Jio, Airtel, Vi ବନାମ ଏଲନ ମସ୍କ, ଭାରତୀୟ ଟେଲିକମ୍ ସେକ୍ଟରରେ ଆରମ୍ଭ ହେଲା ନୂଆ ଲଢେଇ

Published By : Prameya-News7 Bureau | October 16, 2024 IST

abp live

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ସେକ୍ଟରରେ ଆରମ୍ଭ ହେଲା ନୂଆ ଲଢେଇ। ଦୁନିଆର ସବୁଠୁ ବଡ଼ ଧନୀ ଏଲନ ମସ୍କ ଭାରତୀୟ କୋଟିପତିଙ୍କ  ସହ ସିଧାସଳଖ ଲଢେଇ କରିବାକୁ ମଇଦାନକୁ ଓହ୍ଲାଇଛନ୍ତି। ଏହି ଲଢେଇ ଟେଲିକମ ସେକ୍ଟରକୁ ନେଇ ଆରମ୍ଭ ହେବାକୁ ଯାଉଛି। ଟେଲିକମ ପ୍ରଦାନକାରୀ ସେବା ଜିଓ, ଏୟାରଟେଲ୍ ଓ ଭୋଡାଫୋନ ଆଇଡିଆର ଲଢେଇ ଏବେ ଏଲନ ମସ୍କଙ୍କ କମ୍ପାନି ଷ୍ଟାରଲିଙ୍କ ସହ ସ୍ପେକ୍ଟ୍ରମ ବଣ୍ଟନକୁ ନେଇ ହେଉଛି। ଜିଓ  ଏବଂ ଏୟାରଟେଲ୍ ସାଟେଲାଇଟ ସ୍ପେକ୍ଟ୍ରମର ନିଲାମ ଚାହୁଁଥିବା ବେଳେ ମସ୍କଙ୍କ ଦାବି ଭିନ୍ନ ରହିଛି। ଆଉ ଏହାକୁ ନେଇ ରିଲାଏନ୍ସ ଜିଓ ସବୁଠୁ ଅଧିକ ମୁଖର ରହିଛି। 

ନିକଟରେ  ଜିଓ ପୂରା ମାମଲାରେ ଟ୍ରାଇକୁ ଚିଠି ଲେଖି ସାରିଛି। ଜିଓର କହିବା କଥା ସ୍ପେକ୍ଟ୍ରମକୁ ଏମିତି ନିଲାମ କରିବା ଉଚିତ୍, ଯେଉଁଥିରେ ପରମ୍ପରାଗତ ଅପରେଟର୍ସମାନଙ୍କୁ ବରାବର ସୁଯୋଗ ମିଳିବା ଦରକାର। ଏଠାରେ ପରମ୍ପରାଗତ ଅପରେଟର୍ସର ଅର୍ଥ ଜିଓ, ଏୟାରଟେଲ୍ ଓ ଭୋଡାଫୋନ ଆଇଡିଆ। ଏହି ତିନି ଟେଲିକମ କମ୍ପାନି ସ୍ପେକ୍ଟ୍ରମ କିଣି ଥିବା ବେଳେ ଏଥିପାଇଁ ସେମାନେ ଟେଲିକମ ଟାଓ୍ଵାର ଭିତ୍ତିଭୂମି ନିର୍ମାଣ କରିଛନ୍ତି।

ଅନ୍ୟପଟେ ମସ୍କଙ୍କ କମ୍ପାନି ଷ୍ଟାରଲିଙ୍କର ଦାବି ହେଉଛି ପ୍ରଶାସନିକ ଆବଣ୍ଟନ ଜରିଆରେ ସ୍ପେକ୍ଟ୍ରମ ଦିଆଯାଉ। ଏଥିରେ ଗ୍ଲୋବାଲ ଟ୍ରେଣ୍ଡରକୁ ଅନୁସରଣ କରିବା ଉଚିତ୍। ଏହି ପୂରା ମାମଲାରେ ଟେଲିକମ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ଲୋବାଲ ଟ୍ରେଣ୍ଡ ଆଡ଼କୁ ଢଳୁଥିବା ଦେଖିବାକୁ ମିଳିଛି। 

ଏହା ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠି ସାରିଛି ଯେ, ଏୟାରଓ୍ବେଭ୍ସକୁ ପ୍ରଶାସନିକ ଆବଣ୍ଟନ ଜରିଆରେ ଦିଆଯିବା ଉଚିତ୍ ନା ନିଲାମ ଜରିଆରେ। ସିନ୍ଧିଆ କହିଥିଲେ, ଟେଲିକମ ଆକ୍ଟ ୨୦୨୩ ଯାହା ଡିସେମ୍ବରରେ ପାରିତ ହୋଇଥିଲା, ତାର ଧାରା ୧ରେ ପ୍ରଶାସନିକ ଆବଣ୍ଟନକୁ ରଖା ଯାଇଛି। ଏହାର ଅର୍ଥ ସ୍ପେକ୍ଟ୍ରମକୁ ପ୍ରଶାସନିକ ଆବଣ୍ଟନ ଜରିଆରେ  ଜାରି କରାଯିବା ଉଚିତ୍। 

ସିନ୍ଧିଆ କହିଥିଲେ, ଏହାର ଅର୍ଥ ଏହା ନୁହେଁ ଯେ ବିନା କୌଣସି ଖର୍ଚ୍ଚରେ ସ୍ପେକ୍ଟ୍ରମ ମିଳିଯିବ। ଏହାର ମୂଲ୍ୟ କେତେ ରହିବ ଓ ମୂଲ୍ୟ ସ୍ଥିର କରାଯିବାର ଫର୍ମୁଲା କଣ ରହିବ, ଏହାକୁ ଆମେ କି ଆପଣ ସ୍ଥିର କରିବେ ନାହିଁ। ଏହା ସବୁ ଟ୍ରାଇ ସ୍ଥିର କରିବ। ଏହାକୁ ନେଇ ଟ୍ରାଇ ଏକ ପେପର ଜାରି କରିଛି। ଏହି ଅଥରିଟିକୁ ସମ୍ବିଧାନ ଦ୍ଵାରା ଏହା ସ୍ଥିର କରିବାର ଅଧିକାର ଦିଆଯାଇଛି ଯେ, ପ୍ରଶାସନିକ ଆବଣ୍ଟନର ମୂଲ୍ୟ କେତେ ରହିବ। ଟେଲିକମ ମନ୍ତ୍ରୀ କହିଛନ୍ତି, ଟ୍ରାଇ ଉନ୍ନତ ମୂଲ୍ୟାଙ୍କନ ସହ ଆସିବ ଏବଂ ଏହାକୁ ସମସ୍ତେ ଗ୍ରହଣ କରିବେ।

ସିନ୍ଧିଆ ଏହା ମଧ୍ୟ କହିଛନ୍ତି, ସାଟେଲାଇଟ୍ ସ୍ପେକ୍ଟ୍ରମର ନିଲାମ ସମଗ୍ର ଦୁନିଆରେ ପ୍ରଶାସନିକ ଜରିଆରେ କରାଯାଏ। ଏଥିପାଇଁ ଭାରତ କିଛି ଭିନ୍ନ ନୁହେଁ,  ଯଦି ଆପଣ ଏହାକୁ ନିଲାମ ପ୍ରକ୍ରିୟାରେ ଯିବେ ତେବେ ନିଶ୍ଚିତ ଭାବେ ଦୁନିଆଠୁ ଭିନ୍ନ ରହିବ। 

ପ୍ରକୃତ ମାମଲା କଣ ?

ଜିଓ, ଏୟାରଟେଲ୍ ଓ ଭୋଡାଫୋନ ଆଇଡିଆ ପରି କମ୍ପାନି  ଟେଲିକମ ସ୍ପେକ୍ଟ୍ରମ ଓ ଇନଫ୍ରାଷ୍ଟ୍ରକଚରରେ ବହୁତ ଅର୍ଥ ଖର୍ଚ୍ଚ କରିଛନ୍ତି। ଯଦି ଷ୍ଟାରଲିଙ୍କ ପରି କମ୍ପାନି ଭାରତକୁ ଆସେ ଏବଂ ସ୍ପେକ୍ଟ୍ରମ ପାଇଁ ତାକୁ ଅର୍ଥ ଖର୍ଚ୍ଚ କରିବାକ ନ ପଡ଼େ ତେବେ ଷ୍ଟାରଲିଙ୍କ ପରମ୍ପରାଗତ କମ୍ପାନି ସହ ସମାନ ହୋଇଯିବ। 

ପୂରା ମାମଲାରେ ଏୟାରଟେଲ୍ ମୁଖ୍ୟ ସୁନୀଲ ଭାରତୀ ମିତ୍ତଲ କହିଛନ୍ତି, ଯେଉଁ ସାଟେଲାଇଟ୍ କମ୍ପାନି ଭାରତର ସହରାଞ୍ଚଳରେ କାମ କରିବାକୁ ଚାହୁଁଛି ଓ ରିଟେଲ୍ ଗ୍ରାହକଙ୍କୁ ସେବା ଦେବାକୁ ଚାହୁଁଛି, ତାଙ୍କୁ ମଧ୍ୟ ଅନ୍ୟମାନଙ୍କ ପରି ଟେଲିକମ ଲାଇସେନ୍ସ ପାଇଁ ଅର୍ଥ ଦେବା ଉଚିତ୍। ତା ଉପରେ ସେହି ସର୍ତ୍ତ ଲାଗୁ ହେବା ଉଚିତ୍, ଯାହା ଅନ୍ୟ କମ୍ପାନି ଉପରେ ଲାଗୁ ହୋଇଛି। 

ମସ୍କ ଏହି ଲଢେଇରେ ପ୍ରବେଶ କରି ଜିଓର ଚିଠି ସହ ସୋସିଆଲ ମିଡିଆ  ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି, ମୁଁ କଲ୍ କରିବି ଏବଂ ପଚାରିବି ଯେ କଣ ଭାରତୀୟଙ୍କୁ ଇଣ୍ଟରନେଟ୍ ସେବା ପ୍ରଦାନ ପାଇଁ ଷ୍ଟାରଲିଙ୍କକୁ ଅନୁମତି ଦେବାରେ ଅଧିକ ସମସ୍ୟା ହେବ କି ? 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.