WHO ମୁଖ୍ୟଙ୍କ ଭୟାନକ ଚେତାବନୀ, ଜାଣନ୍ତୁ ଆଗାମୀ ମହାମାରୀକୁ ନେଇ କହିଛନ୍ତି କ’ଣ?

Published By : Prameya-News7 Bureau | April 10, 2025 IST

ଜେନିଭା ୧୦।୪: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମହାନିର୍ଦ୍ଦେଶକ ଡା.ଟେଡ୍ରୋସ ଅଦନୋମ ଘେବ୍ରେୟସସ୍ ଏପରି ଏକ ଚେତାବନୀ ଦେଇଛନ୍ତି ଯାହା ବିଶ୍ୱକୁ ଆଚମ୍ବିତ କରିଛି। ସେ କହିଛନ୍ତି ଆଗାମୀ ମହାମାରୀ ଅବଶ୍ୟମ୍ଭବୀ ଓ ଏହା ନିଶ୍ଚିତ ଆସିବ। ହୁଏତ ଏହା ୨୦ ବର୍ଷରେ ଆସିବ ଅଥବା କାଲି, କିନ୍ତୁ ନିଶ୍ଚିତ ଆସିବ। ଡବ୍ଲୁଏଚଓ ମୁଖ୍ୟଙ୍କ ଏହି ବିପଦଜନକ ଚେତାବନୀ ବିଶ୍ୱରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଡବ୍ଲୁଏଚଓ ବୈଠକରେ ସେ ଆଗାମୀ ବୈଶ୍ୱିକ ମହାମାରୀ ବିଜ୍ଞାନର ନିଶ୍ଚିତ ତଥ୍ୟ। ଏଣୁ ଏଥି ପାଇଁ ପ୍ରସ୍ତୁତି କରିବାକୁ ପଡିବ ବୋଲି କହିଛନ୍ତି। 

ଡା.ଘେବ୍ରେୟେସସ୍ କହିଛନ୍ତି ଯେ ଆଜି ବିଶ୍ୱରେ ଅନେକ ଅନ୍ୟ ଚ୍ୟାଲେଞ୍ଜ ରହିଛି, ଆର୍ଥିକ ଓ ଭୂ ରାଜନୈତିକ ଭୂକମ୍ପ ଆଗରେ ସରକାରମାନେ ମହାମାରୀ ଆହ୍ୱାନକୁ ପଛ କରିଦେଇଛନ୍ତି। ବିଶ୍ୱ ଏବେ ଯୁଦ୍ଧ ଓ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି। ଏଣୁ ଲୋକେ ଓ ସରକାର ଭାବୁଛନ୍ତି କୋଭିଡ-୧୯ ଅତୀତର କଥା। ତେବେ ଆପଣମାନଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ପଡିବ ଯେ ଆଗାମୀ ମହାମାରୀ ଏ ସବୁ କଥାକୁ ଅପେକ୍ଷା କରିବନି। 

କରୋନା ଭାଇରସ ମହାମାରୀର ବିନାଶକାରୀ ପ୍ରଭାବକୁ ମନେ ପକାଇ ସେ କହିଛନ୍ତି ଏହା ଭୁଲିଯିବା ଉଚିତ ନୁହେଁ ଯେ ଏହି ମାମାରୀ ସାରା ବିଶ୍ୱରେ ୭୦ ଲକ୍ଷ ଲୋକଙ୍କ ଜୀବନ ନେଇଯାଇଛି, ଯାହା ଏକ ସରକାରୀ ତଥ୍ୟ। ତେବେ ଏହି ମହାମାରୀରେ ସାରା ବିଶ୍ୱରେ ୨ କୋଟିରୁ ଅଧିକ ଲୋକେ ପ୍ରାଣହରାଇଥିଲେ। ଡା. ଘେବ୍ରେୟେସସ୍ କହିଛନ୍ତି ଯେ କରୋନା ଭାଇରସ ମହାମାରୀ ବିଶ୍ୱକୁ ୧୦ହଜାର ବିଲିୟନ ଡଲାର କ୍ଷତିରେ ପକାଇଛି। ଏହି ମହାବିନାଶ ବୈଶ୍ୱିକ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଣାଳୀକୁ ମଜଭୁତ କରିବାକୁ ବାଧ୍ୟ କରିଛି। ଏଣୁ ସରକାରମାନଙ୍କୁ ଏଥି ପ୍ରତି ଅବିଳମ୍ବେ ଧ୍ୟାନ ଦେବାକୁ ପଡିବ ବୋଲି ସେ କହିଛନ୍ତି। 

ଡବ୍ଲୁଏଚଓ ମୁଖ୍ୟ କହିଛନ୍ତି ଯେ ଆଗାମୀ ମହାମାରୀକୁ ଧ୍ୟାନରେ ରଖି ଅବିଳମ୍ବେ ଏକ ମହାମାରୀ ବୁଝାମଣାର ଆବଶ୍ୟକତା ରହିଛି, ଯାହା ଦ୍ୱାରା ବିଶ୍ୱସ୍ତରରେ ସରକାର ମହାମାରୀ ମୁକାବିଲା ରଣନୀତିରେ ବୈଶ୍ୱିକ ଭାଗିଦାରୀର ବାଧ୍ୟ ବାଧକତାରେ ବନ୍ଧା ହୋଇ ରହିବେ। ବୈଶ୍ୱିକ ମହାମାରୀର ନିୟନ୍ତ୍ରଣ, ସୁରକ୍ଷା, ପ୍ରସ୍ତୁତି ଓ ପ୍ରବନ୍ଧନ ଅନ୍ତର୍ଜାତୀୟ ସିଷ୍ଟମରେ ପରିଣତ ହେଉ। ସେ କହିଛନ୍ତି ଯେ ଏହି ବୁଝାମଣା ଏପରି ହେବା ଉଚିତ ଯେ ଯେଉଁଥିରେ କୌଣସି କ୍ଷୁଦ୍ର ଅଥବା ଗରିବ ଦେଶ ପ୍ରତି ଯେପରି ପାତରଅନ୍ତର ନ ହୁଏ। 

ଏଥି ପାଇଁ ସେ ଜାତି ସଂଘ ଅନ୍ତର୍ଗତ ଦେଶମାନଙ୍କୁ ଆହ୍ୱାନ ଦେଇଛନ୍ତି ଯେ ଏ ଦିଗରେ ସେମାନେ ଅବିଳମ୍ବେ ଆଗକୁ ବଢନ୍ତୁ ଓ ଏକ ସାର୍ବଭୌମ ଓ ସମଗ୍ର ବୁଝାମଣାରେ ସ୍ୱାକ୍ଷର କରନ୍ତୁ। ସେ ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ପ୍ରତିନିଧିଙ୍କୁ ନିବେଦନ କରିଛନ୍ତି ଯେ ଆପଣମାନେ ଗତ ୩ ବର୍ଷ ହେଲା ଜଣେ ଜଣକ ସମ୍ପର୍କରେ ଆସିଛନ୍ତି। ଏହି ଦିଗରେ ସିଡି ପରେ ସିଡି ଆଗକୁ ବଢିଛନ୍ତି। ଏବେ ଏହାକୁ ଚୂଡ଼ାନ୍ତ ରୂପ ଦେବାର ସମୟ ଆସିଛି। ଏଥି ପାଇଁ ଏକ ସର୍ବମାନ୍ୟ ବୁଝାମଣା ପାଇଁ ପ୍ରସ୍ତୁତ ହୁଅନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.