ହରିୟାଣାର ୨୦ ବିଧାନସଭା ଆସନରେ ପୁଣି ଥରେ ନିର୍ବାଚନ ପାଇଁ ଦାବି, ସୁପ୍ରିମକୋର୍ଟରେ ଆବେଦନ ଦାଖଲ

Published By : Prameya-News7 Bureau | October 16, 2024 IST

ନୂଆଦିଲ୍ଲୀ: ହରିୟାଣାର ୨୦ ବିଧାନସଭା ଆସନରେ ପୁଣି ଥରେ ନିର୍ବାଚନ କରାଇବା ଦାବି କରି ବୁଧବାର ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ସର୍ବୋଚ୍ଚ ଅଦାଲତରେ ଦାଖଲ ଯାଚିକାରେ ଇଭିଏମ୍ ରେଜଲ୍ଟ ସନ୍ଦିଗ୍ଧ ଥିବା ଅଭିଯୋଗ କରାଯାଇଛି । ସୁପ୍ରିମକୋର୍ଟରେ ପ୍ରିୟା ମିଶ୍ର ଏବଂ ବିକାଶ ସମ୍ୱଲଙ୍କ ପକ୍ଷରୁ ଆଇନଜୀବୀ ନରେନ୍ଦ୍ର ମିଶ୍ର ଏହି ଯାଚିକା ଦାଖଲ କରିଛନ୍ତି । ଯାଚିକାରେ କୁହାଯାଇଛି ଯେ ଭାରତୀୟ ନିର୍ବାଚନ ଆୟୋଗ ଇଭିଏମ୍ ଜରିଆରେ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ଏଥିରେ ଅଭିଯୋଗ କରାଯାଇଛି ଯେ ହରିୟାଣାର ୨୦ ବିଧାନସଭାରେ କିଛି ଇଭିଏମ୍ ୯୯ ପ୍ରତିଶତ ବ୍ୟାଟେରି କ୍ଷମତାରେ କାମ କରୁଥିଲା । ଅନ୍ୟପଟେ କିଛି ଇଭିଏମ୍ ୮୦ ପ୍ରତିଶତ କ୍ଷମତାରେ କାମ କରୁଥିଲା ।

ଆଇନଜୀବୀ ମିଶ୍ର କହିଛନ୍ତି ଯେ ୨୦୨୪ ଅକ୍ଟୋବର ୮ରେ ମତଗଣନା ଦିନ ୨୦ ବିଧାନସଭାରେ କିଛି ଇଭିଏମ୍ ୯୯ ପ୍ରତିଶତ ବ୍ୟାଟେରିରେ କାମ କରୁଥିଲା, ଅନ୍ୟ ଇଭିଏମ୍ ୬୦ ଏବଂ ୭୦ ପ୍ରତିଶତ ବ୍ୟାଟେରି କ୍ଷମତାରେ ଥିଲା । ଯାଚିକାରେ କଂଗ୍ରେସ ଦ୍ୱାରା ନିର୍ବାଚନ ଆୟୋଗଙ୍କ ନିକଟରେ କରାଯାଇଥିବା ଅଭିଯୋଗ ଉଲ୍ଲେଖ କରାଯାଇଛି । ଯେଉଁଥିରେ କିଛି ମତଦାନ କେନ୍ଦ୍ରରେ ବ୍ୟବହାର ହୋଇଥିବା ଇଭିଏମ୍‌ରେ ଏହି ଅସମାନତା ଦେଖିବାକୁ ମିଳିଥିଲା । ଯାଚିକାରେ କୁହାଯାଇଛି ଯେ ଏହି ସୂଚନା ମିଳିବା ପରେ କଂଗ୍ରେସ ପ୍ରାର୍ଥୀ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରସଙ୍ଗ ଉଠାଇଥିଲେ, କିନ୍ତୁ ଅଭିଯୋଗର କୌଣସି ସଠିକ୍ ଜବାବ ମିଳିନଥିଲା ।

ଆବେଦନରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ମତଦାନ ଦିନ ଜାରି ଡାଟା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି । ଏଥିରେ କୁହାଯାଇଛି ଯେ ନିର୍ବାଚନ ଆୟୋଗ ଭୋଟିଂ ଦିନ ସଂଧ୍ୟା ୭.୨୫ ମିନିଟରେ ଡାଟା ଜାରି କରିଥିଲେ ଯେ ୬୧.୧୯ ପ୍ରତିଶତ ମତଦାନ ହୋଇଛି, ଏହାପରେ ରାତି ୧୧.୪୫ ଏକ ନୂଆ ଡାଟା ଜାରି କରି ୬୫.୬୫ ପ୍ରତିଶତ ମତଦାନ ହୋଇଛି ବୋଲି ଉଲ୍ଲେଖ କରାଗଲା । ଆଇନଜୀବୀ ମିଶ୍ର କହିଛନ୍ତି ଯେ ଯେଉଁ ୨୦ ବିଧାନସଭା ଆସନରେ ପୁଣି ଥରେ ନିର୍ବାଚନ ପାଇଁ ଦାବି ହେଉଛି, ସେଠାରେ କଂଗ୍ରେସ ପରାସ୍ତ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.