ରିଜେଣ୍ଟ ଇଣ୍ଟରନ୍ୟାସନାଲ:ବିଶ୍ବର ସବୁଠୁ ବଡ ଆବାସିକ କୋଠା,ଦେଖିଲେ ଟେରା ହୋଇଯିବ ଆଖି

Published By : Prameya-News7 Bureau | October 09, 2024 IST

ନୂଆଦିଲ୍ଲୀ ୯/୧୦:ଭାବିଲେ ଏମିତି ଏକ ଜାଗା ଯେଉଁଠି ବାହାରକୁ ଯିବା ଦରକାର ନାହିଁ । କ୍ୟାମ୍ପସ ଭିତରେ ଦୈନନ୍ଦିନ ଜୀବନର ସବୁ ଦରକାରୀ ଜିନିଷ ମିଳିଯିବ । ହାତ ପାହାନ୍ତାରେ ସପିଂ ମଲ୍‌ ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ,ସ୍କୁଲ,ହସ୍‌ପିଟାଲ ଆଉ ଏଣ୍ଟରଟେମେଣ୍ଟ ପାଇଁ ସବୁକିଛି ଉପଲବ୍ଧ । ଏକାଥରକେ ୨୦ ହଜାର ଲୋକ ରହିପାରିବେ । ଏମିତିକି ୩୦ ହଜାର ଲୋକ ରହିବାର କ୍ଷମତା ରଖିଛି ଏ ଜାଗା । ଦେଖିଲେ ଛୋଟ ସହର ଠାରୁ କିଛି କମ୍‌ ଲାଗୁନି । ଦୁନିଆର ସବୁଠାରୁ ବଡ କୋଠାର ଫଟୋ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦେଖିଲେ ଆପଣ ବି ତାଜୁବ ହୋଇଯିବେ । ତେବେ ଦୁନିଆର ସବୁଠାରୁ ବଡ ବିଲ୍ଡିଂର ଠିକଣା କେଉଁଠି । 

ରିଜେଣ୍ଟ ଇଣ୍ଟରନ୍ୟାସନାଲ । ଚୀନରେ ଥିବା ବିଶ୍ବର ସବୁଠୁ ବଡ ଆବାସିକ କୋଠା । ଏହି ବିରାଟ କୋଠାକୁ ନେଇ ଏବେ ଚର୍ଚ୍ଚା ଢେର୍‌ । କିଆଙ୍ଗଜିଆଙ୍ଗ ସେଞ୍ଚୁରି ସହରରେ ଥିବା ଏହି ୬୭୫ ଫୁଟ ଉଚ୍ଚ ସ୍ଥାପତ୍ୟ ବିସ୍ମୟକୁ ପ୍ରଥମେ ହୋଟେଲ୍‌ କରିବାର ପ୍ଲାନ ଥିଲା । ପରେ ବିଶାଳ ଆପାର୍ଟମେଣ୍ଟ କଂପ୍ଲେକ୍ସ କରିବାକୁ ନିଷ୍ପତ୍ତି ନିଆଗଲା । S’ଆକୃତିର ରିଜେଣ୍ଟ ଇଣ୍ଟରନ୍ୟାସନାଲ ୧.୪୭ ନିୟୁତ ବର୍ଗ ମାଇଲ ଯାଏ ଲମ୍ବିଛି । ୩୯ ମହଲା ଟାୱାରରେ ହଜାର ହଜାର ଦାମୀ ଆପାର୍ଟମେଣ୍ଟରେ ୨୦ ହଜାରରୁ ଅଧିକ ଲୋକ ରହୁଛନ୍ତି ।ଏହି ବିଶାଳ ବିଲ୍ଡିଂ ଭିତରେ ଲୋକଙ୍କ ପାଇଁ ସବୁପ୍ରକାର ସୁବିଧା ରହିଛି ଯେମିତିକି ସପିଂ ମଲ୍‌, ରେସ୍ତୋରାଁ, ସ୍କୁଲ, ହସ୍ପିଟାଲ ।  କେବଳ ଏତିକି ନୁହେଁ ଫିଟନେସ୍‌ ସେଣ୍ଟର, ଫୁଡ୍‌ କୋର୍ଟ, ଇନ୍‌ଡୋର ସ୍ୱିମିଂ ପୁଲ୍‌, ସାଲୋନ ବି ରହିଛି । କୋଠା ଭିତରେ ଥିବା ବିଶାଳ ଉଦ୍ୟାନ ମଧ୍ୟ ବେଶ ସୁନ୍ଦର । 

ଆପାର୍ଟମେଣ୍ଟ କଂପ୍ଲେକ୍ସର ସର୍ବାଧିକ କ୍ଷମତା ୩୦ ହଜାର ଲୋକ ହୋଇଥିବାରୁ ସେଠାରେ ଆଉ ୧୦ ହଜାର ଅନ୍ତେବାସୀ ରହିପାରିବେ । ୨୦୧୩ରେ ଉଦ୍‌ଘାଟନ ହେବା ପରଠାରୁ ସେଠାରେ ବିଭିନ୍ନ ପ୍ରକାର ଲୋକେ ରହୁଛନ୍ତି । ବିଶେଷ କରି କଲେଜ ଶିକ୍ଷା ଶେଷ କରିଥିବା ଯୁବପିଢ଼ି, ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର ଓ ବ୍ୟବସାୟୀଙ୍କର ଏହା ପସନ୍ଦ ପାଲଟିଛି । ରିଜେଣ୍ଟ ଇଣ୍ଟରନ୍ୟାସନାଲରେ ଘରଭଡା ସର୍ବନିମ୍ନ ୧୭,୯୫୯ରୁ ଆରମ୍ଭ ହେଉଥିବାବେଳେ ୪୭ ହଜାର ଟଙ୍କା ଯାଏ ରହିଛି ।


ଏହି ବିଶାଳ କୋଠାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁନିଆର ସବୁଠାରୁ ବଡ ଘର ଦେଖି ଅନେକ ତାଜୁବ ହୋଇଯାଇଛନ୍ତି । ସୋସିଆଲ ସାଇଟ Xରେ ଭିଡିଓ ପୋଷ୍ଟ ପରେ ପ୍ରାୟ ୬୦ ହଜାରରୁ ଅଧିକ ଥର ଦେଖିସାରିଲେଣି ଲୋକେ ।ଜଣେ ୟୁଜର ଲେଖିଛନ୍ତି ଏହି କୋଠା ଭିତରେ ପୁରା ସହର ରହିଛି । ଆଉ ଜଣେ ୟୁଜର ଲେଖିଛନ୍ତି ଏହା ପାଗଳାମି । ପାଣି ଓ ସ୍ବେରେଜ ମ୍ୟାନେଜମେଣ୍ଟ ସେଠାରେ କେମିତି କରାଯାଉଛି ? ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଏହା ଅବିଶ୍ବସନୀୟ ଆଉ ଦେଖିବାକୁ ଆଶ୍ଚର୍ଯ୍ୟ ଲାଗୁଛି ଯେ ଆଧୁନିକ ଆର୍କିଟେକଚର ଏତେ ସଂଖ୍ୟକ ଲୋକଙ୍କୁ କେମିତି ଗୋଟିଏ ଛାତ ତଳେ ରଖିପାରୁଛି । 

ଏବେ ପର୍ଯ୍ୟନ୍ତ ଆମେ ଦୁନିଆର ସବୁଠୁ ବଡ ବିଲ୍ଡିଂ ଦୁବାଇର ବୁର୍ଜ ଖଲିଫାକୁ ଜାଣିଥିଲେ । ହେଲେ ଏବେ ଦୁନିଆର ସବୁଠାରୁ ବଡ ଘର ତାଲିକାର ରିଜେଣ୍ଟ ଇଣ୍ଟରନ୍ୟାସନାଲର ନାଁ ସାମିଲ ହୋଇଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.