ଅହମ୍ମଦାବାଦ ୧୪।୦୨ : ଆଉ କିଛି ସମୟର ଅପେକ୍ଷା। ଗୁଜରାଟର ଭଦୋଦରାର କୋଟମ୍ବି ଷ୍ଟାଡିୟମରୁ ଆରମ୍ଭ WPL (ମହିଳା ପ୍ରିମିୟର ଲିଗ୍) ୨୦୨୫ର ଆରମ୍ଭ । ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଆନ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଜାଏଣ୍ଟସ ମଧ୍ୟରେ ଖେଳାଯିବ । ସଂଧ୍ୟା ୭ଟା ୩୦ରୁ ଆରମ୍ଭ ହେବ ମ୍ୟାଚ୍ । ପ୍ରଥମ ଥର ପାଇଁ ମହିଳା ପ୍ରିମିୟର ଲିଗ୍ ଦେଶରେ ବିଭିନ୍ନ ସହରରେ ଖେଳାଯିବ ।
ଶୁକ୍ରବାର ମାନେ ଫେବୃଆରୀ ୧୪ ରୁ ଆରମ୍ଭ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ୍ର ତୃତୀୟ ସଂସ୍କରଣ । ଯାହା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୫ଟି ଦଳ ଟ୍ରଫି ପାଇଁ ଲଢେଇ କରିବେ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ପର୍ଯ୍ୟାୟକ୍ରମେ ବାଙ୍ଗାଲୁର, ଲକ୍ଷ୍ନୌ, ମୁମ୍ବାଇ ଭେନ୍ୟୁରେ ଖେଳାଯିବ । ଲିଗ୍ ଏବଂ ଫାଇନାଲକୁ ମିଶାଇ ମୋଟ ୨୨ଟି ମ୍ୟାଚ୍ ରହିଛି ୨୦୨୫ ମହିଳା ପ୍ରିମିୟର ଲିଗ୍ । ମାର୍ଚ୍ଚ ୧୩ ତାରିଖରେ ମହିଳା ପ୍ରିମିୟର ଲିଗ୍ର ଏଲିମିନେଟର ଏବଂ ୧୫ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଉଭୟ ମ୍ୟାଚ୍ ମୁମ୍ବାଇ ସ୍ଥିତ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ ।
ତେବେ ମହିଳା ପ୍ରିମିୟର ଲିଗ୍ର ପ୍ରଥମ ୨ଟି ସଂସ୍କରଣରେ ଯଥାକ୍ରମେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚାମ୍ପିଅନ୍ ହୋଇଥିଲା । ବାକି ଆଉ ୩ଟି ଦଳଙ୍କ ଟ୍ରଫି ସ୍ୱପ୍ନ ପୂରଣ ହୋଇନଥିଲା । ତେଣୁ ତୃତୀୟ ସଂସ୍କରଣରେ ଟ୍ରଫି ପାଇଁ ସବୁ ଜୋରଦାର କସରତ କରିବେ ବୋଲି ଆଶା କରାଯାଉଛି ।
ସ୍ମୃତି ମନ୍ଧନାଙ୍କ ନେତୃତ୍ୱାଧିନ ରୟାଲ୍ ଚ୍ୟାଲେଞ୍ଜର୍ସ ଗତ ବର୍ଷ ଫାଇନାଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟ୍ରେ ହରାଇ ଚାମ୍ପିଅନ୍ ହୋଇଥିଲା । ଏଥର ମଧ୍ୟ ଦଳ ଟାଇଟଲ ବଜାୟ ରଖିବା ପାଇଁ ପ୍ରସ୍ତୁତ । ଗତବର୍ଷ ଦଳକୁ ଚାମ୍ପିଅନ୍ କରାଇଥିବା ଏଲିସ୍ ପେରୀ ଏବଂ ସ୍ପିନର ଶ୍ରେୟଙ୍କା ପାଟିଲ୍ ଖେଳିବା ନେଇ ଅନିଶ୍ଚିତତା ଲାଗି ରହିଛି । ଉଭୟ ଏବେ ଆହତ ଅଛନ୍ତି । ଯଦି ଫିଟ୍ ଘୋଷିତ ହୁଅନ୍ତି, ତା’ହେଲେ ଖେଳିବେ । ନଚେତ ଚାର୍ଲି ଡିନ୍ଙ୍କୁ ସୁଯୋଗ ମିଳିପାରେ । ଦଳରେ ଏକାଧିକ ପାୱାର ହିଟର ରହିଥିବାବେଳେ ବୋଲିଂ ବିଭାଗ ଦୃଢ଼ ରହିଛି । ସେହିପରି ଗୁଜରାଟ ଜାଏଣ୍ଟସ ଦଳରେ ଅନେକ ଷ୍ଟାର ପ୍ଲେୟାର ରହିଛନ୍ତି । ବେଥ ମୁନି, ଲାଉରା ଉଲଭାର୍ଟ, ହର୍ଲିନ ଦେଓଲ, ଡିଣ୍ଡ୍ରା ଡଟିନ, ଅଧିନାୟିକା ଆସଲି ଗାର୍ଡନରଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଡଟିନ୍ ପ୍ରଥମ ଥର ଆଇପିଏଲ୍ ଖେଳିବେ। ତାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ଗୁଜରାଟ ଜାଏଣ୍ଟସର ସ୍ୱପ୍ନ ପୂରଣ କରିପାରିବ। ସିଜିନର ପ୍ରଥମ ମ୍ୟାଚ୍ ଖେଳାଯାଉଥିବାରୁ ଉଭୟ ଦଳ ଏକାଦଶ ଆକଳନ କରିବା ମୁସ୍କିଲ ହେବ।
ସମ୍ଭାବ୍ୟ ଦଳ :-
ରୟାଲ୍ ଚ୍ୟାଲେଞ୍ଜର୍ସ : ସ୍ମୃତି ମନ୍ଧନା (ଅଧିନାୟିକା), ଡାନି ୱାଟ୍-ହଜ୍, ଏସ୍ ମେଘନା, ଏଲିସ୍ ପେରୀ, ରିଚା ଘୋଷ, ରାଘବୀ ବିଷ୍ଟ, କନିକା ଆହୁଜା, ଜର୍ଜିଆ ୱାରେହାମ୍, ଜାଗ୍ରାଭି ପାୱାର, କିମ୍ ଗ୍ରାଥ୍, ରେଣୁକା ସିଂହ ।
ଗୁଜରାଟ ଜାଏଣ୍ଟସ : ବେଥ୍ ମୁନି, ଲାଉରା ଉଲଭାର୍ଟ, ହର୍ଲିନ ଦେଓଲ, ଡିଣ୍ଡ୍ରା ଡଟିନ, ଦୟାଲନ ହେମଲତା, ଆସଲି ଗାର୍ଡନର (ଅଧିନାୟିକା), ସିମରନ ଶୈଖ୍, ସାୟଲି ସତଘରେ, ମେଘନା ସିଂହ, ତନୁଜା କନୱାର, କାଶଭୀ ଗୌତମ, ସବନମ୍ ସକିଲ/ମନ୍ନତ କଶ୍ୟପ୍ ।