ମୋ ପାଇଁ ଗ୍ରୀନ କରିଡର ହେବନି କି ଟ୍ରାଫିକ ଅଟକିବନି: ମୁଖ୍ୟମନ୍ତ୍ରୀ ହେବା ପରେ ଓମାରଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | October 16, 2024 IST

indiatoday

ନୂଆଦିଲ୍ଲୀ: ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ନିର୍ଦ୍ଦେଶ ଜାରି କରି ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି ଓମାର ଅବଦୁଲ୍ଲା। ଓମାର ବୁଧବାର ନିର୍ଦ୍ଦେଶ ଜାରି କହିଛନ୍ତି ଯେ ସେ ଯାତ୍ରା କଲାବେଳେ ତାଙ୍କ ପାଇଁ କୌଣସି ଗ୍ରୀନ କରିଡର କରାଯିବ ନାହିଁ କି ଟ୍ରାଫିକ୍ ରୋକି ଅଯଥା ଲୋକଙ୍କୁ ହଇରାଣ କରାଯିବ ନାହିଁ। ଏନେଇ ଓମାର ଜାମ୍ମୁ-କାଶ୍ମୀର ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। 

ଓମାର ଟ୍ୱିଟ୍‌ରେ ଲେଖିଛନ୍ତି “ମୁଁ ଜାମ୍ମୁ କାଶ୍ମୀର ପୁଲିସ ଡିଜିଙ୍କ ସହିତ କଥା ହୋଇ କହିଛି ଯେ ମୁଁ ରାସ୍ତାରେ ଯେକୌଣସି ସ୍ଥାନକୁ ଯିବାବେଳେ କୌଣସି 'ଗ୍ରୀନ କରିଡର' କିମ୍ବା ଟ୍ରାଫିକ୍ ଅଟକି ରହିବ ନାହିଁ। ଲୋକଙ୍କୁ ଅସୁବିଧା ଯେମିତି ନହୁଏ ଏଥିପାଇଁ ପୁଲିସକୁ କମ୍ ସାଇରନ ବ୍ୟବହାର କରିବା ଓ ଲାଠି ଦେଖାଇବା କିମ୍ବା କୌଣସି ଆକ୍ରମଣାତ୍ମକ ଭଙ୍ଗୀ ପ୍ରଦର୍ଶନ ନ କରିବାକୁ ମୁଁ ପୁଲିସକୁ ନିର୍ଦ୍ଦେଶ ଦେଇଛି।”

ଓମାର ଏକ୍ସରେ ଆହୁରି କହିଛନ୍ତି “ ମୁଁ ମୋର କ୍ୟାବିନେଟର ସହଯୋଗୀମାନଙ୍କୁ ମଧ୍ୟ ଏହି ନିୟମ ମାନିବାକୁ କହିଛି। ଆମର ପ୍ରତ୍ୟେକ କାର୍ଯ୍ୟ ଲୋକାଭିମୁଖି ହେବା ଉଚିତ୍। ଆମେ ଲୋକଙ୍କ ସେବା ପାଇଁ ଅଛେ, ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିବାକୁ ନୁହେଁ।”

ଏହା ପୂର୍ବରୁ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ଓମାର ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲେ। ସେତେବେଳେ ମଧ୍ୟ ସେ ତାଙ୍କ କାର୍କେଡ୍‌କୁ ଟ୍ରାଫିକ ରୁଲ ମାନିବାକୁ ନିର୍ଦ୍ଦେଶ ଦେଇ ଉଦାହରଣ ସୃଷ୍ଟି କରିଥିଲେ।

ବୁଧବାର ଓମାର ଅବୁଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହିତ ଜାମ୍ମୁ-କାଶ୍ମୀର ବିଜେପି ମୁଖ୍ୟ ରବିନ୍ଦ୍ର ରାଇନାଙ୍କୁ ପରାସ୍ତ କରିଥିବା ଏନ୍‌ସି ନେତା ସୁରିନ୍ଦର ସିଂହ ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସୁରିନ୍ଦର ଜାମ୍ମୁରୁ ଆସୁଥିବାରୁ ପ୍ରତିନିଧି ହିସାବରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯଇଛି। 

ତେବେ କଂଗ୍ରେସ ଜାମ୍ମୁ-କାଶ୍ମୀରକୁ ରାଜ୍ୟର ମାନ୍ୟତା ଦେବାର କେନ୍ଦ୍ର ପ୍ରତିଶ୍ରୁତିର ବାହାନା କରି ନୂଆ ମନ୍ତ୍ରୀ ମଣ୍ଡଳରୁ ବାହାରେ ରହିଛି। ଯେପର୍ଯ୍ୟନ୍ତ ରାଜ୍ୟ ମାନ୍ୟତା ନ ମିଳିଛି ସେ ପର୍ଯ୍ୟନ୍ତ ଦଳ ଲଢ଼େଇ ଜାରି ରଖିବା ବୋଲି କଂଗ୍ରେସ କହିଛି। ବୁଧବାର ୫ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସରକାର ବିସ୍ତାର ହେଲେ ଖୁବ୍‌ଶୀଘ୍ର ଆଉ ୪ ମନ୍ତ୍ରୀଙ୍କୁ ଶପଥ ଦିଆଯିବ ବୋଲି ସୂଚନା ମିଳିଛି।

ସୂଚନା ଥାଉକି ଦଶନ୍ଧୀ ପରେ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଥିଲା। ବିଧାନସଭାର ୯୦ ଆସନରୁ କଂଗ୍ରେସ ଓ ଏନ୍‌ସି ମେଣ୍ଟ ୪୮ ଆସନ ଜିତିଥିଲା। ସେଥିରେ ଏନ୍‌ସି କେବଳ ୪୨ ଟି ଆସନ ଜିତିଥିବା ବେଳେ କଂଗ୍ରେସ ମାତ୍ର ୬ଟି ଆସନ ପାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.