ମୁଖ୍ୟମନ୍ତ୍ରୀ କିଏ ହେବ ୪୮ ଘଣ୍ଟା ଭିତରେ ନିଷ୍ପତ୍ତି, ୧୦ ସନ୍ଧ୍ୟାରେ ଶପଥ ସମାରୋହ: ମନମୋହନ

Published By : Prameya-News7 Bureau | June 08, 2024 IST

ଭୁବନେଶ୍ଵର: କିଏ ହେବ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏହାକୁ ନେଇ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ। ମୁଖ୍ୟମନ୍ତ୍ରୀ ଚୟନ ନେଇ ଓଡ଼ିଶାରୁ ବିଜେପି ନେତା ଦିଲ୍ଲୀ ଯାଇଥିଲେ। ଆଉ ଆଜି ଓଡ଼ିଶା ଫେରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଦିଲ୍ଲୀରୁ ଫେରିବା ପରେ ମନମୋହନ କହିଛନ୍ତି, ୧୦ ତାରିଖ ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ।

ମନମୋହନ କହିଛନ୍ତି, ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ଓ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ୧୦ରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ ଜନତା ମଇଦାନରେ ଦେଖିବାକୁ ମିଳିବ। କିଏ ହେବ ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସାମଲ କହିଛନ୍ତି,  ମୁଖ୍ୟମନ୍ତ୍ରୀ କିଏ ହେବ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ଏ ଯାଏ ନିଷ୍ପତ୍ତି ହୋଇନି। ଆହୁରି ୪୮ ଘଣ୍ଟା ସମୟ ରହିଛି। ଏ ସମୟ ଭିତରେ ନିଷ୍ପତ୍ତି ହୋଇଯିବ। ଦୁଇ ଦିନ ଧୈର୍ଯ୍ୟ ରଖନ୍ତୁ। ମୁଁ ଆଦୌ ମୁଖ୍ୟମନ୍ତ୍ରୀ ରେସରେ ନାହିଁ ବୋଲି କହିଛନ୍ତି ମନମୋହନ। 

Also read: ରାହୁଲଙ୍କୁ କରାଯାଉ ଲୋକସଭାର ବିରୋଧୀ ଦଳ ନେତା, CWCରେ ପ୍ରସ୍ତାବ ଗୃହୀତ

ମୁଖ୍ୟମନ୍ତ୍ରୀ ସ୍ଥିର କରିବା ପାଇଁ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଡାକରା କ୍ରମେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବରିଷ୍ଠ ନେତା  ଜୟନାରାୟଣ ମିଶ୍ର, ସଂଗଠନ ସଂପାଦକ ମାନସ ମହାନ୍ତି ଏବଂ ନବ ନିର୍ବାଚିତ ସମସ୍ତ ସାଂସଦ ଦିଲ୍ଲୀ ଯାଇଥିଲେ।  ବିଜେପିରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନ କିମ୍ବା ବିଜେପି ମୁଖ୍ୟାଳୟରେ ଦଳର ଶୀର୍ଷ ନେତୃତ୍ୱଙ୍କ ବୈଠକ ବସିଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ଓଡିଶା ପ୍ରଭାରୀ ସୁନିଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ଅନ୍ୟ ଶୀର୍ଷ ନେତୃତ୍ୱ ଉପସ୍ଥିତଥିଲେ ।

ସୂଚନାଯୋଗ୍ୟ, ଦୀର୍ଘ ୨୪ ବର୍ଷ ଶାସନରେ ରହିବା ପରେ କ୍ଷମତାଚ୍ୟୁତ  ହୋଇଛି ବିଜେଡି। ନିର୍ବାଚନରେ ବିଜେପି ୭୮ ସିଟ୍ ଜିତି ରାଜ୍ୟରେ ପ୍ରଥମ ଥର ସରକାର ଗଢିବାକୁ ଯାଉଛି। ୫୧ ସିଟ୍ ସହ ବିଜେଡି ବିରୋଧୀ ଆସନରେ ବସିବାକୁ ଯାଉଛି। କଂଗ୍ରେସ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ୧୪ ସିଟ୍ ଜିତିବାରେ ସକ୍ଷମ ହୋଇଛି। 

 

  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.