ଡିଭୋର୍ସର ଅଜବ ମାମଲା; ପତ୍ନୀ ରୋଷେଇ ଜାଣିନଥିବାରୁ ଛାଡ଼ପତ୍ର ଦେବ ସ୍ବାମୀ

Published By : Prameya-News7 Bureau | October 16, 2024 IST

ନୂଆଦିଲ୍ଲୀ ୧୬।୧୦: ଦିନକୁ ଦିନକୁ ବଢୁଛି ଛାଡପତ୍ର ନେଉଥିବା ଦମ୍ପତ୍ତିଙ୍କ ସଂଖ୍ୟା । ଅନେକ ସମୟରେ ସାମ୍ନାକୁ ଆସୁଛି ଛାଡପତ୍ରର ଅଜବ ମାମଲା । ଏବେ ମଧ୍ୟ ଏପରି ଏକ ମାମଲା ଖୁବ ଚର୍ଚ୍ଚାରେ । ବାସ୍ତବରେ ପତ୍ନୀ ରୋଷେଇ ଜାଣିନଥିବାରୁ ଜଣେ ବ୍ୟକ୍ତି ତାଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ଏହା ସତ । ସୋସିଆଲ୍‌ ମିଡିଆରେ ଏ ନେଇ ବ୍ୟକ୍ତି ଜଣକ ପୋଷ୍ଟ କରିଛନ୍ତ । 

ଯୁବକଙ୍କର ବୟସ ୨୮ ବର୍ଷ । ସେ ଜଣେ ୩୧ ବର୍ଷୀୟ ମହିଳାଙ୍କୁ ବିବାହ କରିଛନ୍ତି । ଦୁହେଁ ଏକ ବର୍ଷ ଧରି ଏକାଠି ରହୁଛନ୍ତି । କିନ୍ତୁ ପତ୍ନୀଙ୍କୁ ରୋଷେଇ କରିବା ଆଦୌ ଜଣା ନାହିଁ । ଏମିତିକି ତାଙ୍କୁ ଛୁରୀ ଧରିବା ମଧ୍ୟ ଜଣାନାହିଁ । ଏଥିପାଇଁ ସ୍ବାମୀ ପତ୍ନୀଙ୍କ ଠାରୁ ଛାଡପତ୍ର ନେବାକୁ ଚାହୁଁଛନ୍ତି । ବ୍ୟକ୍ତି ଜଣକ କହିଛନ୍ତି କି ସେ ସବୁବେଳେ ରୋଷେଇ କରୁଥିଲେ । କିନ୍ତୁ ସବୁବେଳେ ରୋଷେଇ କରିବା ପରେ ତାଙ୍କୁ ବିରକ୍ତ ଲାଗିଥିଲା । ଖାସ୍ କରି ଅଫିସ୍‌ରେ କାମ କରି ଆସିବା ପରେ ରୋଷେଇ କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ଥିଲା । 

ସେ ତାଙ୍କ ପତ୍ନୀଙ୍କୁ ରୋଷେଇ କରିବା ଶିଖାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ପତ୍ନୀ ଶିଖିବାକୁ ମନା କରି ଦେଇଥିଲେ । ସେ କହିଥିଲେ କି ରୋଷେଇ ନ ଜାଣିବା କିଛି ଖରାପ କଥା ନୁହେଁ । ଦିନେ ତାଙ୍କ ମା’ ରାତ୍ରୀଭୋଜନ ଲାଗି ଘରକୁ ଆସିଥିଲେ । କିନ୍ତୁ ମା ରୋଷେଇ କରିବା ସମୟରେ ପତ୍ନୀ ଠିକ୍‌ରେ ଛୁରୀ ମଧ୍ୟ ଧରିପାରି ନଥିଲେ।

ତେବେ ବ୍ୟକ୍ତି ଜଣକ ବିରକ୍ତ ହୋଇ ଛାଡ଼ପତ୍ର କଥା ଚିନ୍ତା କରୁଛନ୍ତି । ତଥାପି ସେ କାଉନ୍‌ସିଲିଂର ସହାୟତା ନେବେ । ଯଦି ଏହି ସମୟ ମଧ୍ୟରେ ତାଙ୍କର ସ୍ୱଭାବରେ ପରିବର୍ତ୍ତନ ନକରନ୍ତି ତେବେ ଅନ୍ତିମ ବିକଳ୍ପ ଛାଡ଼ପତ୍ର ହେବ ବୋଲି ବ୍ୟକ୍ତି ଜଣକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.