କିଏ ଏହି ଜଗମୀତ ସିଂ, ଯିଏ RSS-ଭାରତ ଉପରେ କଟକଣା ଲଗାଇବାକୁ କରିଛନ୍ତି ଦାବି

Published By : Prameya-News7 Bureau | October 16, 2024 IST

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜରର ହତ୍ୟା ପରେ ଭାରତ ଓ କାନାଡ଼ା ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିଛି। ରୟାଲ କାନାଡିୟାନ ମାଉଣ୍ଟେଡ ପୋଲିସ(RCMP) ଅଭିଯୋଗ କରିଥିଲା ଯେ, ନିଜ୍ଜରର ହତ୍ୟାରେ କିଛି ଭାରତୀୟ କୂଟନୀତିଜ୍ଞଙ୍କ ସଂପୃକ୍ତି ରହିଛି। RCMPର ଏହି ଅଭିଯୋଗର ଗୋଟିଏ ଦିନ ପରେ କାନାଡର ନ୍ୟୁ ଡେମୋକ୍ରାଟିକ ପାର୍ଟି(ଏନଡିପି)ର ନେତା ଜଗମୀତ ସିଂଙ୍କ ବୟାନ ଭାରତ ଓ କାନାଡା ମଧ୍ୟରେ ସୃଷ୍ଟି ତିକ୍ତତାକୁ ଆହୁରି ବଢାଇ ଦେଇଛି। 

ଜଗମୀତ ସିଂ  କାନାଡ଼ା ସରକାରଙ୍କୁ କାନାଡ଼ାରେ ରାଷ୍ଟ୍ରୀୟ ସ୍ଵଂୟେବକ ସଂଘ(ଆରଏସଏସ)ର ନେଟଓ୍ଵର୍କ ଓ ଭାରତ ଉପରେ କୂଟନୀତିଜ୍ଞ କଟକଣା ଲଗାଇବାକୁ ଦାବି କରିଛନ୍ତି। ଉଲ୍ଲେଖନୀୟ ଜଗମୀତ ଦୀର୍ଘ ସମୟରୁ ଖାଲିସ୍ତାନ ଆନ୍ଦୋଳନ ସହ ଜଡ଼ିତ ଅଛନ୍ତି। 

କାନାଡ଼ାରେ ଖାଲିସ୍ତାନୀ ଆତଙ୍କୀ ହରଦୀପ ସିଂ  ହତ୍ୟା  ମାମଲାରେ RCMPର ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ ଭାରତ ସରକାରଙ୍କ ଏଜେଣ୍ଟ ଉପରେ ସାର୍ବଜନୀନ ସୁରକ୍ଷାକୁ ବିପଦରେ ପକାଉଥିବା ସଙ୍ଗୀନ ଅଭିଯୋଗ ହୋଇଛି। ଏହାକୁ ନେଇ ପ୍ରଥମେ କାନାଡ଼ା ଭାରତୀୟ ଉଚ୍ଚାୟୋଗ ସଞ୍ଜୟ କୁମାର ବର୍ମାଙ୍କ ସହିତ ୬ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି। ପ୍ରତିଜବାବରେ ଭାରତ ମଧ୍ୟ କାନାୱଡ଼ାର କାର୍ଯ୍ୟକାରୀ ଉଚ୍ଚାୟୋଗ ଷ୍ଟିଭର୍ଟ ହ୍ଵିଲରଙ୍କ ସହିତ ୬ କୂଟନୀତିଜ୍ଞଙ୍କୁ ବହିଷ୍କୃତ କରିଛି। ଏହା ପରଠୁ ଭାରତ ଓ କାନାଡ଼ା ମଧ୍ୟରେ ସଂପର୍କ ଅଧିକ ବିଗିଡ଼ିବାରେ ଲାଗିଛି। 

ଏହା ମଧ୍ୟରେ ଜଗମୀତ ସିଂଙ୍କ ବୟାନ ନିଆଁରେ ଘିଅ ଢାଳିବାର କାମ କରିଛି। ସେ କହିଛନ୍ତି ଆମେ ଭାରତର କୂଟନୀତିଜ୍ଞଙ୍କୁ କାନାଡ଼ାରୁ ବହିଷ୍କୃତ କରିବାର ନିଷ୍ପତ୍ତିକୁ ସମର୍ଥନ କରୁଛୁ। ଭାରତ ଉପରେ କୂଟନୀତିଜ୍ଞ ଓ କାନାଡ଼ାରେ ଆରଏସଏସ ନେଟଓ୍ଵର୍କ ଉପରେ କଟକଣା ଲଗାଇବାକୁ ସେ ଦାବି କରିଛନ୍ତି। ଏହା ବାଦ୍ କାନାଡ଼ା ମାଟିରେ ସଂଗଠିତ ଅପରାଧିକ ଗତିବିଧିରେ ସଂପୃକ୍ତ ପ୍ରତିଟି ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜଗମୀତ ସିଂ ଦାବି କରିଛନ୍ତି।

ଜଗମୀତ କହିଛନ୍ତି, କାନାଡ଼ା ନିକଟରେ ପ୍ରମାଣ ରହିଛି ଯେ, ନରେନ୍ଦ୍ର ମୋଦୀ ସରକାର କାନାଡ଼ା ମାଟିରେ ହରଦୀପ ସିଂ ନିଜ୍ଜର ହତ୍ୟାରେ ସାମିଲ ଥିଲା। କାନାଡ଼ାର ଶିଖ ସମୁଦାୟ ଭୟ, ଧମକ, ଉତ୍ପୀଡ଼ନ ଓ ହିଂସାରେ ଘେରି ହୋଇ ରହିଛନ୍ତି, ଯାହା ସ୍ଥିତିର ଗମ୍ଭୀରତାକୁ ଦର୍ଶାଉଛି।

କିଏ ଏହି ଜଗମୀତ ସିଂ

ଜଗମୀତ ସିଂଙ୍କ ଜନ୍ମ ୧୯୭୯ ଜାନୁଆରୀ ୨ରେ ସ୍କାରବୋରୋରେ ହୋଇଛି। ସେ କୌଣସି ପ୍ରମୁଖ କାନାଡାଇ ସଂଘୀୟ ରାଜନୈତିକ ପାର୍ଟିର ନେତୃତ୍ଵ ନେଉଥିବା ସଂଖ୍ୟାଲଘୁ ସମୁଦାୟର ପ୍ରଥମ ବ୍ୟକ୍ତି। ତାଙ୍କ ବାପା-ମାଆ ଅନେକ ଦଶନ୍ଧି ପୂର୍ବେ ଭାରତର ପଞ୍ଜାବରୁ କାନାଡ଼ା ଚାଲି ଆସିଥିଲେ। ଜଗମୀତ ଜଣେ ଓକିଲ ଓ ମାନବାଧିକାରୀ କର୍ମୀ ଥିଲେ। 

ସେ ଓ୍ଵେଷ୍ଟର୍ଣ୍ଣ ଓଣ୍ଟାରିୟୋ ବିଶ୍ଵ ବିଦ୍ୟାଳୟରୁ ୨୦୦୧ରେ ଜୀବ ବିଜ୍ଞାନରେ ସ୍ନାତକ ଓ ୟର୍କ ବିଶ୍ଵ ବିଦ୍ୟାଳୟର ଅଗୁଡ ହଲ୍ ଲ ସ୍କୁଲରୁ ୨୦୦୫ରେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। 

କେମିତି ଥିଲା କ୍ୟାରିୟର ?

ଜଗମୀତ ୨୦୧୧ରେ ରାଜନୀତିକୁ ଆସିବା ପୂର୍ବରୁ ଗ୍ରେଟର ଟୋରଣ୍ଟୋରେ କ୍ରାଇମ ଓକିଲ ଭାବେ କାମ ଆରମ୍ଭ କରିଥିଲେ। ସେ ୨୦୧୧ରେ ଓଣ୍ଟାରିୟୋର ପ୍ରାନ୍ତୀୟ ସଂସଦ ସଦସ୍ୟ(ଏମପିପି) ଭାବେ ସାର୍ବଜନୀନ ପଦ ସମ୍ଭାଳିଥିଲେ ଏବଂ ୨୦୧୭ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ସେ ଓଣ୍ଟାରିୟୋର ବିଧାୟିକାରେ ପଗଡ଼ି ପିନ୍ଧିବାରେ ପ୍ରଥମ ଶିଖ ବ୍ୟକ୍ତି ଥିଲେ।

୨୦୧୭ ଅକ୍ଟୋବରରେ ସେ ଏନଡିପିର ନେତା ହୋଇ ଜାତୀୟସ୍ତରରେ ପ୍ରସିଦ୍ଧି ଲାଭ କରିଥିଲେ। ସେ ନିବାସ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ସହିତ ପ୍ରଗତିଶୀଳ ନୀତିର ସମର୍ଥକ ରହି ଆସିଛନ୍ତି। 

କାହିଁକି ରହିଲେ ବିବାଦରେ

ଜଗମୀତ ୨୦୧୯ରେ ବ୍ରିଟିଶ କଲୋମ୍ବିଆର ବର୍ଣ୍ଣବାର୍ଡ ସାଉଥରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ଖାଲିସ୍ତାନର ସମର୍ଥକ ରହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ସମାଲୋଚକ ରହିବା କାରଣରୁ ବିବାଦକୁ ଆସିଥିଲେ। ଚରମପନ୍ଥୀଙ୍କ ସହ ସଂପର୍କ କାରଣରୁ ତାଙ୍କୁ ୨୦୧୩ରେ ଭାରତର ଭିସା ଦେବାକୁ ମନା କରି ଦିଆଯାଇଥିଲା। ସେ ସର୍ବଦା ଭାରତ ବିରୋଧୀ ମନ୍ତବ୍ୟ ଦେଇ ଆସିଛନ୍ତି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.