ଶାରଦୀୟ ନବରାତ୍ରିର ପ୍ରାରମ୍ଭ ଗୁରୁବାର, ଜାଣନ୍ତୁ ଘଟ ଉଦଯାପନ ହେବ କେବେ?

Published By : Prameya-News7 Bureau | October 02, 2024 IST

ନୂଆଦିଲ୍ଲୀ ୨।୧୦: ଆଶ୍ୱିନ ଶାରଦୀୟ ନବରାତ୍ରିକୁ ପ୍ରତ୍ୟକ୍ଷ ନବରାତ୍ରି ଭାବେ ଜଣାଯାଏ, ଯାହାକୁ ସାରା ଦେଶରେ ଧୁମଧାମର ସହ ପାଳନ କରାଯାଏ। ପଞ୍ଚାଙ୍ଗ ଅନୁସାରେ ୯ ଦିବସୀୟ ନବରାତ୍ରି ପର୍ବ ଆଶ୍ୱିନ ଶୁକ୍ଳପକ୍ଷ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ। ତିଥି ଅନୁସାରେ ଏଥର ସାରଦୀୟ ନବରାତ୍ରିର ପ୍ରାରମ୍ଭ ୩ ଅକ୍ଟୋବର ଗୁରୁବାର ହେଉଛି, ଯାହାର ସମାପନ ୧୨ ଅକ୍ଟୋବରରେ ହେବ। ନବରାତ୍ରିର ଏହି ୯ ଦିନରେ ଜଗତ ଜନନୀ ଆଦିଶକ୍ତି ମା ଦୁର୍ଗାଙ୍କ ୯ ଅଲଗା ଅଲଗା ରୂପକୁ ପୂଜା କରାଯାଏ। 

ନବରାତ୍ରିରେ ମା ଦୁର୍ଗାଙ୍କ ଧରାବତରଣ ଖାସ ବାହନରେ ହୋଇଥାଏ, ଯାହାର ଜ୍ୟୋତିଷୀରେ ଅଲଗା ଅଲଗା ଅର୍ଥ ନିରୁପଣ କରାଯାଇଥାଏ। ମାଙ୍କ ଆଗମନ ଓ ପ୍ରସ୍ଥାନ ବାହନ ଅନୁସାରେ ଦେଶ ଦୁନିଆର ପ୍ରକୃତି, ଫସଲ ଓ ମାନବୀୟ ଜୀବନ ଉପରେ ପଡୁଥିବା ଭଲ ଖରାପ ପ୍ରଭାବର ଅନୁମାନ କରାଯାଇଥାଏ। ଏଣୁ ନବରାତ୍ରିରେ ମା ଦୁର୍ଗାଙ୍କ ବାହନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। 

ପାଲିଙ୍କିରେ ଆସିବେ ମା
ମାଙ୍କ ଆଗମନ ଓ ବିଦାୟୀରେ ବାହନ କଣ ହେବ ତାହା ସପ୍ତାହର ବାର ଅନୁସାରେ ଧାର୍ଯ୍ୟ ହୋଇଥାଏ। ଏଣୁ ପ୍ରତ୍ୟେକଥର ମାଙ୍କ ନବରାତ୍ରିରେ ବାହନ ବଦଳିଥାଏ। ଏଥର ଶାରଦୀୟ ନବରାତ୍ରିର ପ୍ରାରମ୍ଭ ଗୁରୁବାର ହେବ। ଏଣୁ ମା ପାଲିଙ୍କିରେ ଆସିବେ। କୁହାଯାଏ ଯେବେ ନବରାତ୍ରି ଗୁରୁବାର ଆରମ୍ଭ ହୁଏ ମା ପାଲିଙ୍କି ବା ଡୋଲିରେ ଆସନ୍ତି। 

ମା ପାଲିଙ୍କିରେ ଆସିବା ଶୁଭ ନା ଅଶୁଭ?
ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ ନବରାତ୍ରିରେ ମା ଦୁର୍ଗା ଯେବେ ପୃଥିବୀକୁ ଡୋଲି ବା ପାଲିଙ୍କିରେ ଆଗମନ କରନ୍ତି ଏହାକୁ ଶୁଭ ସଂକେତ ମନେ କରାଯାଏ ନାହିଁ।  ଏହା କୌଣସି ବଡ଼ ରୋଗ ପୃଥିବୀରେ ବ୍ୟାପିବାର ସଂକେତ ଦେଉଛି। ଏହା ଛଡା ଅର୍ଥ ବ୍ୟବସ୍ଥା, ବ୍ୟାପାର ଓ ଦେଶ ଦୁନିଆ ଉପରେ  ମଧ୍ୟ ବ୍ୟାପକ ପ୍ରଭାବ ପକାଇବ। ମା ପାଲିଙ୍କିରେ ଆସିବା ଯୋଗୁ ଆର୍ଥିକ ହ୍ରାସର ସଂକେତ ଦେଉଥିବା ବେଳେ ବ୍ୟବସାୟ ବାଣିଜ୍ୟରେ ମାନ୍ଦାବସ୍ଥାକୁ ମଧ୍ୟ ଦର୍ଶାଉଛି। 

ଚରଣ ବାହନରେ କରିବେ ପ୍ରସ୍ଥାନ
ଏଥର ନବରାତ୍ର ଶନିବାର ଉଦଯାପନ ହେଉଛି। ଅର୍ଥାତ ମା ଚରଣ ବାହନରେ ଧରାପୃଷ୍ଠରୁ ବିଦାୟ ନେବେ। ଯାହା ଦେଶ ଦୁନିଆ ପାଇଁ ଅତ୍ୟନ୍ତ ଅଶୁଭ ବୋଲି ମନେ କରାଯାଉଛି। ଚରଣ ବାହନ ଯୋଗୁ ଦେଶରେ ରୋଗ ଓ ଶୋକ ବଢିବ। ତେବେ ନବରାତ୍ରିରେ ବ୍ରତ ରଖୁଥିବା ଓ ଉପାସନା କରୁଥିବା ଲୋକଙ୍କ ଉପରେ ବର୍ଷତମାମ ମାଙ୍କ କୃପା ଦୃଷ୍ଟି ରହିଥାଏ। ଆପଣ ପ୍ରତ୍ୟେକ କାମରେ ସଫଳତା ପାଇବା ପାଇଁ ନବରାତ୍ରି ଅଷ୍ଟମୀରେ ମହାଗୌରୀଙ୍କୁ ପଦ୍ମଫୁଲ ଅଥବା ମନ୍ଦାର ମାଳା ଚଢାନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.