ଅଫିସରେ କେତେ ଘଣ୍ଟା କାମ କରିବା ଠିକ୍, ସପ୍ତାହକୁ ୯୦, ୭୦ନା ୪୮ ?

Published By : Prameya-News7 Bureau | January 21, 2025 IST

ନୂଆଦିଲ୍ଲୀ ୨୧/୦୧ :  ଆପଣ ଦିନକୁ କେତେ ଘଣ୍ଟା ଅଫିସ୍ କାମ କରୁଛନ୍ତି। ଆପଣଙ୍କ ଉପରେ କାମର ପ୍ରେସର ରହୁଛି କି। ଆପଣଙ୍କୁ ଅଫିସରେ ଅଧିକ ସମୟ ରହିବାକୁ ପଡ଼ୁଛି କି। କାମର ପ୍ରେସରରେ ଆପଣ ବିରକ୍ତ, ଚିଡଚିଡ଼ା, ବିବ୍ରତ ହେଉଛନ୍ତି କିମ୍ବା ଥକି ଯାଉଛନ୍ତି କି। ଏତେ ସବୁ ପ୍ରଶ୍ନ ଏଇଥି ପାଇଁ ଯେ, ଏବେ ଜଣେ ବ୍ୟକ୍ତିଙ୍କର ଶ୍ରମ ସମୟ ବା ୱାର୍କିଂ  ଆୱାର ଉପରେ ତର୍କକୁ ନେଇ ଚର୍ଚ୍ଚା। ବଡ଼ କମ୍ପାନୀର ମାଲିକ, ପରିଚାଳକ, କାର୍ଯ୍ୟନିର୍ବାହୀଙ୍କ ଠାରୁ ସେଲିବ୍ରିଟି ଯାଏଁ ଏହି ତର୍କରେ ସାମିଲ୍ ହୋଇଥିବାବେଳେ କର୍ମଜୀବୀ ବି ଟେନସନ୍। 

ବିଶେଷକରି ୱାର୍କିଂ ପ୍ରଫେସନାଲ୍, ମିଡିଲ୍ କ୍ଲାସ୍, ଙ୍କ ମଧ୍ୟରେ ୱାର୍କିଂ ଆୱାରକୁ ନେଇ ଆଲୋଚନା ଯେତିକି ତାଠୁ ବେଶି ଆଶଙ୍କା ଓ ଆତଙ୍କ ବି।  କିଏ କହିଲେ ସପ୍ତାହକୁ ୭୦ ଘଣ୍ଟା ତ କିଏ କହିଲେ ୯୦ ଘଣ୍ଟା ଆଉ କିଏ ଆହୁରି ଅଧିକା।    କିଛି ଦିନ ଧରି ଏଭଳି ମତ , ମନ୍ତବ୍ୟ ଓ ପ୍ରତିକ୍ରିୟା ଏଭଳି ସ୍ଥିତି ସୃଷ୍ଟି କରିଛି। 

ଇନଫୋସିସ୍ ର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପ୍ରତି ଦେଶ ବିଦେଶରେ ସମ୍ମାନ ରହିଛି। ତେବେ  ଭାରତୀୟଙ୍କ କାମକୁ ନେଇ ତାଙ୍କ ମନ୍ତବ୍ୟ  ତାହାକୁ କିଛି ମାତ୍ରା ପ୍ରଭାବିତ କରିଛି ସେପଟେ ଏସ୍ ଏନ୍ ସୁଭ୍ରମଣ୍ୟମ୍ ଙ୍କ ମନ୍ତବ୍ୟ ଅଧିକ ବିତର୍କ ଓ ପ୍ରତି କ୍ରିୟାକୁ ଆମନ୍ତ୍ରଣ କରିଛି। କ୍ୟାରିଅର ଗଠନ, ରୋଜଗାର, ରାଷ୍ଟ୍ର ଗଠନ ଓ ସୁଖକର ଜୀବନ ଆଦି ଯୁକ୍ତି ବେଳେ ବି  ତାର ବିରୋଧ ବି ରହିଛି। ଏସବୁ ଉପରେ ଜଣେ ବରିଷ୍ଠ ସାମ୍ବାଦିକଙ୍କ ମତ କଣ ? 

ତେବେ ଶ୍ରମ ଆଇନ୍ , ମଜୁରି ନିର୍ଦ୍ଧାରଣ , ସରକାରୀ ଆଇନ୍ କାନୁନ୍ ଅନୁସାରେ ଶ୍ରମ ତଥା ମଜରାକୁ ବ୍ୟାଖ୍ୟା କରାଯିବା ବର୍ତ୍ତମାନର ୱାର୍କିଂ ଆୱାର ତର୍କ ପରିପ୍ରେକ୍ଷୀରେ ଜରୁରୀ। ଅନୁଶୀଳନ ଓ ଅନୁଧ୍ୟାନ ଅନୁଯାୟୀ ଏନେଇ ବିଭିନ୍ନ ହିସାବ କିତାବ ନିୟମ ଆଦି ରହିଛି। 

• The Factories Act, ୧୯୪୮, କର୍ମଚାରୀଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ କାର୍ଯ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରେ। ଏହା ସାପ୍ତାହିକ କାର୍ଯ୍ୟ ଘଣ୍ଟାକୁ ୪୮ ରେ ସୀମିତ କରେ, ବିଶ୍ରାମ ବ୍ୟବଧାନକୁ ବାଧ୍ୟତାମୂଳକ କରେ ଏବଂ ୨୪୦ ଦିନ କାମ ପରେ paid annual leave ପ୍ରଦାନ କରେ।

• ସର୍ବନିମ୍ନ ମଜୁରୀ ଆଇନ, ୧୯୪୮, ଅଞ୍ଚଳ ଏବଂ ଶିଳ୍ପ ଆଧାରରେ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା କର୍ମଚାରୀମାନଙ୍କ ପାଇଁ ଏକ ସର୍ବନିମ୍ନ ମଜୁରୀ ସୁନିଶ୍ଚିତ କରେ। 

• ମଜୁରୀ ପ୍ରଦାନ ଆଇନ, ୧୯୩୬, ପ୍ରତିଷ୍ଠାନର ଆକାର ଉପରେ ନିର୍ଭର କରି, ସାଧାରଣତଃ ପରବର୍ତ୍ତୀ ମାସର ୭ କିମ୍ବା ୧୦ ତାରିଖ ସୁଦ୍ଧା କର୍ମଚାରୀମାନଙ୍କୁ ସମୟାନୁସାରେ ମଜୁରୀ ପ୍ରଦାନର ଗ୍ୟାରେଣ୍ଟି ଦିଏ।

• ମାତୃତ୍ୱ ଲାଭ ଆଇନ, ୧୯୬୧, ଯାହା ୨୦୧୭ ରେ ଅପଡେଟ୍ ହୋଇଛି, ମହିଳା କର୍ମଚାରୀମାନଙ୍କୁ ୬ ମାସର ପୂର୍ଣ୍ଣ ଦରମାପ୍ରାପ୍ତ ମାତୃତ୍ୱ ଛୁଟି ଏବଂ ଗର୍ଭପାତ କିମ୍ବା ଗର୍ଭଧାରଣର ଚିକିତ୍ସା ସମାପ୍ତି କ୍ଷେତ୍ରରେ ଅତିରିକ୍ତ ଛୁଟି ପ୍ରଦାନ କରେ।

• କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଏବଂ ବିବିଧ ବ୍ୟବସ୍ଥା ଆଇନ, ୧୯୫୨, ନିଯୁକ୍ତିଦାତା ଏବଂ କର୍ମଚାରୀମାନଙ୍କୁ ଅବସର ପରବର୍ତ୍ତୀ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରୁଥିବା ଏକ ପାଣ୍ଠିରେ ଯୋଗଦାନ କରିବାକୁ ବାଧ୍ୟ କରେ।

• କର୍ମଚାରୀ ରାଜ୍ୟ ବୀମା ଆଇନ, ୧୯୪୮, ଏକ ନିର୍ଦ୍ଦିଷ୍ଟ ଆୟ ସୀମା ତଳେ ରୋଜଗାର କରୁଥିବା ଯୋଗ୍ୟ ଶ୍ରମିକଙ୍କ ପାଇଁ ଚିକିତ୍ସା ସୁବିଧା, ଅସୁସ୍ଥତା ସୁବିଧା ଏବଂ ମାତୃତ୍ୱ ସୁବିଧା ପ୍ରଦାନ କରେ।

• ଶିଳ୍ପ ବିବାଦ ଆଇନ, ୧୯୪୭, ଶିଳ୍ପ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ଧର୍ମଘଟ, ଛଟେଇ ଏବଂ ଛଟେଇକୁ ଅନ୍ତର୍ଭୁକ୍ତ କରି ମାଲିକ ଏବଂ କର୍ମଚାରୀଙ୍କ ମଧ୍ୟରେ ବିବାଦର ସମାଧାନକୁ ସହଜ କରିଥାଏ।

The Factories Act ଅନୁଯାୟୀ

• ଦୈନିକ କାର୍ଯ୍ୟ ଘଣ୍ଟା: ପ୍ରତିଦିନ ୯ ଘଣ୍ଟା ପର୍ଯ୍ୟନ୍ତ ଅନୁମତି ଦିଏ, ସପ୍ତାହକୁ ଯାହା ୪୮ ଘଣ୍ଟା। ପ୍ରତି ୫ ଘଣ୍ଟା କାମ ପରେ ଅତି କମରେ ଅଧ ଘଣ୍ଟା ବିଶ୍ରାମ ଆବଶ୍ୟକ। ସପ୍ତାହରେ ୪୮ଘଣ୍ଟାରୁ ଅଧିକ କାମ ସାଧାରଣ ମଜୁରୀର ଦୁଇଗୁଣରେ କ୍ଷତିପୂରଣ ଦେବାକୁ ପଡିବ।

ଏସବୁ ପରିପ୍ରେକ୍ଷୀରେ ପରିଶ୍ରମ ସହ ଶରୀର ଓ ମାନସିକ ଅବୂସ୍ଥାର ସଂପର୍କକୁ ବୁଝିବା ଦରକାର। ଶ୍ରମ ଜୀବୀ ଓ ଶ୍ରମ ବିଭାଗ ସହ ଜଡ଼ିତ କିଛି ପ୍ରାକ୍ତନ ଅଧିକାରୀ ମଧ୍ୟ ଶରୀରିକ ଓ ମାନସିକ କ୍ଷମତା ସହିତ ପରିଶ୍ରମ ବା ୱାର୍କିଂ ଆୱାରର ଗୁଢ଼ ସଂପର୍କକୁ କଥା କହିଛନ୍ତି । ଏହାସହ ମଣିଷ ଏକ ସାମାଜିକ ପ୍ରାଣୀ ଭାବେ ତାର ସାମାଜିକ ସଂପର୍କ ଏବଂ ଅନ୍ୟାନ୍ୟ ଆଚରଣ ବି ରହିଛି। ଜଣେ ନିର୍ଦ୍ଧିଷ୍ଟ ଭାବେ ଦିନଟିକୁ କିପରି ଭାଗଭାଗ କରିବ , ତାହା ତାର ଶାରିରୀକ ଓ ମାନସିକ ସ୍ଥିତି ଅନୁଯାୟୀ ହିଁ ହେବ। 

 ତେବେ ଶ୍ରମ ସଂଗଠନ ରିପୋର୍ଟ ଅନୁଯାୟୀ, ଅତ୍ୟଧିକ ସମୟ  କାମ କରୁଥିବା  ଦେଶ ତାଲିକାରେ ଭାରତ ନାମ ରହିଛି। ଆଇଏଲଓ ଅନୁସାରେ ସପ୍ତାହକୁ ୪୮ ଘଣ୍ଟାରୁ ଅଧିକ ସମୟ କାମ କରିବା ହେଉଛି ଲମ୍ବା ସମୟ। 

୨୦୧୯ରେ ସମଗ୍ର ବିଶ୍ୱର ୩୫.୪ପ୍ରତିଶତ  ଶ୍ରମିକ ନିର୍ଦ୍ଧାରିତ ସମୟ ଠାରୁ ଅଧିକ କାମ କରୁଥିଲେ।  ଯେଉଁ ଦେଶ ଗୁଡ଼ିକରେ  କର୍ମଚାରୀମାନେ  ଅଧିକ କାମ କରୁଛନ୍ତି, ସେଭଳି ୨୦ଟି  ପ୍ରମୁଖ୍ ଦେଶ ତାଲିକାରେ ଭାରତ ତ୍ରୟୋଦଶ ସ୍ଥାନରେ ଅଛି।  ଆଶ୍ଚର୍ଯ୍ୟର ବିଷୟ  ହେଉଛି ମାତ୍ରାଧିକ ସମୟ ପରିଶ୍ରମ କରୁଥିବା ନେଇ ବିଶ୍ୱବ୍ୟାପୀ  ଚର୍ଚ୍ଚା ହେଉଥିବା ଦେଶ ଚୀନ୍ ରେ  ଲୋକମାନେ ଭାରତୀୟଙ୍କଠାରୁ କମ୍ ପରିଶ୍ରମ କରୁଛନ୍ତି।  ଚୀନରେ ହାରାହାରି  ସପ୍ତାହିକ କାର୍ଯ୍ୟ  ସମୟ ୪୬.୫ଘଣ୍ଟା ରହିଛି ଯାହା ଭାରତରେ ୪୬.୭ ଘଣ୍ଟାରୁ କମ୍।  ବ୍ରୁନେଇ, କେନିଆ, ଓ ସେନେଗାଲ୍ ର ଲୋକମାନେ ମଧ୍ୟ  ଭାରତୀୟଙ୍କଠାରୁ କମ୍ ଖଟୁଛନ୍ତି।  ଶର୍ମିକମାନେ ସପ୍ତାହକୁ ଅଧିକ ପରିଶ୍ରମ କରୁଥିବା ଦେଶ ତାଲିକାରେ ଶୀର୍ଷରେ ରହିଛି ଭୁଟାନ୍।  ସେଠାରେ ଲୋକମାନେ ୫୪.୪ଘଣ୍ଟା ପରିଶ୍ରମ କରୁଛନ୍ତି।  ଏହା ପଛରେ ରହିଛି ୟୁଏଇ ୫୦.୯ ଘଣ୍ଟା, ଲିସୋଥୋ ୫୦.୪ ଘଣ୍ଟା, କଙ୍ଗୋ ୪୮.୬ ଘଣ୍ଟା, କତର ୪୮ଘଣ୍ଟା, ଲାଇବେରିଆ ୪୭.୭ ଘଣ୍ଟା,ଲେବାନନ୍ ୪୭.୬ ଘଣ୍ଟା,ବାଂଲାଦେଶ ୪୬.୯ ଘଣ୍ଟା, ପାକିସ୍ତାନ ୪୬.୯ ଘଣ୍ଟା।  ଶ୍ରମ ସଂଗଠନରେ ରିପୋର୍ଟ କହୁଛି ଯେ ବିକାଶଶୀଳ ଓ ଉଦୀୟମାନ ଦେଶ ଗୁଡ଼ିକରେ ଶ୍ରମିକ ମୁଖ୍ୟତଃ ଅଧିକ ସମୟ ଖଟୁଛନ୍ତି। ଏହା ପଛର ଏକ ବଡ଼ କାରଣ ହେଉଛି,ଏହି ଦେଶ ଗୁଡ଼ିକରେ ଘଣ୍ଟା ପିଛା ପାରିଶ୍ରମିକ ଯଥେଷ୍ଟ କମ୍ ରହିଛି। ସେଥିପାଇଁ କିଛି ଲୋକ ଅଧିକ ପରିଶ୍ରମ କରି ଆୟ ବଢ଼େଇବାକୁ ଚାହୁଁଛନ୍ତି।

ଏପରି କିଛି ବିଶ୍ଳେଷଣ ଭିତରେ  ବଡ଼ କଥାଟି ହେଉଛି କାମ କରିବାର ସଠିକ ସମୟ ଅଛି।  ଅଧିକ ସମୟ  କାମ କଲେ ଶରୀର ସାଥ୍ ଦିଏନି। ଆଉ ଗୋଟିଏ କଥା ହେଉଛି  ପ୍ରଡକ୍ଟିଭ୍ କାମ କରିବାକୁ ହେଲେ ମସ୍ତିଷ୍କ ବି ସାଥ୍ ଦେବା ଦରକାର। କାହିଁକିନା ଶରୀରର କଣ୍ଟ୍ରୋଲ ଥାଏ ମସ୍ତିଷ୍କ ଉପରେ । ଯଦି ଜଣେ ବ୍ୟକ୍ତି  ନିର୍ଦ୍ଧାରିତ ସମୟରୁ ଅଧିକ ଚାପ ନେଇ କାମ କରୁଛନ୍ତି ତାହେଲେ ଶରୀର ବି ଅସୁସ୍ଥ ହୋଇପାରେ । ଏ କଥା ଆମେ କହୁନୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେତ୍ଜ୍ଞ। । 

Work is Life, ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ପ୍ରତ୍ୟୋକ ମଣିଷ କିଛିନା କିଛି କରିଥାଏ। ତାହା ନିତ୍ୟକର୍ମ , ଅଭ୍ୟାସ, ବୃତ୍ତିଗତ କାମ , ସାମାଜିକ କର୍ତ୍ତବ୍ୟ ମଉଜ ମଜଲିସ ହୋଇପାରେ । ସବୁ କିଛି କୁ କାମ ବି କୁହାଯାଇ ପାରେ।  କିନ୍ତୁ ଏବେ ବୃତ୍ତିଗତ କାର୍ଯ୍ୟର ସମୟ ବା ୱାର୍କିଂ ଆୱାରକୁ ଅଧିକ ଫୋକସ୍ ଦେବାକୁ କିଛି ମତ ଦେଉଛନ୍ତି। ପରିବର୍ତ୍ତିତ ଜୀବନଶୈଳୀ, ଆଧୁନିକ ସମୟର ଆବଶ୍ୟକତା, ବଦଳିଥିବା ସମୟ   ଭିତ୍ତିରେ ଏହା ସପକ୍ଷରେ ଯୁକ୍ତି କରାଯାଇପାରେ। 


କିନ୍ତୁ ସେହି ବୃତ୍ତିଧାରୀମାନେ ଅଧିକ ସଫଳ ଯେଉଁମାନେ ମନ ଓ ଶରୀର ସହ କାର୍ଯ୍ୟ ଦକ୍ଷତାର ସଂପର୍କକୁ ସଫଳ ଭାବେ ତୁଲାଇଥାନ୍ତି। ଅର୍ଥାତ୍ କାର୍ଯ୍ୟକୁ ସେମାନେ ଉପଭୋଗ କରନ୍ତି। ଏହାହିଁ ତ ସଫଳ,  ଫଳପ୍ରଦ ବା ପ୍ରଡକ୍ଟିଭ୍  ୱାର୍କିଂ ଆୱାରର ଆଧାର। ଯାହାକୁ କିଛି ଘଣ୍ଟା ବା ନିର୍ଦ୍ଧିଷ୍ଟ ସମୟରେ ମପା ଯାଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.