ଶପଥପାଠ ଉତ୍ସବ ପରେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କୁ ଅଭିନନ୍ଦନ ଜଣେଇଲେ ରାହୁଲ ଗାନ୍ଧି, ଜାଣନ୍ତୁ କହିଲେ କ’ଣ ?

Published By : Prameya-News7 Bureau | October 16, 2024 IST

ଶ୍ରୀନଗର ୧୬।୧୦: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମୁଖ୍ୟମନ୍ତ୍ରୀ ହେବା ପରେ ବୁଧବାର ଉମର ଅବଦୁଲ୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ରାହୁଲ ଉଲ୍ଲେଖ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ କାଶ୍ମୀରବାସୀଙ୍କୁ ବଧେଇ। ତେବେ ରାଜ୍ୟମାନ୍ୟତା ବିନା ସରକାର ଗଠନ ଆଜି ଅଧୁରା ଅନୁଭବ ହେଲା। ଆଗକୁ ଲେଖିଛନ୍ତି ଯେ ଜମ୍ମୁ-କାଶ୍ମୀର ଲୋକଙ୍କଠୁ ଗଣତନ୍ତ୍ର ଛଡାଇ ନିଆଯାଇଛି ଓ ଆଜି ଆମେ ରାଜ୍ୟ ମାନ୍ୟତା ସମ୍ପୂର୍ଣ୍ଣ ମିଳିବା ପର୍ଯ୍ୟନ୍ତ ଆମ ଲଢେଇ ଜାରି ରଖିବା ପାଇଁ ଆମ ପ୍ରତିଜ୍ଞା ଦୋହରାଉଛୁ। 

ଉମର ଅବଦୁଲ୍ଲା ମଧ୍ୟ ଏକ୍ସ ରେ ରାହୁଲଙ୍କ ଶୁଭେଚ୍ଛା ବାର୍ତ୍ତାର ଜବାବ ଦେଇଛନ୍ତି ଓ ଶପଥପାଠ ଉତ୍ସବରେ ପ୍ରିୟଙ୍କା ଗାନ୍ଧିଙ୍କ ସହ ଯୋଗ ଦେଇଥିବାରୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ ଜବାବି ପୋଷ୍ଟରେ ଉଲ୍ଲେଖ କରିଛନ୍ତିଯେ ‘ଜମ୍ମୁ-କାଶ୍ମୀରର ଲୋକେ ତୁମଠାରୁ ନିରନ୍ତର ସମର୍ଥନର ଆଶା ରଖୁଛନ୍ତି, କାରଣ ଆମେ ରାଜ୍ୟମାନ୍ୟତା ଫେରି ପାଇବା ପାଇଁ କାମ କରୁଛୁ। ପ୍ରିୟଙ୍କା ଗାନ୍ଧିଙ୍କ ସହ ଆପଣଙ୍କ ଉପସ୍ଥିତି ଆମକୁ ବେଶ୍ ଉତ୍ସାହିତ କରିଛି ଓ ପରିବାର ଆପଣ ଦୁଇଜଣଙ୍କ ସହ କିଛି ସମୟ ବିତାଇ ବାସ୍ତବରେ ଖୁସି ଅନୁଭବ କରୁଛି’। 


ଜମ୍ମୁ-କାଶ୍ମୀର ଲାଗି ରାଜ୍ୟ ମାନ୍ୟତା ମିଳି ନଥିବାରୁ କଂଗ୍ରେସ ପାର୍ଟି ଅସନ୍ତୁଷ୍ଟ ବୋଲି ଜମ୍ମୁ-କାଶ୍ମୀର କଂଗ୍ରେସ କମିଟି (ଜେକେପିସିସି) ମୁଖ୍ୟ ତାରିକ ଅହମ୍ମଦ କର୍ରା ଏହା ପୂର୍ବରୁ କହିଥିଲେ। ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ମିଳିନଥିବାରୁ ଆମେ ବାସ୍ତବିକ୍ ଅସନ୍ତୁଷ୍ଟ।  ଏଣୁ ଏହି ସମୟରେ ଆମେ ମନ୍ତ୍ରୀମଣ୍ଡଳରେ ଯୋଗ ଦେଉ ନାହୁଁ ବୋଲି କହିଥିଲେ। ପ୍ରିୟଙ୍କା ଗାନ୍ଧି ମଧ୍ୟ ଏକ୍ସ ରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭୋଟ ମାଧ୍ୟମରେ ଗଣତନ୍ତ୍ର ଓ ନ୍ୟାୟ ପାଇଁ ରାଜ୍ୟବାସୀଙ୍କ ନିଷ୍ପତ୍ତିକୁ ଏବଂ ସେମାନଙ୍କ ଭୋଟ କ୍ଷମତାକୁ ପ୍ରିୟଙ୍କା ଧନ୍ୟବାଦ ଜଣାଇଛନ୍ତି। 



ସେ ଲେଖିଛନ୍ତି ଯେ ‘ଇଣ୍ଡିଆ’ମେଣ୍ଟ ସରକାର ପୁରା ସମର୍ପଣର ସହ କାମ କରିବ ଓ ଲୋକଙ୍କ ଲମ୍ବିତ ଅଧିକାର ସେମାନଙ୍କୁ ଦେଇକି ରହିବ। ତେବେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି କହିଛନ୍ତି। ହେଲେ ମନ୍ତ୍ରିମଣ୍ଡଳରୁ କଂଗ୍ରେସ ଦୂରେଇ ରହିବା ନ୍ୟାସନାଲ କନଫରେନ୍ସ ସହ ଫାଟ ନେଇ ଚର୍ଚ୍ଚାକୁ ବଳ ମିଳିଛି, କନ୍ତୁ ଉମର ଅବଦୁଲ୍ଲା ଏ କଥାକୁ ଖାରଜ କରିଦେଇଛନ୍ତି। ସେ କହିଛନ୍ତି କଂଗ୍ରେସ ତତ୍କାଳ ମନ୍ତ୍ରୀମଣ୍ଡଳରେ ସାମିଲ ହେବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ତେବେ କଂଗ୍ରେସ ପାଇଁ ମନ୍ତ୍ରୀପଦ ଖାଲି ରହିବ, କାରଣ ଦୁଇ ଦଳଙ୍କ ମଧ୍ୟରେ ଚର୍ଚ୍ଚା ଜାରି ରହିଛି।      



ଉଲ୍ଲେଖଯୋଗ୍ୟ ଯେ ନୂଆ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କାଶ୍ମୀରକୁ ବୁଧବାର ମୁଖ୍ୟମନ୍ତ୍ରୀ ମିଳିଛନ୍ତି। ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା ଶ୍ରୀନଗରର ଶେର-ଏ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (ଏସକେଆଇସିସି)ରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ତାଙ୍କ ସହିତ ୫ ବିଧାୟକ କ୍ୟାବିନେଟ ମନ୍ତ୍ରୀଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଏହି ଉତ୍ସବରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଓ ପ୍ରିୟଙ୍କା ଗାନ୍ଧି, ଫାରୁକ ଅବଦୁଲ୍ଲା, ଅଖିଳେଶ ଯାଦବ, ମହବୁବା ମୁଫ୍ତି, ସଞ୍ଜୟ ସିଂହ ଓ ଡି. ରାଜଙ୍କ ସମେତ ବଡ଼ବଡ଼ ନେତାମାନେ ଯୋଗ ଦେଇଥିଲେ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.