ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ନିଜର ଆଗାମୀ ଭାରତ-ଆମେରିକୀୟ ସ୍ପେସ୍ ମିଶନ ପାଇଁ ନିଜର ସବୁଠୁ ଯୁବ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲାଙ୍କୁ ପ୍ରାଇମ୍ ଆଷ୍ଟ୍ରୋନଟ୍ ଭାବେ ଚୟନ କରିଛି । ଶୁଭାଂଶୁ ଶୁକ୍ଲା ଅନ୍ତରାଷ୍ଟ୍ରୀୟ ସ୍ପେସ୍ ଷ୍ଟେସନରେ ଭାରତର ପ୍ରତିନିଧିତ୍ୱ କରିବେ । ନିକଟରେ ଶୁକ୍ଲାଙ୍କୁ ପଦୋନ୍ନତି ଦିଆଯାଇଥିଲା ।
ଶୁଭାଂଶୁ ଶୁକ୍ଲା ରାଷ୍ଟ୍ରୀୟ ସୁରକ୍ଷା ଏକାଡେମୀର ପୂର୍ବତନ ଛାତ୍ର । ୨୦୦୬ ଜୁନ୍ ୧୭ରେ ସେ ଭାରତୀୟ ବାୟୁ ସେନାର ଫାଇଟର୍ ୱିଙ୍ଗରେ ମୁତୟନ ହୋଇଥିଲେ । ୧୯୮୫ ଅକ୍ଟୋବର ୧୦ରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଶୁଭାଂଶୁ ଶୁକ୍ଲାଙ୍କ ଜନ୍ମ ।
ଶୁଭାଂଶୁ ଜଣେ କମ୍ୱାଟ୍ ଲିଡର୍ ଏବଂ ଟେଷ୍ଟ ପାଇଲଟ୍ । ତାଙ୍କ ପାଖରେ ୨ ହଜାର ଘଣ୍ଟାର ଉଡାଣ ଅନୁଭବ ଅଛି । ସମୟ ସହ ସେ ନିଜ କ୍ଷେତ୍ରରେ ନିପୁଣତା ହାସଲ କରିଛନ୍ତି । ସେ ସୁଖୋଇ 30MKI, ମିଗ୍-୨୧, ମିଗ୍-୨୯, ଜାଗୁଆର, ହକ୍, ଡୋର୍ନିୟର ଏବଂ ଏନ୍-୩୨ ସହ ଅନେକ ପ୍ରକାର ବିମାନ ଉଡାଇ ସାରିଛନ୍ତି । ଶୁଭାଂଶୁ ରୁଷ ଏବଂ ଆମେରିକାରେ ଚାରି ବର୍ଷ ଯାଏ କଠିନ ପ୍ରଶିକ୍ଷଣ ହାସଲ କରିଛନ୍ତି । ଇସ୍ରୋର ଏହି ମିଶନରେ ଚୟନ ହେବା ପୂର୍ବରୁ ସେ ଗଗନଯାନ ମିଶନ ପାଇଁ ଚୟନ ହୋଇଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।