ବନ୍ଦ ହୋଇଯିବ Jio Cinema ! ମୁକେଶ ଅମ୍ୱାନୀ ନେଇପାରନ୍ତି ବଡ଼ି ନିଷ୍ପତ୍ତି

Published By : Prameya-News7 Bureau | October 18, 2024 IST

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ଓଟିଟି ପ୍ଲାଟଫର୍ମ ଜିଓ ସିନେମାରେ ମାଗଣାରେ ଆଇପିଏଲ୍ ଦେଖାଇବା ଘୋଷଣା କରି ପୂରା ମାର୍କେଟକୁ ଦୋହଲାଇ ଦେଇଥିଲା । କିନ୍ତୁ ଏବେ ଉଦ୍ୟୋଗପତି ମୁକେଶ ଅମ୍ୱାନୀଙ୍କ ଏହି ଓଟିଟି ପ୍ଲାଟଫର୍ମ ଶୀଘ୍ର ବନ୍ଦ ହୋଇପାରେ ।

ରିଲାଏନ୍ସ ଜିଓର ପେରେଣ୍ଟ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଡିଜନୀ ମଧ୍ୟରେ ବିଲୟ ବୁଝାମଣା ଏବେ ପ୍ରାୟତଃ ଶେଷ ହୋଇଛି । ଏହି ବିଲୟ ନେଇ ଔପଚାରିକ ଘୋଷଣା କେତେବେଳେ ବି ହୋଇପାରେ । ଏହି ଡିଲ୍ ଶେଷ ହେବା ପରେ ଡିଜନୀର ଷ୍ଟାର ନେଟୱାର୍କର ପୂରା କାରବାର ମୁକେଶ ଅମ୍ୱାନୀଙ୍କ ହୋଇଯିବ । ଏହାପରେ ମୁକେଶ ଅମ୍ୱାନୀ ବଡ଼ ନିଷ୍ପତ୍ତି ନେଇପାରନ୍ତି ।

ଏହି ମର୍ଜର ପରେ ଓଟିଟି ପ୍ଲାଟଫର୍ମ ଡିଜନୀ+ହଟ୍‌ଷ୍ଟାର ଉପରେ ବି ରିଲାଏନ୍ସର ମାଲିକାନ ହକ୍ ରହିବ । ଏହାରି ଭିତରେ ଇଟି ନିଜ ରିପୋର୍ଟରେ କହିଛି ଯେ ବିଲୟ ପରେ ମୁକେଶ ଅମ୍ୱାନୀଙ୍କ କମ୍ପାନି ଦୁଇଟି ଅଲଗା-ଅଲଗା ଓଟିଟି ପ୍ଲାଟଫାର୍ମ ପରିବର୍ତ୍ତେ ଗୋଟିଏ ହିଁ ପ୍ଲାଟଫର୍ମକୁ ଜାରି ରଖିପାରନ୍ତି । 

ଖବର ଅନୁସାରେ ରିଲାଏନ୍ସର ଭାୟକାମ ୧୮ ଏବଂ ଷ୍ଟାର୍ ଇଣ୍ଡିଆର ବିଲୟ ପୂରା ହେବା ପରେ ଜିଓ ସିନେମାକୁ ଡିଜନୀ+ହଟ୍‌ଷ୍ଟାର୍‌ରେ ମର୍ଜର କରିପାରନ୍ତି । ଏପରି ସ୍ଥଳେ କମ୍ପାନି ଡିଜନୀ+ହଟଷ୍ଟାର୍‌ ପ୍ଲାଟଫର୍ମକୁ ଚାଲୁ ରଖିପାରେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପୂର୍ବରୁ ଏପରି କାମ କରିସାରିଛି । ଜିଓ ସିନେମା ପୂର୍ବରୁ ଭାୟକମ୍ ୧୮ ନିକଟରେ ନିଜର ଓଟିଟି ପ୍ଲାଟଫର୍ମ Voot ଥିଲା, କିନ୍ତୁ ପରେ ଏହାକୁ ଜିଓ ସିନେମା ସହ ମର୍ଜର କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.