ନୂଆଦିଲ୍ଲୀ ୧୬।୦୩ : ସମସ୍ତେ ଜାଣନ୍ତି ଏଟିଏମରୁ କେବଳ ନୋଟ୍ ବାହାରେ । କିନ୍ତୁ ଖୁବଶୀଘ୍ର ATMରୁ ବାହାରିବ ସୁନା ଏବଂ ରୂପା ଲକେଟ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ଏହା ସତ । ତିରୁମାଲା ତିରୁପତି ଦେବସ୍ଥାନମ୍ ତିରୁମାଲା ମନ୍ଦିରରେ ବିଶ୍ୱର ପ୍ରଥମ ସୁନା ଏବଂ ରୁପା ପେଣ୍ଡାଣ୍ଟ ଏଟିଏମ୍ ସ୍ଥାପନ ହେବ । ଏହି ଏଟିଏମରୁ ସୁନା ଏବଂ ରୁପା ଲକେଟ୍ ବାହାରିବ ।
ଗ୍ରାହକମାନେ ନିଜେ ନିଜେ ଭଗବାନ ଭେଙ୍କଟେଶ୍ୱର ଏବଂ ଦେବୀ ଲକ୍ଷ୍ମୀଙ୍କ ପ୍ରତିଛବି ଥିବା ଲକେଟ୍ ଏଟିଏମ୍ରୁ କିଣିପାରିବେ । ଏଥିପାଇଁ ଆବଶ୍ୟକ ନାହାନ୍ତି କୌଣସି ତୃତୀୟ ବ୍ୟକ୍ତି । ଅର୍ଥାତ୍ ଏଟିଏମରୁ ଯେମିତି ଟଙ୍କା ଯେପରି ନିଜେ ବାହାର କରେ ସେପରି ଏହି ଏଟିଏମରୁ ଲକେଟ ବାହାରିବ । ତିରୁମାଲା ତିରୁପତି ଦେବସ୍ଥାନମର କାର୍ଯ୍ୟନିର୍ବାହୀ ଅଧିକାରୀ ଜେ ଶ୍ୟାମଳା ରାଓଙ୍କ ଦ୍ବାରା ତିରୁମାଲା ମନ୍ଦିର, ତିରୁପତିର ଗୋବିନ୍ଦରାଜ ମନ୍ଦିର ଏବଂ ତିରୁଚନୁରର ପଦ୍ମାବତୀ ଅମ୍ମାବାରୀ ମନ୍ଦିରରେ ଡିଜିଟାଲ ରୂପାନ୍ତରଣ କରାଯାଉଛି ।
ଏହି ଏଟିଏମ୍ ମେସିନ୍ ପାଇଁ ସଫ୍ଟୱେର୍ ଏପରି ଡିଜାଇନ୍ କରାଯାଇଛି ଯାହାକି ୨ ଗ୍ରାମ,୫ ଗ୍ରାମ ଏବଂ ୧୦ ଗ୍ରାମର ସୁନା ଏବଂ ରୁପା ଲକେଟ୍ ଯୋଗାଇବ । ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ପ୍ରକଳ୍ପଟି କେବଳ ସେତେବେଳେ ଆଗକୁ ବଢ଼ିବ ଯଦି ଏହା ପବିତ୍ର ଶାସ୍ତ୍ର ଏବଂ ଆଗମ ସହିତ ମନ୍ଦିର ପରମ୍ପରାର ପାଳନକୁ ସୁନିଶ୍ଚିତ କରିବ । ତେବେ ତିରୁମାଲା ତିରୁପତି ଦେବସ୍ଥାନମରେ ପୂର୍ବରୁ ଏକ ଦାନ କିଓସ୍କ ଚାଲୁଛି, ଯାହା ଅତ୍ୟନ୍ତ ସଫଳ ରହିଛି ।
ଏହା ଭକ୍ତମାନଙ୍କୁ ୟୁପିଆଇ, ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଦାନ କରିବାକୁ ଅନୁମତି ଯୋଗାଇ ଆସୁଛି।ଏହି କିଓସ୍କଗୁଡ଼ିକ ଅନ୍ନପ୍ରସାଦମ୍ କ୍ୟାଣ୍ଟିନ୍, ଭାକୌଲା ମଠ ମନ୍ଦିର ଏବଂ ତିରୁଚନୁର ମନ୍ଦିରରେ ଚାଲୁଛି । ତେବେ ଏହାକୁ ଅଧିକ ବିସ୍ତାର କରିବା ପାଇଁ ଚାଲିଛି ଯୋଜନା ।