ବିବାଦୀୟ କାନାଡାର ପିତା-ପୁତ୍ର ସରକାର, ଭାରତ ପାଇଁ ସାଜିଛନ୍ତି କଣ୍ଟା

Published By : Prameya-News7 Bureau | October 16, 2024 IST

ନୂଆଦିଲ୍ଲୀ ୧୬/୧୦: ଭାରତ-କାନାଡା କୂଟନୈତିକ ବିବାଦ ତୀବ୍ର । କୂଟନୈତିକ ସମ୍ପର୍କରେ ପୁଣି ଥରେ ଫାଟ ସୃଷ୍ଟି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗ ଆହୁରି ବିଗିଡିଛି ସମ୍ପର୍କ । ଖଲିସ୍ତାନୀ ସମର୍ଥକ ନିଜାର ହତ୍ୟା ଘଟଣାରେ ଭାରତୀୟ ହାଇ କମିଶନରଙ୍କ ସମ୍ପୃକ୍ତି ଅବିଯୋଗ ଆଣିଛନ୍ତି କାନାଡା ସରକାର । ଯାହାକୁ ନେଇ ତେଜିଛି ଅସନ୍ତୋଷ । ତେବେ ଅଭିଯୋଗକୁ ଖଣ୍ଡନ କରିଛି ଭାରତ । ଚେତାବନୀ ଦେଇ ଭାରତ ସ୍ପଷ୍ଟ କରିଛି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରିଛି ଟ୍ରୁଡୋ । ତେବେ ସଂପର୍କ ତିକ୍ତ ହେବା ନୂଆ ନୁହେଁ । ଭାରତ-କାନାଡା ଟେନସନ ଇତିହାସରେ ଦଶନ୍ଧି ଦଶନ୍ଧି ଧରି । ଜଷ୍ଟିନଙ୍କ ପିତା ପିଆର ଏଲିଅଟ ପ୍ରଧାନମନ୍ତ୍ରୀ ଥିବାବେଳେ ଭାରତ ସହ ହୋଇଥିଲା ବିବାଦ । ସେଇଥିପାଇଁ ତ ଚର୍ଚ୍ଚା ଯେ ପିତାଙ୍କୁ ଅନୁସରଣ କରୁଛନ୍ତି ପୁଅ । 

୧୯୭୪ରେ ଭାରତର ଆଣବିକ ପରୀକ୍ଷଣ ସମୟ । ଆରମ୍ଭ ହୋଇଥିଲା କାନାଡାର ଐତିହାସିକ ତିକ୍ତତା । ତତ୍କାଳୀନ କାନାଡାର ପ୍ରଧାନମନ୍ତ୍ରୀ ତଥା ଟ୍ରୁଡୋଙ୍କ ପିତା ପିଆର ଟ୍ରୁଡୋ ପରୀକ୍ଷଣକୁ ନେଇ ଜାହିର କରିଥିଲେ ଅସନ୍ତୋଷ । ୧୯୯୮ରେ ରାଜସ୍ଥାନର ପୋଖରାନରେ ଭାରତର ଆଣବିକ ପରୀକ୍ଷଣ ପରେ ଏହି ତୀବ୍ର ହୋଇଥିଲା  ଉତ୍ତେଜନା । ଚୀନ୍‌ର ସୁରକ୍ଷା ବିପଦ ଏବଂ ଘରୋଇ ତଥା ବାହ୍ୟ କାରଣକୁ ଦୃଷ୍ଟିରେ ରଖି ଏହି ଆଣବିକ ପରୀକ୍ଷଣ କାନାଡା ଓ ଅଧିକାଂଶ ପାଶ୍ଚାତ୍ୟ ଦେଶ ସହ ଭାରତର ସମ୍ପର୍କ ଖରାପ ହେବାର କାରଣ । ଭାରତର ପରୀକ୍ଷଣକୁ ବିଶ୍ୱାସଘାତକତା ଭାବିଥିଲା କାନାଡା । ତତ୍କାଳୀନ ବୈଦେଶିକ ମନ୍ତ୍ରୀ ମିସେଲ ଶାର୍ପ କହିଥିଲେ କି, ଦୁଇ ଦେଶ ମଧ୍ୟରେ ହଜିଯାଇଛି ବିଶ୍ୱାସ ।

୧୯୮୦ରେ ଚରମ ସୀମାରେ ପହଞ୍ଚିଥିଲା ପଞ୍ଜାବରେ ଖଲିସ୍ତାନୀ ଉଗ୍ରବାଦୀଙ୍କ ଘଟଣା । ଭାରତ ସରକାର ସନ୍ତ୍ରାସବାଦ ବିରୋଧରେ ଆରମ୍ଭ କରିଥିଲେ ଅଭିଯାନ । ଭାରତରୁ ପଳାୟନ କରୁଥିବା ଖଲିସ୍ତାନଙ୍କ ପାଇଁ କାନାଡା ପାଲଟିଥିଲା ପ୍ରିୟ ସ୍ଥାନ । ପିଆରଙ୍କ କାର୍ଯ୍ୟକାଳ ସମୟରେ ଅନେକ ଖଲିସ୍ତାନୀ ଭାରତୀୟ ସରକାରଙ୍କଠାରୁ ପଳାଇ କାନାଡାରେ ନେଇଥିଲେ ଆଶ୍ରୟ । ୧୯୮୧ରେ ପଞ୍ଜାବରେ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା ପରେ ଖଲିସ୍ତାନୀ ଗୋଷ୍ଠୀର ବାବର ଖାଲସା ସଦସ୍ୟ ତଲୱିନ୍ଦର ସିଂ ପରମାର ପଳାଇଥିଲେ କାନାଡା । ପରେ ପାରମାରଙ୍କୁ ଫେରାଇବାକୁ ଅନୁରୋଧ କରିଥିଲା ଭାରତ । ହେଲେ ପିଆର ଟ୍ରୁଡୋ ପ୍ରଶାସନ ଭାରତର ଅନୁରୋଧକୁ କରିଥିଲା ପ୍ରତ୍ୟାଖ୍ୟାନ । ଏମିତିକି ଭାରତୀୟ ଗୁପ୍ତଚର ସଂସ୍ଥାଗୁଡ଼ିକର ଚେତାବନୀକୁ ବି ଦେଇନଥିଲେ ଧ୍ୟାନ ।  

୨୩ ଜୁନ୍ ୧୯୮୫, ଏୟାର ଇଣ୍ଡିଆ ଫ୍ଲାଇଟ୍ ରେ ବିସ୍ଫୋରଣ ପରେ ଦୁଇ ଦେଶ ମଧ୍ୟରେ ବଢିଥିଲା ତିକ୍ତତା ।କାରଣ ଏଥିରେ ପ୍ରାଣ ହରାଇଥିଲେ ୩୨୯ । ଯେଉଁଥିରେ ଥିଲେ ଅଧିକାଂଶ କାନାଡୀୟ । ଆକ୍ରମଣର ମାଷ୍ଟରମାଇଣ୍ଡ ଭାବେ ପାରମାରଙ୍କୁ କରାଯାଉଥିଲା ବିବେଚନା । କିନ୍ତୁ ପିଆର ଟ୍ରୁଡୋ ସରକାର ତାଙ୍କୁ କୋର୍ଟ ଚାଲାଣ କରିନଥିଲେ, ବିସ୍ଫୋରଣରେ ଜଣେ ବ୍ୟକ୍ତି ଥିଲେ ଦୋଷୀ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ତକ୍ତାଳୀନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । 


ପରମାଣୁ ପରୀକ୍ଷଣ ଓ ପଞ୍ଜାବର ଅନ୍ଧକାର ସମୟ ପରଠାରୁ ଜାରି ରହିଛି ଭାରତ-କାନାଡା ମଧ୍ୟରେ ବିବାଦ । ଅନେକ ରିପୋର୍ଟ କୁହେ ଭାରତ ବିରୋଧରେ ଷଡଯନ୍ତ୍ର କରୁଥିବା ଖଲିସ୍ତାନୀ ସମର୍ଥକଙ୍କ ପାଇଁ କାନାଡା ପାଲଟିଛି ନିରାପଦ ସ୍ଥାନ । ଜୁନ୍ ୨୦୨୩ରେ, କାନାଡାର ଅନେକ ସ୍ଥାନରେ ଲାଗିଥିଲା ପାରମାରଙ୍କ ପୋଷ୍ଟର । ତାଙ୍କୁ କୁହାଯାଉଥିଲା ରିଅଲ ହିରୋ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.