ ନାହିଁ। ସେହିପରି ସେ କୌଣସି ପ୍ରକାର ଯେପରି ମକଦ୍ଦମାକୁ ପ୍ରଭାବିତ ନ କରନ୍ତି। ଏହା ଛଡା ତୃତୀୟ ସର୍ତ୍ତଟି ହେଉଛି ଆପ ନେତା କୋର୍ଟଙ୍କ ପୂର୍ବ ଅନୁମତି ବିନା ଭାରତରୁ ବାହାରକୁ ଯାତ୍ରା କରିପାରିବେନି। 


କୋର୍ଟ ଖାସ କରି ମନିଲଣ୍ଡ୍ରିଂ ଆଇନ ସମ୍ପର୍କିତ ମାମଲାରେ ନିଷ୍କର୍ସରେ ପହଞ୍ଚିବା ଦୂରର କଥା ଟ୍ରାୟଲ ଆରମ୍ଭ ହେବାକୁ ମଧ୍ୟ ବେଶ ସମୟ ଲାଗିଯିବ ବୋଲି କହିଛନ୍ତି। ଏଣୁ କୋର୍ଟ ଶୁଣାଣିରେ ବିଳମ୍ବ ଓ ସତ୍ୟେନ୍ଦ୍ର ଜୈନ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେଲରେ ବନ୍ଦୀ ରହିବାର ଉଦାହରଣ ଦେଇ ଜାମିନ ମଞ୍ଜୁର କରିବା ଲାଗି ତାଙ୍କ ନିଷ୍ପତ୍ତିରେ ବ୍ୟକ୍ତିଗତ ସ୍ୱାଧୀନତାକୁ ଗୁରୁତ୍ୱ ଦେଇଛନ୍ତି।  ଜୈନଙ୍କୁ ଜାମିନ ମିଳିବା ପରେ ଆପ ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ସତ୍ୟେନ୍ଦ୍ର ଜୈନଙ୍କୁ ମଧ୍ୟ ୨ ବର୍ଷ ଜେଲରେ ରହିବା ପରେ ଜାମିନ ମିଳିଛି। 


କେଜରିୱାଲ ତାଙ୍କର ଦୋଷ କଣ ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଘର ଉପରେ ଅନେକବାର ଇଡି ଚଢଉ ହୋଇଥିଲା। ଘରୁ ଗୋଟେ ବି କଣା ପଇସା ମିଳି ନଥିଲା। ତାଙ୍କର ଦୋଷ କେବଳ ଏତିକି ଯେ ସେ ଦିଲ୍ଲୀ ପାଇଁ ମହଲ୍ଲା କ୍ଲିନିକର ଯୋଜନା କରିଥିଲେ ଓ ସବୁ ଲୋକଙ୍କ ଲାଗି ଚିକିତ୍ସା ମାଗଣା କରିଦେଇଥିଲେ। ମହଲ୍ଲା କ୍ଲିନିକ ବନ୍ଦ କରିବାକୁ ଓ ଗରିବଙ୍କ ମାଗଣା ଚିକିତ୍ସା ଅଟକାଇବାକୁ ମୋଦି ତାଙ୍କୁ ଜେଲରେ ଭର୍ତ୍ତି କରିଥିଲେ ବୋଲି କହିଛନ୍ତି। 

ସେହିପରି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ ଇଡି ଭଳି ସଂସ୍ଥାମାନେ ଲୋକଙ୍କୁ ଜେଲରେ ସଢେଇ ଦେଉଛନ୍ତି। ମୋତେ ଦୁଃଖ କେବଳ ଏତିକି ବିନା ଅଭିଯୋଗ ପ୍ରମାଣରେ ଲୋକେ ବର୍ଷବର୍ଷ ଧରି ଜେଲରେ ରହି ଯାଉଛନ୍ତି। ଅନେକ ଲୋକଙ୍କୁ ଇଡି ସମ୍ପର୍କିତ ମାମଲାରେ ଜାମିନ ମିଳିଛି। ଏଥିରେ ଯଦି ଆପଣ ବିଜେପିରେ ଯୋଗ ଦିଅନ୍ତି ତ ଆପଣଙ୍କ ଲାଗି କ୍ଲିନଚିଟ୍ ଆସିଯିବ। ଯଦି ସେମାନଙ୍କୁ ପ୍ରଶ୍ନ କଲେ ଆପଣଙ୍କ ଘରକୁ ଇଡି ଆସିବ। ଏଥି ପାଇଁ ନ୍ୟାୟପାଳିକାକୁ ଅଧିକ ମଜଭୁତ ବନ୍ଦୋବସ୍ତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.