ନୂଆଦିଲ୍ଲୀ ୩୧/୧୨: ଡିସେମ୍ୱର ୩୦, କାଳ ରବିବାର । ଚାହୁଁଚାହୁଁ ଚାଲିଗଲା ଅନେଜ ଜୀବନ । ସମୟ ବଢିବା ସହ ବଢିଚାଲିଲା ମୃତ୍ୟୁ ସଂଖ୍ୟା । ଡକାଡକି ହୋଇ ଚାଲିଗଲେ ସବୁ ଯାତ୍ରୀ । ଏମିତିକି ବିମାନରେ ଥିବା କର୍ମଚାରୀ ବି ବାଦ୍ ପଡିଲେନି । କିଏ କାହାକୁ ବା ଖୋଜିବ । ନା ଥିଲେ ବନ୍ଧୁ, ନା ପରିଜନ । ବିମାନ ସହ ଜୀବନ୍ତ ଜଳିଗଲେ ୧୭୯ । ୧୮୧ ଜଣଙ୍କ ମଧ୍ୟରୁ ରହିଗଲେ ମାତ୍ର ଦୁଇଜଣ । ଅତି ନିକଟରୁ ମୃତ୍ୟୁ ହରାଇ ପାଇଲେ ନୂଆ ଜୀବନ । ଏବେ ସେହି କାଳଜୟୀ ଦୁଇ ବ୍ୟକ୍ତି ହସ୍ପିଟାଲରେ ଚିକିତ୍ସିତ । ତେବେ ଜୀବନ ଦାନ ପାଇବା ଯେତିକି ଆନନ୍ଦଦାୟକ, ସେତିକି ଦୁଃଖଦ ମଧ୍ୟ । କାରଣ ଜୀବନ ସିନା ବଞ୍ଚିଗଲା, କିନ୍ତୁ ଦୁର୍ଘଟଣା ନେଇଗଲା ସ୍ମରଣଶକ୍ତି ।
ମୁଁ ଏଇଠି କାହିଁକି ? କଣ ପାଇଁ ମୋର ଏପରି ଅବସ୍ଥା ? ମୋର ପରିଚୟ କଣ ? ମୋତେ ଟିକେ ଜଣାଇବେ କିଛି ? ଏ ଥିଲା ଜଣେ ୩୨ ବର୍ଷୀୟ ବିମାନର କ୍ରୁ ସଦସ୍ୟ ଲି’ ଙ୍କ ମନ୍ତବ୍ୟ । ହସ୍ପିଟାଲରେ ଡାକ୍ତରଙ୍କୁ ଏମିତି କିଛି ବିଚିତ୍ର ଢଙ୍ଗରେ ପ୍ରଶ୍ନ ପଚାରିଥିଲେ ସେ । ବିମାନ ଦୁର୍ଘଟଣାରେ ଜୀବନ ଦାନ ପାଇଥିବା ଲି’ ଙ୍କ ଏପରି ଅବସ୍ଥା ଦେଖି ତାଟକା ହୋଇପଡିଥିଲେ ଚିକିତ୍ସା କରୁଥିବା ଡାକ୍ତର । କିଛି ସମୟ ପାଇଁ ସମସ୍ତଙ୍କୁ ଧକ୍କା ଦେଇଥିଲା ଲିଙ୍କ ମନ୍ତବ୍ୟ । ନା ନିଜ ବିଷୟରେ ମନେପକାଇପାରୁଥିଲେ, ନାଁ ଘଟଣା ସଂପର୍କରେ । ଦୀର୍ଘ ସମୟର ଯାଞ୍ଚରୁ ଜଣାପଡିଥିଲା ଯେ, ଦୁର୍ଘଟଣା ପରେ ଲି ହରାଇ ବସିଛନ୍ତି ତାଙ୍କର ମାନସିକ ସ୍ଥିତି ।
କେବଳ ଲି, ନୁହେଁ ୨୫ ବର୍ଷୀୟ ଓ୍ୱନଙ୍କ ଅବସ୍ଥା ବି ସମାନ । ଓ୍ୱନ ବି ମୃତ୍ୟୁ ସହ ଡାକ୍ତରଖାନାରେ ସଂଗ୍ରାମ କରୁଛନ୍ତି । ଲି ହୁଏତ କିଛି କହୁଛନ୍ତି କିନ୍ତୁ ଓ୍ୱନଙ୍କ ପକ୍ଷେ ଏହା ଅସମ୍ଭବ । କାରଣ ମସ୍ତିଷ୍କ ଓ ଶରୀରରେ ଆଘାତ ଲାଗିଥିବାରୁ ସେ ବି ବଖାଣିପାରୁନାହାଁନ୍ତି କିଛି । ଯାହା ଅନୁମାନ କରାଯାଉଛି କି, ଉଭୟଙ୍କୁ ଲାଗିଛି ଶକ୍ତ ଧକ୍କା । ଆଖି ଆଗରେ ଏତେ ବଡ ଦୁର୍ଘଟଣା ଦେଖି ହରାଇ ବସିଛନ୍ତି ନିଜର ମାନସିକ ସ୍ଥିତି । ଏମିତିକି ଡାକ୍ତରଙ୍କ ମତ ବି ସମାନ । କେବେ ସୁସ୍ଥ ହେବେ ବି କହିବା ଅସମ୍ଭବ । ତଥାପି ଚେଷ୍ଟା ଜାରି ରହିଛି । ଯଦି ଈଶ୍ୱରଙ୍କ ଆଶୀର୍ବାଦ ଥାଏ ତେବେ ହୁଏତ ଅସମ୍ଭବ ବି ହୋଇପାରେ ସମ୍ଭବ ।
ଜୀବିତ ଥିବା ଦୁଇ ବ୍ୟକ୍ତି ବିମାନର ଥିଲେ କ୍ରୁ ମେମ୍ୱର । ଯାତ୍ରୀମାନଙ୍କ ସହଯୋଗ ଲାଗି ଲି ବସିଥିଲେ ବିମାନର ପଛ ଭାଗରେ । ଯେଉଁଥିପାଇଁ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ତାଙ୍କ ବାମ କାନ୍ଧ ହାଡ ଭାଙ୍ଗିବା ସହ ମୁଣ୍ଡରେ ଲାଗିଛି ଗଭୀର ଆଘାତ । ଓ୍ୱନ ବି ବିମାନର ଶେଷ ଭାଗରେ ଥିବାରୁ ତାଙ୍କ ଅବସ୍ଥା ବି ସଂକଟାପନ୍ନ । ଦୁର୍ଘଟଣା ପରେ ଉଦ୍ଧାର ସମୟରେ ପାଉଁଶ ନିକଟରୁ ମିଳିଥିଲା ଉଭୟଙ୍କ ସନ୍ଧାନ । ଏବେ କେବଳ ସେମାନଙ୍କର ସ୍ମୃତିଶକ୍ତି ଫେରିବାକୁ ଅପେକ୍ଷା ।