ଅର୍ଥମନ୍ତ୍ରୀଙ୍କ ଘୋଷଣା ଏବେ ବେତନଭୋଗୀ ବର୍ଗଙ୍କ ନିମନ୍ତେ ଲାଗୁ, ଆଗକୁ ଦେବାକୁ ହେବ କମ Tax

Published By : Prameya-News7 Bureau | October 17, 2024 IST

ନୂଆଦିଲ୍ଲୀ ୧୭।୧୦: ଯଦି ଆପଣ ବେତନ ଭୋଗୀ ଓ ପ୍ରତି ମାସରେ ଆପଣ ଟିଡିଏସ୍ କଟାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ କାମର ଖବର। ଗତ ଜୁଲାଇରେ ୨୦୨୪-୨୫ କେନ୍ଦ୍ର ବଜେଟ ଉପସ୍ଥାପନା କାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଥିବା ଘୋଷଣା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ନୂଆ ଫର୍ମ ‘୧୨ବିଏଏ’ ଜାରି କରିଛନ୍ତି। ଏହି ଫର୍ମ ମାଧ୍ୟମରେ କର୍ମଚାରୀ ନିଯୁକ୍ତିଦାତାଙ୍କୁ ତାଙ୍କ ବେତନ ବ୍ୟତୀତ ଅନ୍ୟ ସୋର୍ସରେ କଟୁଥିବା ଟ୍ୟାକ୍ସର ସୂଚନା ଏବେ ଦେଇ ପାରିବେ। 

ଏହି ଫର୍ମରେ ଫିକ୍ସଡିପୋଜିଟ (ଏଫଡି), ବୀମା, ଇକ୍ୱିଟି ସେୟାରରୁ ମିଳୁଥିବା ଡିଭିଡେଣ୍ଟ ଓ କାର ଋଣ ଆଦିର ସୂଚନା ଦେଇ ହେବ। ସାଧାରଣତଃ ନିଯୁକ୍ତିଦାତା କର୍ମଚାରୀଙ୍କ ଦ୍ୱାରା କରାଯାଉଥିବା ନିବେଶ ଘୋଷଣା ଆଧାରରେ ବେତନରୁ ଟିଡିଏସ୍ କାଟନ୍ତି। ଟ୍ୟାକ୍ସ ଡିଡକ୍ସନ ପାଇଁ ନିବେଶ ଓ ଖର୍ଚ୍ଚକୁ ଧ୍ୟାନରେ ରଖା ଯାଏ। କିନ୍ତୁ ନିଯୁକ୍ତିଦାତା କର୍ମଚାରୀଙ୍କ ପକ୍ଷରୁ ଅନ୍ୟ ବାବଦେ ଦିଆଯାଉଥିବା ଶୁଳ୍କକୁ ଆଡଜଷ୍ଟ କରୁ ନଥିଲେ। ହେଲେ ଅର୍ଥମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହେବା ପରେ ଏବେ ନିଯୁକ୍ତିଦାତା କର୍ମଚାରୀ ଅନ୍ୟସ୍ଥାନରେ ଦେଉଥିବା ଟ୍ୟାକ୍ସର ସୂଚନା ମଧ୍ୟ ସଂଗ୍ରହ କରିବେ ଓ ସେହି ଅନୁସାରେ ତାଙ୍କର ବେତନରୁ ଟିଡିଏସ୍ ଡିଡକ୍ସନ ହେବ। 

ନୂଆ ଫର୍ମ ଯୋଗେ କର୍ମଚାରୀ ତାଙ୍କ ନିଯୁକ୍ତିଦାତାଙ୍କୁ ଟିସିଏସ୍ ଓ ଟିଡିଏସ୍ କାଟର ସୂଚନା ଦେଇ ତାଙ୍କ ବେତନରୁ ହେଉଥିବା ଟ୍ୟାକ୍ସ କାଟକୁ ହ୍ରାସ କରିପାରିବେ। ଫଳରେ ଖର୍ଚ୍ଚ କରିବା ପାଇଁ କର୍ମଚାରୀଙ୍କ ଅଧିକ ପଇସା ବଞ୍ଚିବ ଓ ତାଙ୍କର ସଞ୍ଚୟ ଅଭ୍ୟାସ ମଧ୍ୟ ବଢିବ। ଏଥିପାଇଁ ସିବିଡିଟି ଅକ୍ଟୋବର ୧୫ ତାରିଖ ଦିନ ନୋଟିଫିକେସନ ମାଧ୍ୟମରେ ନୂଆ ଫର୍ମ ଜାରି କରିଛନ୍ତି। ଟିସିଏସ୍ ଓ ଟିଡିଏସ୍ କାଟ ସମ୍ପର୍କରେ ସୂଚନା ଦେବା ସମ୍ପର୍କିତ ଆଇନ ଦେଶରେ ୧ ଅକ୍ଟୋବରରୁ କାର୍ଯ୍ୟକାରୀ ହୋଇଛି। ଫଳରେ କର୍ମଚାରୀ ଏବେ ନିଯୁକ୍ତିଦାତାଙ୍କୁ ଅନ୍ୟ ସୋର୍ସରେ କଟାଯାଇଥିବା ଟିଡିଏସ୍ ସମ୍ପର୍କରେ ସୂଚନା ଦେଇ ପାରିବେ। 

ଫର୍ମ ୧୨ବିଏଏ ଠିକ୍ ଫର୍ମ ୧୨ବିବି ଭଳି ଯାହାକୁ କର୍ମଚାରୀ ନିଜ ନିବେଶ ସମ୍ପର୍କିତ ସୂଚନା ନିଯୁକ୍ତିଦାତାଙ୍କୁ ଜଣାଇବା ପାଇଁ ବ୍ୟବହାର କରନ୍ତି। ଆୟକର ନିୟମ ଅନୁସାରେ ନିଯୁକ୍ତିଦାତା ଆୟକର ଅଧିନିୟମର ସେକ୍ସନ ୧୯୨ ଅନୁସାରେ କର୍ମଚାରୀଙ୍କୁ ଦେଉଥିବା ବେତନରୁ ଶୁଳ୍କ କାଟିବେ। ଏହି ଶୁଳ୍କ କର୍ମଚାରୀ ବାଛିଥିବା ଟ୍ୟାକ୍ସ ରିଜିମ ଅନୁସାରେ କଟାଯିବ। ତେବେ କର୍ମଚାରୀ ନୂଆ ଅଥବା ଓଲ୍ଡ ଟ୍ୟାକ୍ସ ରିଜିମକୁ ବାଛିବେ ସେ ନେଇ ସେ ସମ୍ପୂର୍ଣ୍ଣ ସ୍ୱାଧୀନ। ଓଲ୍ଡ ଟ୍ୟାକ୍ସ ରିଜିମ ଅନୁସାରେ କର୍ମଚାରୀ ଏଚଆରଏ ଓ ଲିଭ ଟ୍ରାଭେଲ ଆଲାଉନ୍ସ (ଏଲଟିଏ) ଆଦି ମାଧ୍ୟମରେ ଟ୍ୟାକ୍ସ ରିହାତି ଦାବି କରନ୍ତି। ସେହିପରି ନୂଆ ଟ୍ୟାକ୍ସ ରିଜିମରେ ବେତନରୁ ଟିଡିଏସ କମେଇବା ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ଓ ଏନପିଏସରେ ଯୋଗଦାନକୁ ଅନୁମତି ଦେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.